ଦିନେ ଅନ୍ଧ୍ରରୁ ଓଡ଼ିଶା ଆସୁଥିଲେ ଦାଦନ, ଏବେ ସ୍ଥିତି ପୂରା ଓଲଟା !

ବର୍ଷସାରା ଝାଳ ବୁହାଇ ଚାଷୀ ହତାଶ, ମାଲେମାଲ୍ ଦଲାଲ୍ । ଗତ ବିଜେଡି ସରକାରର ଅପାରଗତାରୁ କୋରାପୁଟ ଚାଷୀ ଭୋଗୁଛି କଷ୍ଟ । ଜିଲ୍ଲାରେ ନାହିଁ ଆବଶ୍ୟକ ଶୀତଳ ଭଣ୍ଡାର କି ଫୁଡ୍ ପ୍ରୋସେସିଂ ୟୁନିଟ୍ । ରବି ଓ ଖରିଫ୍ ଋତୁରେ କମିଲା ଅଦା ଓ ଆଳୁ ଉତ୍ପାଦାନ ହାର ।
କୋରାପୁଟ ଜିଲ୍ଲାର ମାଟି ଅଦା ଚାଷ ପାଇଁ ବେଶ୍ ଅନୁକୂଳ । ପଟାଙ୍ଗି, ନନ୍ଦପୁର, ସେମିଳିଗୁଡ଼ା ଅଦା ଚାଷ ପାଇଁ ପ୍ରମୁଖ ହବ୍ ଭାବେ ଏବେ ବେଶ ଜଣାଶୁଣା । ଏଠାକାର ଅଦାର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ଚାହିଦା । ମାତ୍ର ଚାଷୀ ଯେଉଁ ଆଗ୍ରହରେ ଅଦା ଚାଷ କରୁଛନ୍ତି ସେହି ହିସାବରେ ନିଜ ପ୍ରାପ୍ୟ ପାଉନାହାନ୍ତି ।
ଜିଲ୍ଲାରେ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କି ଶୀତଳଭଣ୍ଡାର ନଥିବାରୁ ଅଭାବୀ ବିକ୍ରିର ଶିକାର ଅଦା ଚାଷୀ। ବର୍ତ୍ତମାନ କିଲୋ ପ୍ରତି ୧୦ରୁ ୧୫ଟଙ୍କାରେ ବିକ୍ରି କରିବାକୁ ପଡ଼ୁଛି । ଉତ୍ପାଦିତ ଅଦାକୁ ବେଶୀଦିନ ଗଚ୍ଛିତ ରଖିବା ସମ୍ଭବ ହେଉନଥିବାରୁ ଶାଗ ମାଛ ଦରରେ ବିକ୍ରି କରିବା ପାଇଁ ଚାଷୀ ବାଧ୍ୟ ହେଉଛନ୍ତି । ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼ ବ୍ୟବସାୟୀମାନେ ଆସି ଅତି କମ୍ ମୂଲ୍ୟରେ ଅଦା କିଣି ନେଉଥିବା ବେଳେ ବାହାରେ ଅଧିକ ଦାମରେ ବିକ୍ରି କରି ମାଲେମାଲ୍ ହେଉଛନ୍ତି ।
କୋରାପୁଟରେ ଅଦା ପରି ଆଳୁର ବି ସମାନ ଅବସ୍ଥା । ଶୀତଳ ଭଣ୍ଡାର ଅଭାବ ଯୋଗୁଁ ଆଳୁ ଗଚ୍ଛିତ ପାଇଁ ଚିନ୍ତିତ ଚାଷୀ । ଏଥର ରବି ଋତୁରେ ଜିଲ୍ଲାରେ ଆଳୁ ଚାଷ ହାର କମ୍ ଥିବାବେଳେ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡିଛି । ହୋଲସେଲରେ ଆଳୁ କିଲୋ ୩୦ ଟଙ୍କା କିନ୍ତୁ ଖୁଚୁରା ବଜାରରେ ୩୫ରୁ ୪୦ ଟଙ୍କା କିଲୋରେ ବିକ୍ରି ହେଉଛି । ଏଥିସହ ଆଳୁ ଚାଷ ପାଇଁ ବିହନ ଯଥେଷ୍ଟ ମିଳିନଥିବା ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି ।
୨୪ ବର୍ଷର ବିଜେଡି ସରକାରର ଅପାରଗତାରୁ ଯେଉଁ ସ୍ଥିତି ଏବେ ଉପୁଜିଛି, ଚାଷୀମାନେ ଚାଷଠାରୁ ବିମୁଖ ହେବାକୁ ବାଧ୍ୟ ହେଉଛନ୍ତି । ସମୟ ଥିଲା ଆନ୍ଧ୍ରରୁ ଓଡ଼ିଶାକୁ ଦାଦନ ଖଟି ଆସୁଥିଲେ ଲୋକେ । ବର୍ତ୍ତମାନ ଆନ୍ଧ୍ରରୁ ଦଲାଲ୍ ଆସି ଓଡ଼ିଶାରୁ ଶାଗମାଛ ଦରରେ ଆଳୁ, ଅଦା ବୋହି ନେଇ ଚାଷୀଙ୍କୁ ଶୋଷଣ କରୁଛନ୍ତି ।
ହେଲେ ଏବେ ଓଡ଼ିଶାରେ ସରକାର ବଦଳିଛି । ନୂଆ ସରକାରଠାରୁ ଅନେକ କିଛି ଆଶା କରୁଛନ୍ତି ରାଜ୍ୟବାସୀ । ଯାହାକି ବିଜେପି ସରକାର ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ । ଚାଷୀଙ୍କ ଆଶା କେତେ ପୂରଣ କରୁଛନ୍ତି ସରକାର, ତାହା ତ ସମୟ କହିବ ।