ବେଆଇନ ଆପାର୍ଟମେଣ୍ଟରେ ଚାଲିବ ବୁଲଡୋଜର

Key Points
- ବେଆଇନ ଆପାର୍ଟମେଣ୍ଟରେ ଚାଲିବ ବୁଲଡୋଜର
- ୧୯୧ ଘର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ସରକାର
- ବିଧାନସଭାରୁ ଆସିଲା ଚମକାଇଦେବା ପରି ତଥ୍ୟ
ଅର୍ଗସ ବ୍ୟୁରୋ : ଭୁବନେଶ୍ଵରରେ ଭଙ୍ଗାଯିବ ବଡ଼ବଡ଼ ଘର । ଗୋଟିଏ କି ଦୁଇଟି ନୁହେଁ ବରଂ ଏକା ସାଙ୍ଗରେ ୧୯୧ ଘର ଭାଙ୍ଗିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଯାହାକୁ ନେଇ ପୁରା ରାଜଧାନୀରେ ଜୋର ଧରିଲାଣି ଚର୍ଚ୍ଚା । କାରଣ ବିଜେଡି ସରକାର ନାକ ତଳେ ଚାଲିଥିଲା ବେଆଇନ କାରବାର । ହେଲେ ନୂଆ ସରକାର ଧରିଲେ ବେଆଇନ୍ ନିର୍ମାଣ । ସୂଚନା ଅନୁସାରେ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ- BDA ଅଧୀନରେ ହୋଇଥିବା ବେଆଇନ ଆପାର୍ଟମେଣ୍ଟ ଉପରେ ଚାଲିବ ବୁଲଡୋଜର । ବିଲଡରଙ୍କୁ ଅନୁକଂପା ଦେଖାଇ ରାଜଧାନୀରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଶହ ଶହ କୋଠାବାଡ଼ି ମଧ୍ୟରୁ ୧୯୧ଟି ଭାଙ୍ଗିବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ହଇଚଇ ।
ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ରଖି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ରାଜଧାନୀରେ ୧୯୧ଟି ମାମଲାରେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଡିଏ ଅଧୀନରେ ବେଆଇନ ଭାବେ ଗଢ଼ି ଉଠିଥିବା ଆପାର୍ଟମେଣ୍ଟ ଓ କୋଠାବାଡ଼ି ନିର୍ମାଣ ବିରୋଧରେ ମୋଟ୍ ୪୯୧ ଟି ମାମଲା ରୁଜୁ ହୋଇଥିଲା। ସେଥିରୁ ୬୩ ଟି ମାମଲା ଖାରଜ ହୋଇଥିବା ବେଳେ ୨୩୭ଟି ମାମଲା ଏବେ ବି ବିଚାରାଧୀନ ରହିଛି।
କେବଳ BDA ନୁହେଁ ବେଆଇନ କୋଠାବାଡ଼ି ନିର୍ମାଣ ବେଳେ BMC ବି ଆଖି ବୁଜି ଦେଇଥିଲା। ଯେଉଁଥିପାଇଁ ବେଆଇନ ନିର୍ମାଣ ନେଇ ୧୪୪୪ ଟି ମାମଲା ରୁଜୁ ହୋଇଥିବା ବେଳେ ୯୯୩ଟି ମାମଲା ଏବେ ବି ବିଚାରଧୀନ ରହିଛି । ସରକାରୀ ଜମିକୁ କେମିତି ମନଇଚ୍ଛା BMC ଓ BDA ବିଲଡରଙ୍କୁ ଦେଇଛନ୍ତି, ତାହା କିଛି ଦିନ ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ କରିଥିବା ଚିଠିରୁ ସ୍ପଷ୍ଟ ଜଣାପଡ଼ିଛି । କେଉଁ ପରିସ୍ଥିତିରେ ବିଭାଗର ବିନା ଅନୁମତିରେ ବିଲ୍ଡିଂ ପ୍ଲାନ ଅନୁମୋଦନ କରିଛ ସ୍ପଷ୍ଟୀକରଣ ଦିଅ ବୋଲି କହିଛି ସାଧାରଣ ପ୍ରଶାସନ ବିଭାଗ ।
📱 Get Argus News App
✨ଗୁରୁତ୍ଵପୂର୍ଣ୍ଣ କଥା ହେଲା ରାଜଧାନୀରେ ଏବେ ମାଳମାଳ ବେଆଇନ କୋଠା ତିଆରି ହୋଇଥିବା ଜଣାପଡ଼ିବା ପରେ ଆକ୍ସନ ମୋଡ୍ରେ ସରକାର ଅଛନ୍ତି । ହେଲେ ଏହି ବେଆଇନ କୋଠା ପଛରେ ଯେଉଁମାନଙ୍କ ହାତ ରହିଛି ସେମାନଙ୍କ ବିରୋଧରେ କି ଆକ୍ସନ ନିଆଯାଉଛି ତାହା ସମୟ କହିବ ।