ହାତୀ ଆକ୍ରମଣରେ ଜଣେ ମୃତ, ୩ ଗୁରୁତର

ଘର ଭିତରେ ପଶି ଆକ୍ରମଣ କଲା ଦନ୍ତାହାତୀ। ହାତୀ ଆକ୍ରମଣରେ ସ୍ତ୍ରୀ ମୃତ ଏବଂ ସ୍ଵାମୀ ଓ ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି। ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ତିଲେଇପଶି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖାଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ବନବିଭାଗ ତଦନ୍ତ ଆରମ୍ଭ କରିଛି।
ବିଳମ୍ବିତ ରାତି ପ୍ରାୟ ୨ ଟାରେ ତିଲେଇପଶି ଗାଁ ଭିତରେ ପଶି ଦନ୍ତାହାତୀ ଉପଦ୍ରବ ନଷ୍ଟ କରିଥିଲା। ରିତୁ ମାହାରଙ୍କ ଘରର କାନ୍ଥ ଭାଙ୍ଗି ଘର ଭିତରେ ପଶି ଥିଲା ହାତୀ। ପରିବାର ଲୋକ ଦୌଡ଼ି ପଳାଇବା ବେଳେ ତାଙ୍କୁ ଆକ୍ରମଣ କରିଥିଲା। ଘର ଭିତରୁ ଟାଣି ଆଣି ତଳେ କଚାଡି ଦେବାରୁ ପୂଜା ମାହାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଥିସହ ରିତୁ ଏବଂ ତାଙ୍କ ଦୁଇ ପୁଅ ଦେବାଶିଷ ଓ ପ୍ରତ୍ୟୁଷ ଗୁରୁତର ଆହତ ହୋଇଛନ୍ତି।
ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ରିଆମାଳ ରେଞ୍ଜର ଏବଂ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ କରୁଥିବା ଜଣାପଡିଛି। ବନବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।