Videos
|
Odisha

Odia Cultural Heritage / ପାଲା ବଞ୍ଚିଲେ ବଞ୍ଚିବ ଓଡ଼ିଆ ଅସ୍ମିତା… ସଙ୍କଟରେ ହଜାର ହଜାର କଳାକାରଙ୍କ ଜୀବିକା

Ritu Das
Browse all articles by Ritu Das
·1 hour ago·3 min read
ପାଲା ବଞ୍ଚିଲେ ବଞ୍ଚିବ ଓଡ଼ିଆ ଅସ୍ମିତା… ସଙ୍କଟରେ ହଜାର ହଜାର କଳାକାରଙ୍କ ଜୀବିକା
India

Key Points

ଓଡ଼ିଆ ଅସ୍ମିତାର ଜୀବନ୍ତ ପରିଚୟ ପାଲା
ସଙ୍କଟରେ ୨୦ ହଜାର କଳାକାରଙ୍କ ଭବିଷ୍ୟତ

ପାଲାର ମଞ୍ଚରେ କେବଳ ଗୀତ, ସଙ୍ଗୀତ ଓ ଅଭିନୟର ମନୋରଞ୍ଜନ ନଥାଏ, ରହିଥାଏ ଜୀବନ ଜିଇଁବାର କଳା, ନୈତିକତାର ଶିକ୍ଷା ଓ ମଣିଷପଣିଆର ମହକ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଉତ୍କଳୀୟ ଅସ୍ମିତାର ଏକ ଜୀବନ୍ତ ପ୍ରତୀକ ହେଉଛି ପାଲା। ପୁରାଣ, ଶାସ୍ତ୍ର, ପ୍ରାଚୀନ କବିଙ୍କ କାବ୍ୟ ଓ ଉପାଖ୍ୟାନକୁ ଆଧାର କରି ଏହା ମଣିଷକୁ ଧର୍ମ, କର୍ମ, ସତ୍ୟ, ନ୍ୟାୟ ଓ ମାନବିକତାର ମୂଲ୍ୟବୋଧ ଶିଖାଇଥାଏ । ପାଲାକୁ କେବଳ ମନୋରଞ୍ଜନଧର୍ମୀ କଳା କହିବା ଅପେକ୍ଷା ମନୋବ୍ୟଞ୍ଜନଧର୍ମୀ କଳା କହିବା ଅଧିକ ଯଥାର୍ଥ।

କାରଣ, ଏହା ମଣିଷକୁ ହସାଇବା ସହ ଚିନ୍ତା କରିବାକୁ ଏବଂ ନିଜ ଜୀବନକୁ ପରିମାର୍ଜିତ କରିବାକୁ ପ୍ରେରଣା ଦିଏ । ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଉପଭୋଗ କରିବା ସହ ଅନେକ କିଛି ଶିଖିବାର ସୁଯୋଗ ମଧ୍ୟ ପାଇଥାନ୍ତି । ଏହା ହିଁ ପାଲାର ଅନନ୍ୟ ସ୍ୱତନ୍ତ୍ରତା। ପାଲା ପ୍ରତି ଆକର୍ଷଣ କେବଳ ସାଧାରଣ ଲୋକଙ୍କ ମଧ୍ୟରେ ସୀମିତ ନୁହେଁ । ବହୁ ଉଚ୍ଚଶିକ୍ଷିତ ଓକିଲ, ଡାକ୍ତର ଓ ପ୍ରଫେସର ମଧ୍ୟ ଏହି କଳାକୁ ଆପଣାଇ ମଞ୍ଚରେ ପାଲା ପରିବେଷଣ କରୁଛନ୍ତି । ଅନେକ କଳାକାର ପାଲାକୁ ନିଜର ବୃତ୍ତି ଭାବେ ଗ୍ରହଣ କରି ପରିବାର ଚଳାଉଛନ୍ତି । ଏହା କେବଳ ଏକ ସାଂସ୍କୃତିକ ପରିଚୟ ନୁହେଁ, ଅନେକଙ୍କ ଜୀବିକାର ମାଧ୍ୟମ ମଧ୍ୟ । ହେଲେ ସମୟ ବଦଳିବା ସହ ବଦଳୁଛି ଦର୍ଶକଙ୍କ ରୁଚି । ଦିନେ ପାଲା ଓ ଦାସକାଠିଆ ଥିଲା ଗାଁ ଗହଳିର ପ୍ରମୁଖ ମନୋରଞ୍ଜନର ମାଧ୍ୟମ ।

ଆଜି ଆଧୁନିକ ମନୋରଞ୍ଜନର ଚାକଚକ୍ୟ ଭିତରେ ପାଲାର ପ୍ରାଚୀନ କାବ୍ୟ, ଶାସ୍ତ୍ରୀୟ ଭାଷା ଓ ଗଭୀର ଭାବଧାରାକୁ ବୁଝିବା ପାଇଁ ଆଗ୍ରହୀ ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଉଥିବା ନେଇ ଚିନ୍ତା ବଢ଼ିଛି । ପରିବର୍ତ୍ତିତ ସମୟ ସହ ତାଳ ଦେଇ ପାଲା ନିଜର ମୌଳିକତା ଓ ଶାସ୍ତ୍ରୀୟ ମର୍ଯ୍ୟାଦାକୁ ବଜାୟ ରଖି ଆସୁଛି। ସମଗ୍ର ରାଜ୍ୟରେ ପ୍ରାୟ ୩ ହଜାର ପାଲା ଗାୟକ ଓ ଗାୟିକାଙ୍କ ସମେତ ୧୫ରୁ ୨୦ ହଜାର କଳାକାର ଏହି କଳା ସହ ଜଡ଼ିତ ଅଛନ୍ତି । ଲକ୍ଷାଧିକ ଲୋକଙ୍କ ଜୀବିକା ମଧ୍ୟ ପାଲା ଉପରେ ନିର୍ଭରଶୀଳ ବୋଲି କୁହାଯାଉଛି । ଏଭଳି ଏକ ଗୌରବମୟ କଳାର ସୁରକ୍ଷା ପାଇଁ ଏବେ ଦରକାର ବଡ଼ ପଦକ୍ଷେପ । ପାଲା କଳାକାରଙ୍କ ପାଇଁ ସ୍ଥାୟୀ କାର୍ଯ୍ୟାଳୟ, ତାଲିମ କେନ୍ଦ୍ର ଓ ସମୃଦ୍ଧ ପାଠାଗାର ପ୍ରତିଷ୍ଠା ସହ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବା ଆବଶ୍ୟକ । ନଚେତ ଆଗାମୀ ପିଢ଼ି ପାଇଁ ପାଲା କେବଳ ଇତିହାସର ପୃଷ୍ଠାରେ ସୀମିତ ହୋଇଯିବାର ଆଶଙ୍କା ରହିଛି । କାରଣ, ପାଲା ବଞ୍ଚିଲେ ଓଡ଼ିଆ ଭାଷା ଓ ସଂସ୍କୃତିର ଏକ ସମୃଦ୍ଧ ଅଧ୍ୟାୟ ବଞ୍ଚି ରହିବ।

ପାଲାର ସୁରକ୍ଷା ଅର୍ଥ ହେଉଛି ଆମ ପରମ୍ପରା, ଆମ ଅସ୍ମିତା ଓ ଆମ ମଣିଷପଣିଆର ସୁରକ୍ଷା । କିନ୍ତୁ ବର୍ତ୍ତମାନ ଆଧୁନିକ ଚାକଚକ୍ୟ ଭିତରେ ଯୁବପିଢ଼ି ଶାସ୍ତ୍ରୀୟ ସଂଗୀତ, ଛାନ୍ଦ, ଚମ୍ପୁ, ଶ୍ଳୋକକୁ ବୁଝିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ଯେଉଁଠି ପାଲା ପରିବେଷଣ ହେଉଛି ସେଠି ପ୍ରାୟ ବୟସ୍କ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିବା ବେଳେ ଯୁବ ଦର୍ଶକଙ୍କ ସଂଖ୍ୟା କମ । ବିଶେଷକରି ପାଲା କଳାକୁ ପେଶା କରିବା ପାଇଁ ଯୁବପିଢ଼ି ସେତେଟା ଆଗ୍ରହ ଦେଖାଉ ନଥିବା ବେଳେ ପାଲା ପରିବେଷଣ ପାଇଁ ନୂଆ କଳାକାର ଯେମିତି କି ବାୟକ, ସଂଗୀତ ପାଳିଆ, ପାଳିଆ ସୃଷ୍ଟି ହେଉନାହାନ୍ତି । ପାଲାକୁ ପେଶା କରି ବଞ୍ଚି ହେବ କିନ୍ତୁ ଏହି ଶାସ୍ତ୍ରୀୟ ନାଟକ କଳାକୁ ବଞ୍ଚାଇ ରଖିବା ପାଇଁ ସରକାର ସହଯୋଗ ପାଇଁ ଆଗେଇ ଆସିବାକୁ ଦାବି ହୋଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାଲା ଗାୟକ ପରିଷଦର ରାଜ୍ୟ ସଭାପତି ଗାୟକ ସିଦ୍ଧାନ୍ତଦର୍ଶୀ ଡ଼ ମଦନ ମୋହନ ଜେନା କହିଛନ୍ତି ମଣିଷକୁ ଉତ୍କଳୀୟ ପରମ୍ପରା ସହ ନୈତିକ ଶିକ୍ଷା କ୍ଷେତ୍ରରେ ପାଲାର ସ୍ୱତନ୍ତ୍ରତା ରହିଛି । ପାଲା ନୈତିକ ଶିକ୍ଷା ସହ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଅସ୍ମିତାର ପରିଚୟ । ପାଲା ହେଉଛି ଶାସ୍ତ୍ରୀୟ ନାଟକ, ବହୁ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଓକିଲ, ଡାକ୍ତର, ପ୍ରଫେସର ପାଲା ପରିବେଷଣ କରୁଛନ୍ତି, ପାଲା କଳାକୁ ବୃତ୍ତି କରି ପରିବାର ଚଳାଉ ଛନ୍ତି, ପାଲା ମନୋରଞ୍ଜନ ଧର୍ମୀ ନୁଁହ ମନୋବ୍ୟଞ୍ଜନ ଧର୍ମୀ । ଅନ୍ୟ ମନୋରଞ୍ଜନ କଳାକୁ ପରିବାର ସହ ଏକାଠି ବସି ଦେଖିବା ସମ୍ଭବ ନୁଁହ କିନ୍ତୁ ପାଲା ତାର ମୌଳିକତା ବଜାୟ ରଖିଛି ।

ସେହିପରି ଗାୟକ ସୁଦର୍ଶନ ମହାପାତ୍ର କହିଛନ୍ତି ପୂର୍ବ କାଳରେ ପାଲା ଦାସକାଠିଆ ଥିଲା ମନୋରଞ୍ଜନର ମାଧ୍ୟମ । ପାଲା ଗାୟକ ମାନେ ପ୍ରାଚୀନ ସାହିତ୍ୟ ଛାନ୍ଦର ବ୍ୟାଖ୍ୟା କରିବାରେ ଅସମର୍ଥ । ପାଲା ଓଡିଶାର ଶାସ୍ତ୍ରୀୟ ନାଟକ । ପାଲାକୁ ପେଶା କରି ବର୍ତମାନ ସମୟରେ ବଞ୍ଚିବା ସମ୍ଭବ ନୁହଁ। ଗାୟକ କଳାନିଧି ପଣ୍ଡିତ ମନୋଜ କୁମାର ମିଶ୍ର ଉପସଭାପତି ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ପରିଷଦ କହିଛନ୍ତି ପାଲାକାର ମାନେ ବେଦ ଉପନିଷଦ ଚର୍ଚ୍ଚା କରୁଥିବା ବେଳେ ବର୍ତ୍ତମାନର ଯୁବପିଢ଼ି ଚାହୁଁନାହାନ୍ତି।