ଡାକ୍ତର କି ଚିକିତ୍ସା ଯନ୍ତ୍ରପାତି ନଥିବାରୁ ରୋଗୀ ସେବା ବେହାଲ

Key Points
କୋମାରେ ବରଗଡ଼ କ୍ୟାନ୍ସର ହସ୍ପିଟାଲ
ଡାକ୍ତର କି ଚିକିତ୍ସା ଯନ୍ତ୍ରପାତି ନଥିବାରୁ ରୋଗୀ ସେବା ବେହାଲ
ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଉଦଘାଟନ କରିଥିଲେ ପୂର୍ବ ସରକାର
ଏବେ ସବୁ ଜିଲ୍ଲା ହସପିଟାଲରେ କ୍ୟାନସର ଚିକିତ୍ସା ସୁବିଧା କରିବେ ରାଜ୍ୟ ସରକାର
କେମୋଥେରାପି ବ୍ୟବସ୍ଥା ସହ ଖୋଲାଯିବ ଡେ କେୟାର ସେଣ୍ଟର
୯ ଟି ଜିଲ୍ଲା ମୁଖ୍ୟାଳୟ ହସପିଟାଲକୁ କରାଯିବ ସାଟେଲାଇଟ୍ ସେଣ୍ଟର
ବରଗଡ଼ କ୍ୟାନସର ହସପିଟାଲକୁ ନେଇ ବଡ଼ ପ୍ରଚାର କରିଥିଲେ ବିଜେଡି ସରକାର। ଏବେ ସହି ହସପିଟାଲରେ ରୋଗୀ ସେବା ବିପର୍ଯ୍ୟସ୍ତ ପ୍ରସଙ୍ଗରେ ଖୋଦ୍ ବିଜେଡି ବିଧାୟକ ଉଠାଇଛନ୍ତି ପ୍ରଶ୍ନ ଓ ସରକାରଙ୍କଠୁ ମାଗିଛନ୍ତି ଜବାବ। ଉତ୍ତରରେ ସ୍ବ୍ୟସ୍ଥ୍ୟମନ୍ତ୍ରୀ କହିଛନ୍ତି କେବଳ ବରଗଡ଼ ନୁହେଁ ସବୁ ଜିଲ୍ଲା ହସ୍ପିଟାଲରେ ଡେ କେୟାର ସେଣ୍ଟର ସହ କେମୋଥେରାପି ବ୍ୟବସ୍ଥା କରାଯିବ। ଏଥିସହ ଖାଲି ପଡ଼ିଥିବା 5ହଜାର 258 ଡାକ୍ତର ପଦବୀ ପୂରଣ କରାଯିବ।
ଡାକ୍ତର ପଦବୀ ଖାଲି ଏବଂ ପୁରୁଣା ଜିଲ୍ଲା ମୁଖ୍ୟାଳୟ ହସପିଟାଲଗୁଡିକ ବନ୍ଦ ପଡ଼ିଥିବା ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ଉଭୟ ଶାସାକ ଓ ବିରେଧୀ ସଦସ୍ୟ। ଭଦ୍ରକ, ଢେଙ୍କାନାଳ, ଝାରସୁଗୁଡା, କେନ୍ଦ୍ରାପଡା, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହର ବାହାରକୁ ସ୍ଥାନାନ୍ତର କରାଯିବା ଯୋଗୁଁ ରୋଗୀମାନେ ବହୁ ହନ୍ତସନ୍ତ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ବିଧାୟକମାନେ। ଏହା ଉତ୍ତରରେ 9 ଟି ଜିଲ୍ଲା ମୁଖ୍ୟାଳୟ ହସପିଟାଲକୁ ସେଟଲାଇଟ ସେଣ୍ଟର କରାଯିବ ଏବଂ ସେଠାରେ 10 ଟି ବେଡ଼ ସହ 24 ଘଣ୍ଟା କାମ କରୁଥିବା ଆମ୍ବୁଲାନ୍ସ ଓ କିଛି ସ୍ପେସାଲିଷ୍ଟ ଡାକ୍ତର ରହିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।
2019 ରେ ବରଗଡ଼ରେ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ କରିବାକୁ ନେଇ ଘୋଷଣା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଉଦଘାଟନ ପରେ ଜଣାପଡ଼ିଥିଲା ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ବିଭାଗ ଭାବେ କାମ କରିବ। ନିର୍ବାଚନକୁ ଆଖି ଆଗରେ ରଖି ନିର୍ମାଣ କାମ ସରିନଥିବା ବେଳେ ଗତ ବର୍ଷ ଫେବ୍ରୁଆରି ମାସରେ ଏହାକୁ ତରବରିଆ ଭାବେ ଉଦଘାଟନ କରିଦେଇଥିଲେ ବିଜେଡି ସରକାର। ହେଲେ ଡାକ୍ତର ନିଯୁକ୍ତି ଦେଇନଥିଲେ କିମ୍ବା ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା କରିନଥିଲେ। ଏବେ ରୋଗୀ ସେବା ବିପର୍ଯ୍ୟସ୍ତ ହେବା ପରେ ଖୋଦ୍ ବିଜେଡି ସଦସ୍ୟ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି।
କେବଳ ଏହି ହସପିଟାଲ ନୁହେଁ ପୂର୍ବ ବିଜେଡି ସରକାର ଅଧିକାଂଶ ଜିଲ୍ଲା ମୁଖ୍ୟାଳୟ ହସପିଟାଲର ବଡ଼ ବଡ଼ ଚକାଚକ୍ ବିଲଡିଂ ତିଆରି କରିଦେଇଥିଲେ। କିନ୍ତୁ ନା ଡାକ୍ତର ବ୍ୟାବସ୍ଥା କରିଥିଲେ ନା ପାରା ମେଡିକାଲ ଷ୍ଟାଫ୍ ନା ଚିକିତ୍ସା ଯନ୍ତ୍ରପାତି। ରୋଗୀଙ୍କର କୌଣସି କାମରେ ଆସିପାରୁନଥିଲା ଏସବୁ ହସିପିଟାଲ। ବିଜେପି ସରକାର କେବେସୁଦ୍ଧା ଏସବୁ ହସପିଟାଲରେ ଆନୁସଙ୍ଗିକ ବ୍ୟବସ୍ଥା କରୁଛନ୍ତି ତା ଉପରେ ରହିଛି ନଜର ।