ରୂପ-ରଙ୍ଗ ଓ ସୌନ୍ଦର୍ଯ୍ୟର ଯାଦୁରେ ରୋମାଞ୍ଚିତ କରେ ପଳାଶ

ଧରାପୃଷ୍ଟରେ ହୋଇଛି ଋତୁରାଜଙ୍କ ଆଗମନ, ସାଙ୍ଗରେ ନେଇ ଆସିଛି କେତେ କଣ ଫୁଲଫଳର ସମ୍ଭାର। ବସନ୍ତର ଆଗମନରେ ପ୍ରକୃତି ରାଣୀ ନିଜକୁ ବିଭିନ୍ନ ରଙ୍ଗୀନ ଫୁଲରେ ସଜେଇ ହୁଏ। ବସନ୍ତ ଆସିଲେ ପ୍ରେମୀଯୁଗଳଙ୍କ ମନରେ ଉନ୍ମାଦ ଆସେ ,ପ୍ରଫୁଲିତ ହୋଇଯାଏ କବି ପ୍ରାଣ। ନିଜ ରଙ୍ଗ ଓ ବାସ୍ନାରେ ସମସ୍ତଙ୍କ ଆଦର ପାଇଥାଏ ବିଭିନ୍ନ ଫୁଲ ଗୁଡ଼ିକ । ହେଲେ ପଛରେ ପଡ଼ିଯାଏ ଏହି ବାସହୀନ ପଳାଶ। କିନ୍ତୁ ପତ୍ରଝଡ଼ା ଟାଙ୍ଗରା ଜଙ୍ଗଲ ମଧ୍ୟରେ ନିଜ ସ୍ଥିତି ଜାହିର କରିଥାଏ ଏହି ପଳାଶ। ସତେ ଯେମିତି ପତ୍ରଝଡ଼ା ନିରାଶ ଜଙ୍ଗଲ ମଧ୍ୟରେ ଆଶାର ଜ୍ୟୋତି ଜାଳି ଦିଏ, ଏମିତି ଅନୁଭବ କେହି ଜଙ୍ଗଲରେ ଜାଳି ଦେଇଛି ଉଜ୍ଜଳ ଦୀପଟିଏ, ସେଥିପାଇଁ ତ ପଳାଶକୁ 'ଫ୍ଲେମ ଅଫ ଫରେଷ୍ଟ' କୁହାଯାଏ।
ଜଙ୍ଗଲରେ ନାଲି ରଙ୍ଗର ଭେଲ୍ଭେଟ୍ ସଦୃଶ ବିଛେଇ ହୋଇଥିବା ଏହି ରକ୍ତବର୍ଣ୍ଣ ଫୁଲଟି ବାସହୀନ ହେଲେବି ନିଜସ୍ଵ ମହତ୍ତ୍ଵ ରହିଛି। ପଶ୍ଚିମ ଓଡ଼ିଶାରେ ଚୈତ୍ର ମାସରେ ସମସ୍ତ ଦେବୀ ଓ ଦକ୍ଷିଣ ଓଡ଼ିଶାରେ ଶିବରାତ୍ରିରେ ଭଗବାନ ଶିବଙ୍କ ନିକଟରେ ପୂଜା ପାଏ ଏହି ଫୁଲ। ଏହାକୁ ମଧ୍ୟ ପାଣିରେ ଭିଜାଇ ତାର ପାଣିକୁ ପିଇଲେ ପେଟ ଜନିତ ରୋଗ ଭଲ ହୋଇଥାଏ । ଭାରତର ବିଭିନ୍ନ ରାଜ୍ୟରେ ପଳାଶ ଫୁଲ ଓ କାଠର ମହତ୍ତ୍ଵ ରହିଛି। କେରଳର ବ୍ରାହ୍ମଣ ମାନେ ଏହି ପଳାଶ ଫୁଲକୁ ପୂଜା ସମୟରେ ବ୍ୟବହାର କରିବା ସହ ଏହାର କାଠକୁ ହୋମରେ ବ୍ୟବହୃତ କରିଥାନ୍ତି । ଝାଡ଼ଖଣ୍ଡରେ ଏହି ଫୁଲକୁ ରାଜ୍ୟ ସ୍ତରୀୟ ମାନ୍ୟତା ମଧ୍ୟ ମିଳି ସାରିଛି। ପ୍ରକୃତିରୁ ସୃଷ୍ଟି ହୋଇଥିବା ପ୍ରତ୍ୟେକଟି ଜିନିଷ ନିଜର ରୂପ,ଗୁଣକୁ ନେଇ ସୁନ୍ଦର ହୋଇଥାନ୍ତି, ଏଇ ଯେମିତି ପଳାଶ ଫୁଲ ବାସହୀନ ହେଲେ ମଧ୍ୟ ରୂପ ବିନ୍ୟାସ ପାଇଁ ତାର ନିଜସ୍ଵ ସ୍ଵତନ୍ତ୍ରତା ରହିଛି।