Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Paddy Procurement / ଚାଷୀଙ୍କ ପାଇଁ ଖୁସି ଖବର... ଆଜିଠୁ ଧାନକିଣା

Rashmita Mishra
Browse all articles by Rashmita Mishra
·7 months ago·2 min read
ଚାଷୀଙ୍କ ପାଇଁ ଖୁସି ଖବର... ଆଜିଠୁ ଧାନକିଣା

Key Points

ରାଜ୍ୟରେ ମଙ୍ଗଳବାରଠାରୁ ଧାନକିଣା ଆରମ୍ଭ ହେବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ୩୧୩୪ଟି ସେବା ସମବାୟ ସମିତି ଓ ଲ୍ୟାମ୍ପ୍‌ସ ଧାନ ସଂଗ୍ରହରେ ସାମିଲ ହେବେ ।

ଚାଷୀଙ୍କ ପାଇଁ ଖୁସି ଖବର... ରାଜ୍ୟରେ ମଙ୍ଗଳବାରଠାରୁ ଧାନକିଣା ଆରମ୍ଭ ହେବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ବଳସାମନ୍ତ କହିଛନ୍ତି, ଚାଷୀଙ୍କ ପାଇଁ ମଣ୍ଡିଗୁଡ଼ିକରେ ଏଥର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ମଣ୍ଡିରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା କରାଯାଇଛି ।

ଠିକ୍‌ ସମୟରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ୍‌ ମାଲିକଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଧାନ କିଣା ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କଟ୍‌ନି ଛଟ୍‌ନି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଗତ ୨୦ ତାରିଖରୁ ଧାନ ସଂଗ୍ରହ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଧାନ ସଂଗ୍ରହ ନେଇ ଶନିବାର ଏକ ବୈଠକ ହୋଇଥିଲା । ସେଥିରେ କରାଯାଇଥିବା ଆଲୋଚନା ମୁତାବକ, ଚଳିତ ବର୍ଷ ୩୧୩୪ଟି ସେବା ସମବାୟ ସମିତି ଓ ଲ୍ୟାମ୍ପ୍‌ସ ଧାନ ସଂଗ୍ରହରେ ସାମିଲ ହେବେ।

ଏହାସହିତ ୧୪୧୯ କଷ୍ଟମ ମିଲର ଧାନ ସଂଗ୍ରହ କରିବେ ବୋଲି ଧାନସଂଗ୍ରହ ସମୀକ୍ଷା ବୈଠକରୁ ଜଣାଯାଇଛି। ଚଳିତ ବର୍ଷ ୪୦୮୮ଟି ମଣ୍ଡି,ଏଫ୍‌ସିଆଇ ଏବଂ ଯୋଗାଣ ନିଗମର ୧୬୩ଟି ଗୋଦାମ ଘରକୁ ମିଶାଇ ରାଜ୍ୟରେ ସର୍ବମୋଟ ୬.୬୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଭଣ୍ଡାର କ୍ଷମତା ରହିଛି ।

ସବୁ ଜିଲାରେ ଚାଷୀ ପଞ୍ଜୀକରଣ କାର୍ଯ୍ୟ ସରିଛି। ଶୀଘ୍ର ଧାନ ସଂଗ୍ରହ କରୁଥିବା ଜିଲାକୁ ୨୫ ନଭେମ୍ବର ଏବଂ ବିଳମ୍ବରେ ଧାନ ସଂଗ୍ରହ କରୁଥିବା ଜିଲାକୁ ନଭେମ୍ବର ୩୦ ତାରିଖ ସୁଦ୍ଧା କୃଷକଙ୍କ ଜମି ଅନୁସାରେ ଆବଶ୍ୟକ ପ୍ରମାଣୀକୃତ ବ୍ୟବସ୍ଥା ସାରିବାକୁ ମୁଖ୍ୟସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟ ସଚିବ ଖରିଫ ଋତୁ ଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪-୨୫ ଖରିଫ୍‌ ମାର୍କେଟିଂ ଋତୁରେ ୭୩ ଲକ୍ଷ ୪୫ ହଜାର ୭୦୭ ମେଟ୍ରିକ୍‌ ଟନ୍‌ ଏବଂ ରବିଋତୁରେ ୧୯ ଲକ୍ଷ ୧୮ ହଜାର ୫୨୮ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ସେହି ଅନୁପାତରେ ଯେତେ ପରିମାଣର ଚାଉଳ ସଂଗ୍ରହ ହେବା କଥା,ସେଥିରୁ ୭୨ ପ୍ରତିଶତ ସଂଗ୍ରହ ହୋଇଛି ଓ ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି ।

ଗତ ୨୦୨୩ -୨୪ ବର୍ଷରେ ୮୫ ପ୍ରତିଶତ ଚାଉଳ ସଂଗ୍ରହ ହୋଇଥିଲା । ୨୦୨୫-୨୬ ବର୍ଷ ପାଇଁ ୧୯.୬୮ ଲକ୍ଷ ଚାଷୀ ଧାନ ବିକ୍ରୟ ପାଇଁ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ଏହି ସଂଖ୍ୟା ୧୭.୫୦ ଲକ୍ଷ ଥିଲା। ଏ ବର୍ଷ ୯୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ଉଭୟ ଖରିଫ ଓ ରବି ଋତୁ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Paddy Procurement | Good News for Farmers: Government Starts Paddy Procurement from Today | Argus News