Videos
|
Odisha

Pension Scheme / ୬୦ ବର୍ଷ ପୂରିଲେ ପର ମାସରୁ ଭତ୍ତା…ବଦଳିଗଲା ବ୍ୟବସ୍ଥା, ବୃଦ୍ଧି ପାଇଲେ ହିତାଧିକାରୀ

Ritu Das
Browse all articles by Ritu Das
·1 hour ago·2 min read
୬୦ ବର୍ଷ ପୂରିଲେ ପର ମାସରୁ ଭତ୍ତା…ବଦଳିଗଲା ବ୍ୟବସ୍ଥା, ବୃଦ୍ଧି ପାଇଲେ ହିତାଧିକାରୀ
India

Key Points

୬୦ ବର୍ଷ ପୂରିଲେ ପର ମାସରୁ ଭତ୍ତା
ବଦଳିଗଲା ବ୍ୟବସ୍ଥା, ବୃଦ୍ଧି ପାଇଲେ ହିତାଧିକାରୀ
ଗତକାଲି ୫ ଲକ୍ଷ ୫ ହଜାର, ଆଜି ଜିଲ୍ଲା ଜିଲ୍ଲାରେ ଭତ୍ତା ମହୋତ୍ସବ
ଭତ୍ତା ପାଇଁ ଆଉ ବର୍ଷ ବର୍ଷର ଲମ୍ବା ଅପେକ୍ଷା ନୁହେଁ। ୬୦ ବର୍ଷ ପୂରିଲା, ଆବେଦନ କଲେ ଆଉ ପର ମାସରୁ ହିଁ ହାତକୁ ଆସିବ ବାର୍ଦ୍ଧକ୍ୟ ଭତ୍ତା। ରାଜ୍ୟର ଗରିବ, ଅସହାୟ ଓ ବୃଦ୍ଧବୃଦ୍ଧାଙ୍କ ପାଇଁ ସରକାର ନେଇଛନ୍ତି ଐତିହାସିକ ନିଷ୍ପତ୍ତି। ଗତକାଲି ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀ ଏକାକାଳୀନ ୫ ଲକ୍ଷ ୫ ହଜାରରୁ ଊର୍ଦ୍ଧ୍ୱ ନୂଆ ହିତାଧିକାରୀଙ୍କୁ ଭତ୍ତା ଶୁଭାରମ୍ଭ କରିଥିବା ବେଳେ, ଆଜି ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଣ୍ଟାଯାଇଛି ସାମାଜିକ ସୁରକ୍ଷା ଭତ୍ତା। କାର୍ଯ୍ୟକ୍ରମରେ ମନ୍ତ୍ରୀମାନେ ଯୋଗଦେଇ ନୂଆ ହିତାଧିକାରୀଙ୍କ ହାତକୁ ଟେକିଦେଇଛନ୍ତି ସରକାରୀ ସହାୟତା। ତେବେ କେମିତି ଗରିବଙ୍କ ସାହାରା ପାଲଟିଛି ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା?

ରାଜ୍ୟରେ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଐତିହାସିକ ନିଷ୍ପତ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ବାଲେଶ୍ୱରରୁ ୫ ଲକ୍ଷ ୫ ହଜାର ୮୩୮ ଜଣ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରିଥିଲେ । ଏହି କ୍ରମରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । NSAP ଯୋଜନାରେ ବୈଷୟିକ ତ୍ରୁଟି ଯୋଗୁଁ ୩-୪ ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ଥିବା ଲୋକଙ୍କୁ ଆଶ୍ୱାସନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ଏବଂ ଖୁବ୍ କମ୍ ଦିନ ଭିତରେ ସମସ୍ତ ବକେୟା ଭତ୍ତା ହିତାଧିକାରୀଙ୍କ ଖାତାକୁ ଯିବ।

ପୂର୍ବରୁ ଆବେଦନ କରିବା ପରେ ମଧ୍ୟ ଭତ୍ତା ପାଇଁ ବର୍ଷ ବର୍ଷ ଧରି ସରକାରୀ ଅଫିସକୁ ଦୌଡ଼ିବାକୁ ପଡ଼ୁଥିଲା। ହେଲେ ବିଜେପି ସରକାରଙ୍କ ନୂଆ ନିୟମ ଅନୁସାରେ ୬୦ ବର୍ଷ ବୟସ ପୂରଣ କରିଥିବା ଯୋଗ୍ୟ ବ୍ୟକ୍ତି ଆବେଦନ କରିବାର ପର ମାସରୁ ହିଁ ପାଇବେ ବାର୍ଦ୍ଧକ୍ୟ ଭତ୍ତା। ଆଜି ଭବାନୀପାଟଣା ଟାଉନ୍ ହଲ୍‌ରେ ଆୟୋଜିତ କଳାହାଣ୍ଡି ଜିଲ୍ଲାସ୍ତରୀୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ, ସ୍ଥାନୀୟ ସାଂସଦ ଓ ଧର୍ମଗଡ଼ ବିଧାୟକ ଯୋଗଦେଇ ନୂଆ ହିତାଧିକାରୀଙ୍କୁ ଭତ୍ତା ଦେଇଛନ୍ତି । ଭତ୍ତା ପାଇ ଗରିବ ହିତାଧିକାରୀଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ୨୩ ହଜାର ୮୯୭ ଜଣ ନୂଆ ହିତାଧିକାରୀଙ୍କୁ ଭତ୍ତା ଓ ଯୋଗ୍ୟ ବ୍ୟକ୍ତିଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି । ଏହାସହ କେନ୍ଦ୍ରାପଡ଼ାରେ ୧ ଲକ୍ଷ ୬୪ ହଜାରରୁ ଅଧିକ ଲୋକ ଭତ୍ତା ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଅନ୍ୟପଟେ ଦେବଗଡ଼ WODC ପ୍ରେକ୍ଷାଳୟରେ ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ୩ ହଜାର ୭ ଶହ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିଛନ୍ତି। ପୂର୍ବରୁ ଜଣେ ହିତାଧିକାରୀଙ୍କ ମୃତ୍ୟୁ ପରେ ହିଁ ନୂଆ ଲୋକ ସାମିଲ ହେଉଥିବାରୁ ଯେଉଁ ସମସ୍ୟା ସୃଷ୍ଟି ହେଉଥିଲା, ନୂଆ ନିୟମ ଦ୍ୱାରା ତାହା ସମ୍ପୂର୍ଣ୍ଣ ଦୂର ହୋଇଥିବା ମନ୍ତ୍ରୀ କହିଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଓ ମହତ୍ତ୍ୱାକାଂକ୍ଷୀ ନିଷ୍ପତ୍ତି ଫଳରେ ଏବେ ଗାଁ ଗାଁରେ ଗରିବ, ବିଧବା, ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧାମାନେ ନିଜର ମୌଳିକ ଆବଶ୍ୟକତା ଓ ଔଷଧପତ୍ର ଖର୍ଚ୍ଚ ପାଇଁ ଆଉ କାହା ଉପରେ ନିର୍ଭର ନକରି ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି ।