Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଟଣାଗଡ଼ ବୋମା ବିସ୍ଫୋରଣ : ସାକ୍ଷୀରେ କଣ କହିଲେ ଅରୁଣ ବୋଥ୍ରା ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପାଟଣାଗଡ଼ ବୋମା ବିସ୍ଫୋରଣ : ସାକ୍ଷୀରେ କଣ କହିଲେ ଅରୁଣ ବୋଥ୍ରା ?

Key Points

  • ମନରୁ ଲିଭୁନି ପାଟଣାଗଡ ବୋମା ବିସ୍ଫୋରଣ
  • ଘଟଣାକୁ ୬ ବର୍ଷ ପୁରିଥିଲେ ବି ଥମିନି ଚର୍ଚ୍ଚା
  • କୋର୍ଟରେ ସାକ୍ଷୀ ଦେଲେ ଅରୁଣ ବୋଥ୍ରା

ଅର୍ଗସ ବ୍ୟୁରୋ : ପାଟଣାଗଡ ବୋମା ବିସ୍ଫୋରଣ କଥା ମନେ ପଡିବା ମାନେ ଦେହରୁ ଗମଗମ ଝାଳ ବାହାରି ପଡେ । କାରଣ ମଣିଷ ଯେବେ ପିଶାଚ ପାଲଟେ ସେବେ କିଛି ଏମିତି ସଙ୍ଗୀନ ଓ ସାଙ୍ଘାତିକ କାଣ୍ଡ ଭିଆଏ । ଠିକ୍‌ ଏମିତି କିଛି ଘଟଣା ଘଟିଥିଲା ବଲାଙ୍ଗିର ପାଟଣାଗଡ଼ରେ । ଏହାରି ଭିତରେ ମାମଲାକୁ ୬ ବର୍ଷ ବିତିଗଲାଣି, ଦୋଷୀ ଜେଲରେ ରହିଛି । କିନ୍ତୁ ଆଜି ଏହି ଘଟଣା ଚର୍ଚ୍ଚାକୁ ଫେରିଛି କାରଣ, କୋର୍ଟରେ ସାକ୍ଷୀ ଦେଇଛନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇ. ଜି ଅରୁଣ ବୋଥ୍ରା । ପାଟଣାଗଡ଼ ଏଡ଼ିଜେଙ୍କ କୋର୍ଟରେ ସାକ୍ଷୀ ଦେଇଛନ୍ତି ଅରୁଣ ବୋଥ୍ରା । ୬୦ ନମ୍ବର ସାକ୍ଷୀ ଭାବରେ ଆଜି ଅରୁଣ ବୋଥ୍ରା ସାକ୍ଷୀ ଦେଇଛନ୍ତି । 

ବୋମା ବିସ୍ଫୋରଣ ମାମଲାରେ କୋର୍ଟରେ ସରକାରୀ ଓକିଲ ଓ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ଉପସ୍ଥିତ ଥିଲେ । ହାଇ ପ୍ରୋଫାଇଲ ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା । ପୁଞ୍ଜିଲାଲକୁ ନେଇ ହୋଇଥିବା କ୍ରାଇମସିନ୍‌ର ସିଡି ଡିସ୍‌ପ୍ଲେ ପାଇଁ ଶୁଣାଣି ବେଳେ ଦାବି ହୋଇଥିବା ସୂଚନା ମିଳିଛି । ହେଲେ କ୍ରାଇମବ୍ରାଞ୍ଚ ଓକିଲଙ୍କ ଦାବିକୁ ବିରୋଧ କରିଛନ୍ତି ପ୍ରତିପକ୍ଷ ଓକିଲ । ଏନେଇ ପୁଣି ଥରେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।
କ'ଣ ଥିଲା ପୂରା ଘଟଣା ?

୨୦୧୮ ମସିହାରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣା ସାମ୍ନାକୁ ଆସିଥିଲା । ପାଟଣାଗଡ଼ ସହରର ବରହମ୍‌ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିଲା ଏକ ପାର୍ସଲ, ବାସ୍‌ ପାର୍ସଲ ଖୋଲୁ ଖୋଲୁ ହୋଇଥିଲା ବୋମା ବିସ୍ଫୋରଣ । ଏଥିରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଏବଂ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା । ବିସ୍ଫୋରଣରେ କିନ୍ତୁ ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅନେକ ଦିନ ବଲାଙ୍ଗିରରେ ଘଟିଥିଲା ଏହି ଘଟଣା ପୁରା ରାଜ୍ୟରେ ହଲଚଲ ସୃଷ୍ଟି କରିଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହାର ତଦନ୍ତ ଭାର ନେଇଥିଲା କ୍ରାଇମବ୍ରାଞ୍ଚ । ସେତେବେଳର କ୍ରାଇମବ୍ରାଞ୍ଚ ଆଇ.ଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଚାଲିଥିଲା ତଦନ୍ତ । ଘଟଣାର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପରେ କ୍ରାଇମସିନ ରିକ୍ରିଏସନ ବି ହୋଇଥିଲା । ବର୍ତ୍ତମାନ ବଲାଙ୍ଗିର ଜେଲରେ ପୁଞ୍ଜିଲାଲ ବନ୍ଦୀ ଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପୁଞ୍ଜିଲାଲ ସୌମ୍ୟଶେଖରଙ୍କ ମାଆ ସଂଯୁକ୍ତା ସାହୁଙ୍କ ସହ ଏକାଠି ଭଇଁଷାର ଗୋଟିଏ କଲେଜରେ କାମ କରୁଥିଲେ । ସଂଯୁକ୍ତା ସାହୁ ଭଇଁଷାର କଲେଜର ଅଧ୍ୟକ୍ଷା ଥିଲେ ମଧ୍ୟ ପୁଞ୍ଜିଲାଲ ତାଙ୍କୁ ଅଧ୍ୟକ୍ଷା ଭାବେ ଗ୍ରହଣ କରି ପାରୁନଥିଲେ । କାରଣ ସଂଯୁକ୍ତାଙ୍କ ପୂର୍ବରୁ ପୁଞ୍ଜିଲାଲ ସେହି କଲେଜର ଅଧ୍ୟକ୍ଷ ଦାୟିତ୍ଵରେ ଥିଲେ । ସଂଯୁକ୍ତାଙ୍କୁ ଅନେକ ସମୟରେ ପୁଞ୍ଜିଲାଲ ଉଦ୍ଦେଶ୍ୟମୂଳକ ଭାବରେ ହଇରାଣ ବି କରୁଥିଲା । ମନ ଏତିକିରେ ଶାନ୍ତ ନହେବାରୁ ରଚିଥିଲା ଭୟଙ୍କର ହତ୍ୟାକାଣ୍ଡ । ସଂଯୁକ୍ତାଙ୍କ ପୁଅ ବାହାଘରରେ ସେ ପାର୍ସଲ ବୋମା ବିସ୍ଫୋରଣ  କରିବାକୁ ସେ ପଛାଇ ନଥିଲେ । ଏହାପରେ ପ୍ରମାଣ ନଷ୍ଟ କରି ପୁଲିସ ଆଖିରେ ଧୂଳି ଦେବା ପାଇଁ ବାରମ୍ବାର ଦୃଶ୍ୟମ ସିନେମା ଦେଖୁଥିଲେ । ପୁଞ୍ଜିଲାଲ ରହୁଥିବା ଘର ସାମ୍ନାର ଡଷ୍ଟବିନକୁ ବଲାଙ୍ଗିର ପୁଲିସର ସାଇଣ୍ଟିଫିକ ଟିମ୍‌ ଯାଞ୍ଚ କରିଥିଲେ । ଡଷ୍ଟବିନ ଭିତରୁ କିଛି କଟା ତାର, ଇଲେଟ୍ରୋନିକ୍ସ ଯନ୍ତ୍ରାଶଂ ଏବଂ ଗୁଣ୍ଡଯୁକ୍ତ ଏକ୍ସପ୍ଳୋସିଭ ବାହାରିଥିଲା । ପରବର୍ତ୍ତୀ ସମୟରେ ପୁଞ୍ଜିଲାଲ ଗିରଫ ହୋଇଥିଲା । ଘଟଣାକୁ ଏହାରି ଭିତରେ ୬ ବର୍ଷ ପୂରିଗଲାଣି କିନ୍ତୁ ଚର୍ଚ୍ଚା ଥମୁନି ।
 

Sponsored
IPS Arun Bothra | Argus News