ପଞ୍ଚକରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ବେଶ

ପୁରୀ: ପାଖେଇ ଆସୁଛି ମହାପଞ୍ଚୁକ । ସଜେଇ ହେଉଛି ଶ୍ରୀକ୍ଷେତ୍ର । ଭକ୍ତ, ସେବାୟତ ସମସ୍ତେ ଉତ୍ସାହିତ..ଆନନ୍ଦିତ । କାରଣ ପଞ୍ଚୁକରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ବେଶ ଅନୁଷ୍ଠିତ ହୁଏ । ଆଉ ଏହି ସ୍ବତନ୍ତ୍ର ବେଶ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମେ । ପବିତ୍ର ପଞ୍ଚୁକ ଅବସରରେ ଅତି ନିଷ୍ଠାର ସହ ଯେଉଁମାନେ ଏହି ବ୍ରତ ପାଳନ କରିଥାନ୍ତି ସେମାନେ କୋଟି ଜନ୍ମର ପୁଣ୍ୟଫଳ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି । ତେବେ ଆପଣ ଜାଣନ୍ତି କି ପଞ୍ଚୁକରେ ଆମ ମହାପ୍ରଭୁମାନେ କେଉଁ କେଉଁ ବେଶରେ ଦର୍ଶନ ଦେବେ ।
ଆସନ୍ତା ୧୨ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁଙ୍କର ପଞ୍ଚୁକ ନୀତି । କାର୍ତ୍ତିକ ମାସ ଆରମ୍ଭରୁ ମହାପ୍ରଭୁ ରାଧାଦାମୋଦର ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ପଞ୍ଚୁକରେ ସ୍ୱତନ୍ତ୍ର ବେଶରେ ଦର୍ଶନ ଦିଅନ୍ତି ଶ୍ରୀଜୀଉ । ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍ ଆସନ୍ତା ୧୨ ତାରିଖରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ, ୧୩ ରେ ବାଙ୍କଚୂଡ଼ା ବେଶ, ୧୪ ରେ ଡାଳିକିଆ ବା ତ୍ରିବିକ୍ରମ ବେଶ ଏବଂ ୧୫ ତାରିଖ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ ତିଥିରେ କ୍ଷୟ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ । ମହାପ୍ରଭୁଙ୍କର ପଞ୍ଚୁକରେ ଅନୁଷ୍ଠିତ ହେବାକୁ ଥିବା ଏହି ସ୍ବତନ୍ତ୍ର ବେଶ ଗୁଡ଼ିକୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଓ ହବିଷ୍ୟାଳି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି ।
ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ସହିତ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ମରିଚ୍ଚ କୋଟ ଛକରୁ ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବ । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୫ ଜଣ ଅତିରିକ୍ତ ଏସପି, ୧୪ ଜଣ ଡିଏସପି, ୨୬ ଜଣ ଇନ୍ସପେକ୍ଟରଙ୍କ ସହ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ହବିଷ୍ୟାଳୀ ମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତମାନେ ବେଳାଭୂମିରେ ଡଙ୍ଗା ଭସାଇ ନିଜ ବ୍ରତକୁ ଉଦଯାପିତ କରିବାକୁ ଥିବାରୁ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡ ନିୟୋଜିତ କରାଯିବ ବୋଲି ଏସପି କହିଛନ୍ତି । ଭକ୍ତମାନେ କିଭଳି ଶୃଙ୍ଖଳାରେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ତାହା ପୁରୀ ପୋଲିସର ପ୍ରାଥମିକତା ରହିବ ବୋଲି ଏସପି କହିଛନ୍ତି ।
📱 Get Argus News App
✨