ତାତିରୁ ଆଶ୍ଵସ୍ତି: ୨୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖି ବର୍ଷା, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ଵର: ଗ୍ରୀଷ୍ମପ୍ରବାହରୁ କାଳବୈଶାଖି ଆଶ୍ଵସ୍ତି ଦେଇଛି । କାଳବୈଶାଖି ପାଇଁ ତାତି ଖସିଥିବା ବେଳେ ଆଗକୁ ତାପମାତ୍ରା ଆହୁରି ହ୍ରାସ ପାଇବା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁସାରେ, ଆଗାମୀ ୩ ଦିନରେ ସର୍ବୋଚ୍ଚ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ସେହିଭଳି ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ ।
ରାଜ୍ୟରେ ୨୪ ତାରିଖ ପର୍ଯ୍ୟନ୍ତ ରହିବ କାଳବୈଶାଖି ପ୍ରଭାବ । ଏନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଛି । ଉତ୍ତର ଓଡ଼ିଶା ସହ ପଶ୍ଚିମ ଓ ଆଭ୍ୟନ୍ତରୀଣ ଏବଂ ଉପକୂଳରେ କାଳବୈଶାଖି ବର୍ଷା ସମ୍ଭାବନା ରହିଛି । ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଦେବଗଡ଼, ଯାଜପୁର, ବରଗଡ଼, ଦେବଗଡ଼ ଓ କଟକ ଜିଲ୍ଲାକୁ ଆଲର୍ଟ କରାଯାଇଛି ।
କାଳବୈଶାଖି ସମୟରେ ପାଗ ଓ ବଜ୍ରପାତକୁ ଦେଖି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । କାଳବୈଶାଖି ସମୟରେ ଘଣ୍ଟାପ୍ରତି ପବନର ବେଗ ୩୫ରୁ ୪୫ କିଲୋମିଟର ଏବଂ ଘଣ୍ଟାପ୍ରତି ୫୫ କିଲୋମିଟର ବେଗରେ ଝଟ୍କା ପବନ ବାଲେଶ୍ଵର, ଭଦ୍ରକ ଉପକୂଳରେ ବହିପାରେ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ବାରଣ କରାଯାଇଛି ।
📱 Get Argus News App
✨
୨୧ ତାରିଖରେ କାଳବୈଶାଖି ନେଇ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ ଦେବଗଡ଼କୁ ଅରେଞ୍ଜ ଆଲର୍ଟ ରହିଛି । ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ସହ ବଜ୍ରପାତ ହୋଇପାରେ ।
୨୨ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼କୁ କାଳବୈଶାଖି ନେଇ ଅରେଞ୍ଜ ଆଲର୍ଟ ରହିଛି । ମୟୂରଭଞ୍ଜ. କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ସହ ବଜ୍ରପାତ ହୋଇପାରେ । ୨୩ ଓ ୨୪ରେ କାଳବୈଶାଖି ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି ।