ଆଳୁ ପରେ କନ୍ଦାଇଲାଣି ପିଆଜ : ରସୁଣର ଭାଉ କଥା ଛାଡ଼...

Key Points
- ଆଳୁ ଚିନ୍ତା ସରିନି ପିଆଜ ଡାକ ଦେଲାନି
- ଅମୂଲ ମୂଲ ରସୁଣ
- ୭ ଦିନରେ ରସୁଣ ବଢିଛି ୨ ଶହ
ଅର୍ଗସ ବ୍ୟୁରୋ : ଆଳୁ ପରେ ଏବେ ଟେନସନ୍ ଦେଲାଣି ପିଆଜ ସାଙ୍ଗକୁ ରସୁଣ । ଦର ଏବେ ଆକାଶ ଛୁଆଁ ହେଲାଣି । ଯେହେତୁ କୁକୁଡାକୁ ଏବେ ବ୍ଲାର୍ଡ ଫ୍ଲୁ ଘାରୁଛି ତେଣୁ ମଟନ୍ ଖାଇବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ଆମିଷ ବାରରେ ଛତୁ କି ପନିର ଉପରେ ମାଡ ହେଉଛି । ହେଲେ ବିନା ପିଆଜ ରସୁଣରେ ତରକାରୀ ସ୍ଵାଦ ପୁରା ଫିକା ଫିକା । ବଜାରରେ ଦର ଯାହା ହାତ ମାରି ହେଉନି ରସୁଣ ଦେହରେ। କ୍ୱାଲିଟି ନଥିଲେ ବି ଦର ମହଙ୍ଗା । ସପ୍ତାହେ ତଳେ ଯେଉଁ ରସୁଣ ୧୬୦ରେ ବିକ୍ରି ହେଉଥିଲା ଏବେ ୩୬୦ ରେ ପହଞ୍ଚିଲାଣି । ୭ ଦିନରେ ୨ଶହ ଟଙ୍କା ବଢିଲାଣି। ବଡ ସାଇଜ୍ର ରସୁଣ ତ ଚାରିଶହ ପାର୍ । ସେଇଥି ଲାଗି ତ ୧୦୦ ନହେଲେ ବେଶୀରୁ ବେଶୀ ଅଢେଇ ଶହ ରସୁଣ କିଣୁଛନ୍ତି ଗ୍ରାହକ ।
୧୫ ଦିନ ତଳେ ଆଳୁ ଯେତିକି ଟେନସନ ଦେଉଥିଲା ଏବେ ପିଆଜ ସହ ରସୁଣ ମିଶି ସେତିକି ଟେନସନ ଦେଉଛନ୍ତି । କେଉଁଠି ୫୦ ତ କେଉଁଠି ୫୫ । ସପ୍ତାହ ଭିତରେ ୧୫ ଟଙ୍କା ବଢିଲାଣି। ବ୍ୟବସାୟୀ ତ କହିଲେଣି ଆଗକୁ ଆହୁରି ମହଙ୍ଗା ହେବ । ବାଧୁଥିଲେ ବି ଗ୍ରାହକ ପାଖରେ ଉପାୟ ନାହିଁ । ଅଦା-ରସୁଣ ପେଷ୍ଟରେ କାମ ଚଳିଯିବ ହେଲେ ବିନା ପିଆଜରେ କଣ ରୋଷେଇ ସମ୍ଭବ ?
ସୂଚନା ଅନୁସାରେ, ଗୁଜରାଟ ଓ ୟୁପିରୁ ଓଡ଼ିଶାକୁ ରସୁଣ ଆସିଥାଏ । ହେଲେ ପ୍ରବଳ ବର୍ଷା ଯୋଗୁଁ ଆମଦାନୀ କମିଯାଇଛି । ଜାନୁଆରୀରେ ନୂଆ ଫସଲ ବାହାରିବା ଯାଏଁ ଦର କମିବା ସମ୍ଭାବନା କମ୍ । ପିଆଜ ଅବସ୍ଥା ବି ସମାନ । ବର୍ଷା ଯୋଗୁଁ ମହାରାଷ୍ଟ୍ର ନାସିକରେ ନଷ୍ଟ ହୋଇଯାଇଛି ଫସଲ । ଆନ୍ଧ୍ରରୁ ଆସୁଥିବା ପିଆଜରେ ଅବଶ୍ୟକତା ମେଣ୍ଟୁଥିବା ବେଳେ ସେଠାରେ ବି ଏବେ ବନ୍ୟା ସ୍ଥିତି । ତେଣୁ ଆଗକୁ ପିଆଜ ବେଶ୍ କନ୍ଦାଇବା ନିଶ୍ଚିତ। ତେବେ ଖାଉଟିଙ୍କୁ ରସୁଣ ଓ ପିଆଜ ଦରରୁ କେବେ ମୁକ୍ତି ମିଳୁଛି, ତାକୁ ଅପେକ୍ଷା।
📱 Get Argus News App
✨