ବିଦ୍ୟୁତ କଟାଯିବା ପ୍ରତିବାଦରେ ଗାଁରେ ଅସନ୍ତୋଷ

ସୁବର୍ଣ୍ଣପୁର ଜିଲ୍ଲାରେ ବିଦ୍ୟୁତ୍ ବିତରଣ କରୁଥିବା କମ୍ପାନୀ ଟାଟା ପାୱାର ବିରୋଧରେ ଅସନ୍ତୋଷ। ବିଦ୍ୟୁତ୍ ସଂଯୋଗ କଟାଯିବାର ପ୍ରତିବାଦ କରି ବୀରମହାରାଜପୁର ବ୍ଲକ୍ ବହଳପଦର୍ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ଟାଟା କମ୍ପାନୀର କର୍ମଚାରୀ ବହଲପଦର୍ ଗାଁକୁ କିଛି ଦିନ ତଳେ ବକେୟା ବିଦ୍ୟୁତ୍ ବିଲ୍ ସଂଗ୍ରହ କରିବା ପାଇଁ ଆସିଥିଲେ । ଉପଭୋକ୍ତା ପିଛା ୨ ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ ।
ତେବେ ଗ୍ରାମବାସୀ ପ୍ରତି ମାସରେ ନଗଦ ବିଲ୍ ଦେଉଥିବାରୁ ହଜାରେ ଟଙ୍କା ଲେଖାଏଁ ଦେବାକୁ ରାଜି ହୋଇଥିଲେ । ଦୁଇ ହଜାର ଟଙ୍କା ନଦେଲେ ବିଦ୍ୟୁତ୍ ସଂଯୋଗ କାଟି ଦେବାକୁ ଧମକ ଦେଇଥିଲେ ଟାଟା ପାୱାର କର୍ମଚାରୀ ।
ଗତକାଲି ବିନା ସୂଚନାରେ ବିଦ୍ୟୁତ୍ ସଂଯୋଗ କଟାଯାଇଥିବା ଅଭିଯୋଗ ହୋଇଛି । ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ତାପମାତ୍ରା ବଢ଼ିବାରେ ଲାଗିଛି, ପୁଣି ଗାଁ ଗାଁରେ ପାଣି ସମସ୍ୟା ରହିଛି । ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବାରୁ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବିଦ୍ୟୁତ୍ ବିଲ୍ ବାକି ଥିଲେ ବି ଗ୍ରୀଷ୍ମ ଦିନରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ । ଏହା ସତ୍ବେ ଟାଟା ପାୱାର ମନମାନି କରୁଥିବା ଅଭିଯୋଗ ହେଉଛି। ବିଦ୍ୟୁତ୍ ସଂଯୋଗ ନହେବା ଯାଏଁ ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।