ସୋସିଆଲ ମିଡିଆରେ ଫଟୋ ଛାଡ଼ିବାକୁ ଡର ଲାଗିଲାଣି !

କାଳ ହେଉଛି ସୋସିଆଲ ମିଡିଆରେ ଅପଲୋଡ୍ ହେଉଥିବା ଫଟୋ, ଭିଡିଓ । ବ୍ୟକ୍ତିଗତ ଫଟୋ ଓ ଭିଡିଓ ଉପରେ ସାଇବର ଅପରାଧୀଙ୍କ ନଜର । ଫଟୋ ଓ ଭିଡିଓ ବ୍ୟବହାର କରି କରୁଛନ୍ତି ବ୍ଲାକମେଲ, ମାଗୁଛନ୍ତି ଟଙ୍କା । ଟଙ୍କା ନଦେଲେ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି ଅଶ୍ଲୀଳ ଫଟୋ, ଭିଡିଓ । ଗଞ୍ଜାମରେ ବେଆଇନ ସିମ୍ ବିକ୍ରି ରାକେଟ ଧରାପଡ଼ିବା ପରେ ହେଲା ପର୍ଦ୍ଦାଫାସ ।
ବନ୍ଧୁଙ୍କ ଫଟୋ ଓ ଭିଡିଓର ଅପବ୍ୟବହାର କରୁଛନ୍ତି ସାଇବର ଅପରାଧୀ। ଫେସବୁକ, ଇନଷ୍ଟାଗ୍ରାମ ଓ ଅନ୍ୟ ସୋସିଆଲ ମିଡିଆରେ ଅପଲୋଡ ହେଉଥିବା ବ୍ୟକ୍ତିଗତ ଫଟୋ ଓ ଭିଡିଓକୁ ଟାର୍ଗେଟ କରୁଛନ୍ତି । ଫଟୋ ଓ ଭିଡିଓ ବ୍ୟବହାର କରି ବ୍ଲାକମେଲ କରିବା ସହ ମାଗୁଛନ୍ତି ଟଙ୍କା। ନଦେଲେ ସୋସିଆଲ ମିଡିଆରେ ଏଡିଟ କରି ଭାଇରାଲ କରି ଦେଉଛନ୍ତି ଅଶ୍ଳୀଳ ଫଟୋ ଓ ଭିଡିଓ।
ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ହ୍ୟାକରଙ୍କ କବଳରେ ଏବେ ସୋସିଆଲ ମିଡିଆ। ସୁରକ୍ଷା ପାଇଁ ଯେତେ ପଦକ୍ଷେପ ନେଲେ ମଧ୍ୟ ସାଇବର ଅପରାଧୀଙ୍କ କବଳରୁ ମୁକୁଳିବା ମୁସକିଲ ହୋଇପଡିଛି । ଖାସ କରି ଝିଅ, ଯୁବତୀ ଓ ମହିଳା ହେଉଛନ୍ତି ଅଧିକ ଶିକାର।
ଏମିତି ଏକ ସାଇବର ଅପରାଧୀଙ୍କ ଜାଲରେ ଫସି ଜୀବନ ହାରିଲେ କଟକର ଯୁବତୀ । ନାଇଜେରିଆର ଜଣେ ସାଇବର ଅପରାଧୀ ହ୍ୱାଟସଆପ ଓ ଫେସବୁକରେ ଯୁବତୀଙ୍କ ପ୍ରକୃତ ବନ୍ଧୁଙ୍କ ଫଟୋ ବ୍ୟବହାର କରି କରୁଥିଲା କଥାବାର୍ତ୍ତା। ତିଆରି କରିଥିଲା ଅଶ୍ଳୀଳ ଭିଡିଓ। ବ୍ଲାକମେଲ କଲା। ଟଙ୍କା ନଦେବାରୁ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଲା। ଫଳରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିଲେ। ପୋଲିସ ବିଦେଶୀ ସାଇବର ଅପରାଧୀକୁ ଗିରଫ କରିଛି।
ସେହିଭଳି ଗଞ୍ଜାମରେ ଟଙ୍କା ରୋଜଗାର ପାଇଁ ଠକଙ୍କ ନୂଆ ପ୍ଲାନ୍ । ଜାଲି ଦସ୍ତାବିଜ୍, ଫିଙ୍ଗର ପ୍ରିଣ୍ଟ ଦେଇ କିଣୁଥିଲେ ସିମ୍ । ବିଦେଶୀଙ୍କୁ ଅଧିକ ଟଙ୍କାରେ ବିକି କରୁଥିଲେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର । ଅନେକ ଲୋକଙ୍କ ନାଁରେ ବେଆଇନ୍ ଭାବେ ସିମ୍ କାର୍ଡ କରିଛନ୍ତି ଏହି ଦୁଇ ଯୁବକ । ଗୋପାଳପୁର ବନ୍ଦରରେ କିଛି ବର୍ଷ ହେଲା ଏମାନେ ଚଳାଇଥିଲେ ସିମ୍ ବିକ୍ରି ରାକେଟ୍ । ବନ୍ଦରକୁ ମାଲ୍ ଲୋଡିଂ ଅନଲୋଡିଂ ପାଇଁ ଆସୁଥିବା ଜାହାଜର ବିଦେଶୀ କର୍ମଚାରୀଙ୍କୁ ବେଆଇନ ଭାବେ ମୋବାଇଲ୍ ସିମ୍ କରୁଥିଲେ ବିକ୍ରି । ଦୁବାଇର ଏକ ଜାହାଜରେ ଥିବା ବିଦେଶୀଙ୍କୁ ସିମ୍ ବିକ୍ରି କରିବାକୁ ଯାଉଥିଲା ବେଳେ ପୋଲିସ ମାଡ଼ି ବସିଥିଲା । ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି ।