ବଡ ବଡିଆଙ୍କୁ ଜଗନ୍ନାଥ ମନ୍ଦିର ନେବେ ପାଣ୍ଡିଆନ, ଗରିବଙ୍କୁ...

Key Points
- ବଡ ବଡିଆଙ୍କୁ ଜଗନ୍ନାଥ ମନ୍ଦିର ନେବେ ପାଣ୍ଡିଆନ
- ଗରିବ ଲୋକ ଖରାରେ ଡେଇଁ ଡେଇଁ ଯିବ
- ପ୍ରଶଂସା ପାଇଁ ବାୟା ହେଲେଣି ପାଣ୍ଡିଆନ
ଅର୍ଗସ ବ୍ୟୁରୋ : ଗରିବଙ୍କୁ ଅନାଉନାହାନ୍ତି, ବଡ ବଡିଆଙ୍କୁ ବୁଲାଉଛନ୍ତି । କିଛି ଏମିତି ଶାସନ ଚାଲିଛି ଓଡ଼ିଶାରେ । ଆଉ ନୁହେଁ ତ କଣ ? ଦେଖୁନାହାନ୍ତି ପ୍ରବଳ ଖରାରେ କେମିତି ଛଟପଟ ହୋଇ ଜଗା ଦର୍ଶନ କରିବାକୁ ଯାଉଛନ୍ତି ସାଧାରଣ ଲୋକ । ନା ବ୍ୟବସ୍ଥା ସୁଧୁରୁଛି ନା ପ୍ରଶାସନ ଶୁଣୁଛି । ଇଏ ତ ଗଲା ଗରିବଙ୍କର କଷ୍ଟ । ହେଲେ ନବୀନ ସରକାରରେ ଧନୀଙ୍କ ଲାଗି ନିୟମ ଅଲଗା । ଏ କଥା ଆମେ କହୁନାହୁଁ ବରଂ ଏ ଫଟୋ ଦେଖିଲେ ଆପଣ ବି ବୁଝିପାରିବେ ପାଣ୍ଡିଆନ କେମିତି କରୁଛନ୍ତି ପ୍ରହସନ ।
କ୍ଷମତା ଅଛି ବୋଲି କିଛି ମାନିବାକୁ ରାଜି ନାହାନ୍ତି ପାଣ୍ଡିଆନ ବାବୁ । ଏ କଥା ବିନା ତଥ୍ୟରେ କହୁନାହୁଁ ବରଂ ଏ ଫଟୋ ଦେଖିବା ପରେ ହିଁ କହୁଛୁ । ଶ୍ରୀଜଗନ୍ନାଥ ମନ୍ଦିର...ସାଢେ ଚାରିକୋଟିଆଙ୍କର ଭାବାବେଗ ସହ ଜଡ଼ିତ । ହେଲେ ଏ ମନ୍ଦିରକୁ ନେଇ ପାଣ୍ଡିଆନ ଲଗାତାର ଯେମିତି ହୀନ ରାଜନୀତି କଲେ ଆମେ ସମସ୍ତେ ଦେଖିଲେ । କାମିଆ ଜାନିଙ୍କୁ ମନ୍ଦିର ପ୍ରବେଶ କରାଇବା ହେଉ କି ପରମ୍ପରା ସଂସ୍କୃତିକୁ କୁଠାରଘାତ କରାଇବା ହେଉ...ବାରମ୍ବାର ଓଡ଼ିଆଙ୍କ ଅସ୍ମିତା ସହ ଖେଳୁଛନ୍ତି ନବୀନ ବାବୁ । କିନ୍ତୁ ଏବେ ଖରା ତାତିରେ ଭକ୍ତମାନେ ଯେମିତି ଆଉଟୁପାଉଟୁ ହେଉଛନ୍ତି ସେନେଇ କୌଣସି ବ୍ୟବସ୍ଥା କରିବାକୁ ଏ ସରକାର ପାଖରେ ସମୟ ନାହିଁ । ହେଲେ ଯେଉଁମାନେ ତାଙ୍କର ପ୍ରଶଂସା କରିବେ ସେମାନଙ୍କୁ ରାତି ଅଧରେ ଶ୍ରୀମନ୍ଦିର ବୁଲାଇବାକୁ ସମୟ ଅଛି ।
ବିଜେଡି ସରକାର କୁହେ ଗୋଟିଏ କଥା କରେ ଆଉ ଗୋଟିଏ କଥା । ସେଇଥି ଲାଗି ତ ଏତେ ଆନ୍ଦୋଳନ ପରେ ବି ଶ୍ରୀମନ୍ଦିରରେ ସୁଧୁରୁନି ଦର୍ଶନ ବ୍ୟବସ୍ଥା । ବାରମ୍ବାର ଅଭିଯୋଗ ହେବା ପରେ ବି ନିଦାବିଷ୍ଣୁ ସାଜିଛି ପ୍ରଶାସନ । ହେଲେ ପାଣ୍ଡିଆନ କିନ୍ତୁ ନିଜର ପ୍ରଚାର କରିବାକୁ କୌଣସି ମୌକା ଛାଡୁନାହାନ୍ତି । ସେଇଥି ଲାଗି ତ ଅଧ ରାତିରେ ବି ବରିଷ୍ଠ ସାମ୍ବାଦିକଙ୍କୁ ନେଇ ଶ୍ରୀମନ୍ଦିରରେ ଦର୍ଶନ କରାଇବା ସହିତ ଫଟୋ ପୋଷ୍ଟ କରୁଛନ୍ତି । ଏ ସବୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ, ପାଣ୍ଡିଆନ କେବଳ ନିଜ ପ୍ରଶଂସାରେ ହିଁ ବ୍ୟସ୍ତ ରୁହନ୍ତି ।