Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - OPSC ପରୀକ୍ଷାରେ କପି କରି ଧରାପଡ଼ିଲେ ପରୀକ୍ଷାର୍ଥୀ, ଅନ୍ତଃବସ୍ତ୍ରରେ ଲୁଚେଇ ଆଣିଥିଲେ ମୋବାଇଲ ଓ ଇଅରଫୋନ୍

Odisha

OPSC Exam Cheating Case / OPSC ପରୀକ୍ଷାରେ କପି କରି ଧରାପଡ଼ିଲେ ପରୀକ୍ଷାର୍ଥୀ, ଅନ୍ତଃବସ୍ତ୍ରରେ ଲୁଚେଇ ଆଣିଥିଲେ ମୋବାଇଲ ଓ ଇଅରଫୋନ୍

Bikash Mohanty
Browse all articles by Bikash Mohanty
·1 hour ago·3 min read
OPSC ପରୀକ୍ଷାରେ କପି କରି ଧରାପଡ଼ିଲେ ପରୀକ୍ଷାର୍ଥୀ, ଅନ୍ତଃବସ୍ତ୍ରରେ ଲୁଚେଇ ଆଣିଥିଲେ ମୋବାଇଲ ଓ ଇଅରଫୋନ୍
OPSC

Key Points

ଫିଲ୍ମ ଷ୍ଟାଇଲରେ କପି, ଧରାପଡ଼ିଲେ ପରୀକ୍ଷାର୍ଥୀ
ଓଡ଼ିଶା ସିଭିଲ ସର୍ଭିସର ପ୍ରିଲିମସ୍ ପରୀକ୍ଷାରେ କପି କରୁଥିଲେ
ପରୀକ୍ଷାର୍ଥୀଙ୍କୁ ସହଯୋଗ କରୁଥିବା ଅନ୍ୟ ୩ ଜଣ ମଧ୍ୟ ଧରା ପଡିଲେ
ଅନ୍ତବସ୍ତ୍ରରେ ମୋବାଇଲ ଫୋନ ଓ ଇଅରଫୋନ୍ ଲୁଚେଇ ଆଣିଥିଲେ
ମର୍କତନଗର ଥାନାରେ OPSC କର୍ତ୍ତୃପକ୍ଷଙ୍କ ତରଫରୁ ଏତଲା

କଟକ,୦୮/୦୬ଓଡ଼ିଶା ସିଭିଲ ସର୍ଭିସର ପ୍ରିଲିମସ୍ ପରୀକ୍ଷାରେ ମୁନ୍ନା ଭାଇ MBBS ଭଳି କପି ଧରା ପଡ଼ିଲେ ପରୀକ୍ଷାର୍ଥୀ ଅବିନାଶ ରାଉତ।  ତାଙ୍କୁ ସହଯୋଗ କରୁଥିବା ଅନ୍ୟ ୩ ସହଯୋଗୀ ମଧ୍ୟ ଧରା ପଡିଛନ୍ତି। କଟକ ସିଡିଏରେ ଥିବା ଏକ ଘରୋଇ ଇଞ୍ଜିନିଅରିଂ କଲେଜରେ ଚାଲିଥିବା ଓସିଏସ ପ୍ରିଲିମସ୍ ପରୀକ୍ଷାରେ ଅଭିଷେକ ରାଉତ ଚଞ୍ଚକତା କରି ଫୋନ ଓ ଇଅରଫୋନ୍ ବ୍ୟବହାର କରି ଏହି ପରୀକ୍ଷାରେ କପି କରି ପରୀକ୍ଷା ଦେଉଥିଲେ।

ଅବିନାଶଙ୍କ ଅନ୍ତଃବସ୍ତ୍ର ଭିତରେ ଥିଲା ଫୋନ୍‌ । ଲମ୍ବା ଚୁଟି ଭିତରେ ଲୁଚେଇ ରଖାଯାଇଥିଲା ଇୟର୍‌ବଡ୍‌ । ଫୋନ୍‌ କଲ୍‌ରେ ଡକାଯାଉଥିଲା ପ୍ରଶ୍ନ । ପ୍ରଶ୍ନ ଶୁଣି ଗୁଗୁଲ୍‌ ସର୍ଚ୍ଚ କରି ଜଣେ ଯୁବକ ଦେଉଥିଲେ ଉତ୍ତର। ପୂରା ବଲିଉଡ୍‌ ଫିଲ୍ମ ମୁନ୍ନା ଭାଇ ଏମ୍‌ବିବିଏସ୍‌ ଢାଞ୍ଚାରେ ଓଡ଼ିଶା ପ୍ରଶାସନିକ ସେବା (ଓପିଏସ୍‌ସି) ପରୀକ୍ଷାରେ କରାଯାଉଥିଲା କପି । ହଠାତ୍‌ ସ୍କ୍ୱାଡ୍‌ ପଶି ଯାଞ୍ଚ୍‌ କରିବାରୁ ଧରାପଡ଼ିଗଲେ ଛାତ୍ର ଜଣକ । ତୁରନ୍ତ ସେଣ୍ଟରରୁ ବାହାର କରି ମର୍କତନଗର ଥାନା ପୁଲିସ ଜିମା ଦିଆଗଲା ସଂପୃକ୍ତ ମୁନ୍ନା ଭାଇକୁ।

କପି କରି ଧରାପଡିଥିବା ସଂପୃକ୍ତ ପରୀକ୍ଷାର୍ଥୀ ହେଉଛନ୍ତି କଟକ ଚାଉଳିଆଗଞ୍ଜ ଅଞ୍ଚଳର। ଉକ୍ତ ଛାତ୍ରଙ୍କୁ କପି କରିବାରେ ସହଯୋଗ କରୁଥିବା ଅନ୍ୟ ୩ ଜଣ ମଧ୍ୟ ଗିରଫ ହୋଇଛନ୍ତି । ତନ୍ମଧ୍ୟରୁ ଫୋନ୍‌ରେ ପ୍ରଶ୍ନ ଶୁଣି ଉତ୍ତର ଦେଉଥିବା ଜଗତସିଂହପୁର ଅଞ୍ଚଳର ଯୁବକ ଜଣକ ଏକ କୋଚିଂ ସେଣ୍ଟର ସହିତ ଜଡ଼ିତ ଥିବା କୁହାଯାଉଛି । ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ସଂପୂର୍ଣ୍ଣ ଘଟଣା ବିଷୟରେ ଜାଣିଥିବାରୁ ଏହି କାରବାରରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସାମିଲ ଥିବା ପୁଲିସ କହିଛି । ସେହି ଦୁଇ ଯୁବକ ସିଡିଏରେ ରହୁଥିବା ବେଳେ ଉଭୟଙ୍କ ଘର ଢେଙ୍କାନାଳ ଓ ଝାଡ଼ଖଣ୍ଡରେ । ଅଭିଯୁକ୍ତଙ୍କଠାରୁ ମର୍କତନଗର ଥାନା ପୁଲିସ ୪ଟି ଫୋନ୍‌, ଗୋଟିଏ ଇୟରବଡ୍‌ ଓ ଅନ୍ୟ କିଛି ଜିନିଷପତ୍ର ଜବତ କରିଛି।

ପଢନ୍ତୁ ଏହି ଖବର: ବୈଷୟିକ ଶିକ୍ଷାରେ ST,SC ଓ SCBC ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ

ଗତକାଲି ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍‌) ପରୀକ୍ଷା ଆୟୋଜିତ ହୋଇଥିଲା । ମର୍କତନଗର ଥାନା ଅନ୍ତର୍ଗତ ଏକ ଇଂଜିନିୟରିଂ କଲେଜରେ ସେଣ୍ଟର୍‌ ହୋଇଥିଲା । ଉକ୍ତ ସେଣ୍ଟରରେ ଶତାଧିକ ଆଶାୟୀ ପରୀକ୍ଷା ଦେଉଥିଲେ । ସେମାନଙ୍କ ମଧ୍ୟରେ ଚାଉଳିଆଗଞ୍ଜ ଅଞ୍ଚଳର ଜଣେ ଯୁବକ ମଧ୍ୟ ପରୀକ୍ଷା ଦେଉଥିଲେ । ହଠାତ୍‌ ସେଣ୍ଟର ମଧ୍ୟକୁ ସ୍କ୍ୱାଡ୍‌ ଆସି ତନଖି କରିଥିଲେ । ଇତିମଧ୍ୟରେ ଉକ୍ତ ଯୁବକଙ୍କ ଗତିବିଧି ନେଇ ସ୍କ୍ୱାଡ୍‌ର ସନ୍ଦେହ ହୋଇଥିଲା । ତେଣୁ ସ୍କ୍ୱାଡ୍‌ ସେଠାରେ ଯାଞ୍ଚ୍‌ କରିବାରୁ ଯୁବକଙ୍କ କାନ ତଳୁ ଏକ ଇୟର୍‌ ବଡ୍‌ ଓ ଅନ୍ତଃବସ୍ତ୍ର ତଳୁ ଏକ ସ୍ମାର୍ଟଫୋନ୍‌ ମିଳିଥିଲା । ଏହି ସମୟରେ ଏକ କଲ୍‌ ଚାଲିଥାଏ । ଜଣେ ଯୁବକଙ୍କ ସହିତ କଲ୍‌ କନେକଟେଡ୍‌ ରହିଥାଏ । ସ୍କ୍ୱାଡ୍‌ ସଦସ୍ୟ ତୁରନ୍ତ ଉକ୍ତ ଯୁବକଙ୍କୁ ସେଣ୍ଟର୍‌ରୁ କାଢ଼ିଦେଇ ପୁଲିସ ଜିମା ଦେଇଥିଲେ । ମର୍କତନଗର ଥାନାକୁ ମଧ୍ୟ ଅବଗତ କରାଗଲା । ଏହାପରେ ପୁଲିସ ତତ୍ପରତା ଦେଖାଇଥିଲା । ଯେଉଁ ନମ୍ବରରୁ ଫୋନ୍‌ ଆସିଥିଲା ତାର ଲୋକେସନ୍‌ ବେଲଭିଉ ଛକ ଦେଖାଉଥିଲା । ପୁଲିସ ସେଠାରେ ଚଢ଼ଉ କରି ଉକ୍ତ ଯୁବକଙ୍କୁ ଧରିଥିଲା । ଦୁଇ ଯୁବକଙ୍କୁ ଥାନାକୁ ନେଇ ଜେରା କରିବା ପରେ ସଂପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ତେବେ ପରୀକ୍ଷାର୍ଥୀଙ୍କ ବିରୋଧରେ Odisha Public Examinations (Prevention of Unfair Means) Act, 2024 ଓ Cheating ପାଇଁ BNS ର ଧାରା ୩୧୮ ରେ ମାମଲା ରୁଜୁ କରିଛି ମର୍କତନଗର ଥାନା ପୋଲିସ।

ଦୀର୍ଘ ଦିନ ହେବ ଯୁବକ ଜଣକ ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିଲେ । ତେଣୁ ସେ ଏଭଳି ପନ୍ଥା ଆପଣାଇଥିବା ସ୍ୱୀକାର କରିଛନ୍ତି । ତେବେ ଉକ୍ତ ଯୁବକଙ୍କ ହ୍ୱାଟ୍‌ସଆପ୍‌ ଚାଟ୍‌ ଦେଖିବାରୁ ଏହି କପି କରିବା ବିଷୟ ଅନ୍ୟ ଦୁଇ ଜଣ ଯୁବକ ପୂର୍ବରୁ ଜାଣିଥିବା କଥା ପଦାକୁ ଆସିଥିଲା । ପରେ ପୁଲିସର ଅନ୍ୟ ଏକ ଟିମ୍‌ ସିଡିଏ ଅଞ୍ଚଳରେ ଚଢ଼ଉ କରି ଢେଙ୍କାନାଳ ଓ ଝାଡ଼ଖଣ୍ଡର ଅନ୍ୟ ଦୁଇ ଛାତ୍ରଙ୍କୁ ଗିରଫ କରିଥିଲା । ଦୁହେଁ ସିଡିଏରେ ରହି ବିଭିନ୍ନ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିଲେ। ୪ ଜଣ ଯୁବକଙ୍କୁ ମର୍କତନଗର ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏଭଳି ହାଇଟେକ୍‌ ଢଙ୍ଗରେ ଓପିଏସ୍‌ସି ପରୀକ୍ଷାରେ କପି କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OPSC Exam Cheating Case: Candidate Caught with Mobile and Earphone Hidden in Undergarments | Argus News