କାଲିଠୁ ଆରମ୍ଭ ହେବ ଧାନକିଣାର ମହାପର୍ବ

ଅର୍ଗସ ବ୍ୟୁରୋ: ଅମଳ ହୋଇ ସାରିଛି ସୁନାର ଫସଲ । ମଣ୍ଡିରେ ସରିଛି ସମସ୍ତ ପ୍ରସ୍ତୁତି। ଆଉ ଏପଟେ ଚାଷୀ ଅପେକ୍ଷା କରିଛି ମଣ୍ଡି ଖୋଲିବ ଆଉ ପ୍ରଥମ ଥର ପାଇଁ 3100 ଶହ ଟଙ୍କାରେ ବିକ୍ରି କରିବ ତାର କଷ୍ଟ ଉପାର୍ଜିତ ଧାନ। ନବୀନଙ୍କ ପ୍ରତିଶ୍ରୁତି ଯେଉଁଠି ପ୍ରତାରଣାରେ ପରିଣତ ହୋଇଥିଲା ସେହି ବରଗଡ଼ର ସୋହେଲାରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା। ଆସନ୍ତାକାଲି ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ମଣ୍ଡି ଖୋଲିବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପୁରା ତତ୍ପର। ବିଭିନ୍ନ ମଣ୍ଡିକୁ ଯାଇ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଖୋଦ ଜିଲ୍ଲାପାଳ।
ଆନୁସଙ୍ଗିକ ବ୍ୟବସ୍ଥା ସହ ନୋ ମିଡିଲ୍ ମ୍ୟାନ ପଲିସିରେ କେମିତି ଚାଷୀ ଧାନ ବିକ୍ରି କରିବେ ସେଥିପାଇଁ ବିଭାଗୀୟ ଅଧିକାରୀ ଓ ଦାୟିତ୍ବରେ ଥିବା ନୋଡାଲ ଅଫିସରଙ୍କ ସହ କରିଛନ୍ତି ଆଲୋଚନା। ଖୋଦ ଖାଦ୍ୟଯୋଗାଣ ମନ୍ତ୍ରୀ ବରଗଡ଼ ଜିଲ୍ଲାରେ ମଣ୍ଡି ଖୋଲିବା ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଆସନ୍ତାକାଲି ମଣ୍ଡି ଖୋଲିବା ପରେ ନିଜେ ବିଭିନ୍ନ ମଣ୍ଡିକୁ ଯାଇ ଧାନ କିଣା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିବେ। ଚାଷୀ କେମିତି ଲାଭବାନ ହେବେ, କେମିତି ଦଲାଲ ମୁକ୍ତ ହେବ ମଣ୍ଡି ସେନେଇ ଅଧିକ ଧ୍ୟାନ ଦିଆଯାଉଥିବା କହିଛନ୍ତି ଖାଦ୍ୟଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
କେବଳ ବରଗଡ଼ ଜିଲ୍ଲାରେ 1 ଲକ୍ଷ 55 ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିଥିବା ବେଳେ 229ଟି ପ୍ପ୍ୟାଡି ପ୍ରୋକ୍ୟୁରମେଣ୍ଟ ସେଣ୍ଟରରେ କିଣାଯିବ ଧାନ। ପୂର୍ବ ଘୋଷଣା ମୁତାବକ ଚଳିତ ଖରିଫ ଧାନକିଣାରେ ମିଲର୍ସ କିଣିପାରିବେ ନାହିଁ ଧାନ। ସମବାୟ ସଂସ୍ଥା କିମ୍ବା କେନ୍ଦ୍ରୀୟ ସଂସ୍ଥା ସିଧାସଳଖ ଚାଷୀଙ୍କଠାରୁ ଧାନ କିଣିବେ। ଧାନ କିଣାରେ ଅବ୍ୟବସ୍ଥାକୁ ବାଦ୍ ଦେବାକୁ ପ୍ରତି ମଣ୍ଡି ଦାୟିତ୍ବରେ ରହିଛନ୍ତି ଜଣେ ଜଣେ ନୋଡାଲ ଅଫିସର। 4-5ଟି ମଣ୍ଡି ପାଇଁ ଜଣେ ଜଣେ ସୁପରଭାଇଜରଙ୍କୁ ଦାୟିତ୍ବ ଦିଆଯାଇଛି। ମଣ୍ଡିରେ ଶୌଚାଳୟଠାରୁ ପାନୀୟ ଜଳ ପର୍ଯ୍ୟନ୍ତ ସମସ୍ତ ସୁବିଧା କରାଯାଇଛି।
ପ୍ରତିବର୍ଷ ଟୋକନକୁ ନେଇ ସମସ୍ୟା ଦେଖାଦେଉଥିବା ବେଳେ ଏଥର ଟୋକନର ସମୟସୀମା ବୃଦ୍ଧି କରିପାରିବେ ଖୋଦ ଜିଲ୍ଲାପାଳ। 24 ବର୍ଷର ଅବହେଳା ଆଉ ଯନ୍ତ୍ରଣା ପରେ ଚାଷୀଯୁଗର ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ଚାଷୀଙ୍କ ମନରେ ବେଶ ଉତ୍ସାହ।
📱 Get Argus News App
✨ଏଥର ଖରିଫରେ ଧାନ ବିକିବା ପାଇଁ 17 ଲକ୍ଷ 49 ହଜାର ଚାଷୀ ନାଁ ପଞ୍ଜିକରଣ କରିଛନ୍ତି... ଧାନ ବିକ୍ରି କରିସାରିବା ପରେ 48 ଘଣ୍ଟା ମଧ୍ୟରେ ଆକଉଣ୍ଟରେ ମିଳିଯିବ ପ୍ରାପ୍ୟ। ଏମଏସପି ବାବଦକୁ 2300 ଟଙ୍କା ଲେଖାଏଁ ମିଳିବ। ବାକି 800 ଟଙ୍କା ବୋନସ୍ ଡିସେମ୍ବର 8 ତାରିଖର ମିଳିବ ।