ଦିଆଯାଇଛି ଅଲ୍ଟିମେଟମ୍, ଆତ୍ମସମର୍ପଣ ନକଲେ ମୃତ୍ୟୁ ନିଶ୍ଚିତ !

ଶେଷ ନିଶ୍ୱାସ ନେଉଛି ଲାଲ୍ବାହିନୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଛତିଶଗଡ଼ରେ ୧୪ ଇନାମୀ ନକ୍ସଲଙ୍କ ସମେତ ୨୪ କଲେ ଆତ୍ମସମର୍ପଣ । ଶାନ୍ତି ବାର୍ତ୍ତା ପାଇଁ ପୁଣି ପତ୍ର ଜାରି କଲା ମାଓ ସଂଗଠନ ।
ଛତିଶଗଡ଼ର ବିଜାପୁର ପୋଲିସ ନିକଟରେ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ। ଏମାନଙ୍କ ମଧ୍ୟରେ ଅଛନ୍ତି ୧୧ ମହିଳା ନକ୍ସଲ। ଛତିଶଗଡ଼ ବିଜାପୁର ଜିଲ୍ଲା ପୂର୍ବ ବସ୍ତର ଡିଭିଜନ ପରତାପୁର ଏରିଆ କମିଟି ଏବଂ ପଶ୍ଚିମ ବସ୍ତର ଡିଭିଜନ ଭେରମଗଡ ଏରିଆ କମିଟିର ସଦସ୍ୟଙ୍କ ନାଁରେ ୨୮ ଲକ୍ଷ ୫୦ ହଜାର ଟଙ୍କାର ଇନାମ ଘୋଷଣା କରିଥିଲେ ସରକାର। ସମସ୍ତ ନକ୍ସଲ ବିଜାପୁର ଏସପି ଜିତେନ୍ଦ୍ର କୁମାରଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ACM, ପାର୍ଟି ସଦସ୍ୟ, AOB ଡିଭିଜନର PLGA ସଦସ୍ୟ ଭଳି ମାଓବାଦୀ ସାମିଲ ଅଛନ୍ତି।
ସେପଟେ ଛତିଶଗଡ଼ ସୀମାନ୍ତ କରେଗୁଟ୍ଟା ଅପରେସନ ସମୟରେ ପୁନର୍ବାର ଶାନ୍ତି ବାର୍ତ୍ତା ପାଇଁ ପତ୍ର ଜାରି କରିଛି ମାଓ ସଂଗଠନ। ଏବେ ପୁନର୍ବାର କେନ୍ଦ୍ରୀୟ କମିଟିର ପ୍ରବକ୍ତା ଅଭୟ ପତ୍ର ଜାରି କରି ସରକାରଙ୍କୁ ନିବେଦନ କରିଛି ଯେ ଅନୁକୂଳ ବାତାବରଣ ସୃଷ୍ଟି କଲେ ମାଓ ସଂଗଠନ ଶାନ୍ତି ବାର୍ତ୍ତାରେ ସାମିଲ ହେବ ।ତେବେ ଏକ ମାସ ମଧ୍ୟରେ ମାଓ ସଂଗଠନର ଚତୁର୍ଥ ପତ୍ର ହୋଇଥିବା ବେଳେ ବିନା କୌଣସି ସର୍ତ୍ତରେ ମାଓ ସଂଗଠନ ସହ ଶାନ୍ତି ବାର୍ତ୍ତା ନେଇ ଆଲୋଚନା ହେବ ବୋଲି ପୂର୍ବରୁ ଛତିଶଗଡ଼ ସରକାରଙ୍କ ପକ୍ଷରୁ କୁହାଯାଇଥିଲା।
ବାରମ୍ବାର ଚେତେବନୀ ସତ୍ତ୍ବେ ଆତ୍ମସମର୍ପଣ କରୁନଥିବା ମାଓବାଦୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତ ନକ୍ସଲମୁକ୍ତ ହେବ କହି ମାଓବାଦୀଙ୍କୁ ଶୁଣାଇଛନ୍ତି ଚରମବାଣୀ ।
ଗତ କିଛି ମାସ ହେଲା ମାଓ ଦମନରେ ସୁରକ୍ଷାବାହିନୀଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ସଫଳତା ବି ମିଳି ଚାଲିଛି । ଗତ ୩ ମାସ ଭିତରେ ୧୩୦ରୁ ଅଧିକ ମାଓବାଦୀ ନିପାତ ହୋଇଛନ୍ତି । ରାଜ୍ୟସଭାରେ ବିବୃତି ରଖି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଗୋଟିଏ ବର୍ଷରେ ୪୦୦ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ୧୧୦୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୫୭ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି। ସେନା ଉପରେ ୫୩ ପ୍ରତିଶତ ଆକ୍ରମଣ ହ୍ରାସ ପାଇଛି। ପୂର୍ବୋତ୍ତର ରାଜ୍ୟର ୧୦,୯୦୦ ଯୁବକ ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି ।