ଅଗଷ୍ଟ ୩୧ରେ ହେବ ନାହିଁ ସ୍ଵତନ୍ତ୍ର OTET ପରୀକ୍ଷା, ଶୀଘ୍ର ନୂଆ ତାରିଖ ଘୋଷଣା କରିବ ବୋର୍ଡ

Key Points
ଅଗଷ୍ଟ ୩୧ରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ଥଗିତ ରଖାଯାଇଛି । ଅନିବାର୍ଯ୍ୟ କାରଣବଶତଃ ସ୍ଵତନ୍ତ୍ର OTET ପରୀକ୍ଷା ସ୍ଥଗିତ ରଖା ଯାଇଥିବା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
କଟକ: ସ୍ଵତନ୍ତ୍ର OTET ପରୀକ୍ଷା ସ୍ଥଗିତ । ଅଗଷ୍ଟ ୩୧ରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ଥଗିତ ରଖାଯାଇଛି । ଅନିବାର୍ଯ୍ୟ କାରଣବଶତଃ ସ୍ଵତନ୍ତ୍ର OTET ପରୀକ୍ଷା ସ୍ଥଗିତ ରଖା ଯାଇଥିବା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି ।
ତେବେ କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ସ୍ଵତନ୍ତ୍ର OTET ପରୀକ୍ଷାକୁ ବୋର୍ଡ ସ୍ଥଗିତ ରଖିଲା ସେ ନେଇ କିଛି କୁହାଯାଇ ନାହିଁ । ଅଗଷ୍ଟ ୩୧ରେ ଦୁଇଟି ସିଟିଂରେ ସ୍ଵତନ୍ତ୍ର OTET ପରୀକ୍ଷା ହେବାର ଥିଲା । ତା'ପୂର୍ବରୁ ଜୁଲାଇ ୨୦ରେ ସ୍ଵତନ୍ତ୍ର OTET ହେବା ନେଇ ସ୍ଥିର ହୋଇଥିଲା । ତେବେ OTET ପ୍ରଶ୍ନପତ୍ର ଲିକ୍ ପରେ ଜୁଲାଇ ୨୦ରେ ହେବାକୁ ଥିବା ପରୀକ୍ଷାକୁ ବୋର୍ଡ ବାତିଲ୍ କରିଥିଲା ।
ଏବେ କ୍ରାଇମବ୍ରାଞ୍ଚ ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ଜାରି ରଖିଛି । ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ମାମଲାରେ ୮ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତି, ଡାଟାଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ସହ ରାୟଗଡ଼ାର ଶିକ୍ଷକ ନେତା ବିଜୟ ମିଶ୍ର ଅଛନ୍ତି ।
ସେପଟେ କ୍ରାଇମବ୍ରାଞ୍ଚ ଗୁରୁବାର ଅନ୍ୟତମ ଦୁଇ ଅଭିଯୁକ୍ତ ରାମଜି ପ୍ରସାଦ ଗୁପ୍ତା ଓ ସନାତନ ବିଷୋୟୀଙ୍କୁ ରିମାଣ୍ଡରେ ଆଣିଛି । ଉଭୟଙ୍କୁ ଦିନକ ପାଇଁ ଚୌଦ୍ଵାର ଜେଲରୁ କ୍ରାଇମବ୍ରାଞ୍ଚ୍ ମୁଖ୍ୟାଳୟ ଆଣି ଜେରା କରାଯାଇଛି । ଆଜି ଦିନ ୨ ଟାରୁ ଆସନ୍ତାକାଲି ଦିନ ୨ ଟା ପର୍ଯ୍ୟନ୍ତ ଉଭୟ ରିମାଣ୍ଡରେ ରହିବେ ।
📱 Get Argus News App
✨
ଏହା ପୂର୍ବରୁ ୧୧ ଓ ୧୨ ତାରିଖ ଦୁଇ ଦିନିଆ ରିମାଣ୍ଡରେ ଆସିଥିଲେ ବୋର୍ଡ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ ମିଶ୍ର । ନିହାର ରଞ୍ଜନ ମହାନ୍ତିଙ୍କ ଲ୍ୟାପଟପରୁ କିପରି ପ୍ରଶ୍ନପତ୍ର ଚୋରି କରିଥିଲା ଜିତନ, କିପରି ପ୍ରଶ୍ନପତ୍ର ଥିବା ପେନ୍ ଡ୍ରାଇଭ୍ ଓ ହାର୍ଡକପିକୁ ଏକ କାର ଯୋଗେ କଟକରୁ ନୟାଗଡ଼କୁ ଜିତନ ପଠାଇଥିଲା ରିମାଣ୍ଡ ସମୟରେ ସବୁ ବଖାଣିଥିଲା ।