ପିଇବା ପାଣି ପାଇଁ ଡହକବିକଳ ଗାଁ ଲୋକେ

ଦୁର୍ଗମରେ ଜଳ ସଙ୍କଟ। ପାଣି ପାଇଁ ଡହଳ ବିକଳ ପରିସ୍ଥିତି । ଏ ହେଉଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡିଆପାଳି ପଂଚାୟତ ବୁଢୀବାହାଲ ଗାଁ । ଦୁଇ ୱାର୍ଡ ବିଶିଷ୍ଟ ଏହି ଗାଁରେ ପ୍ରାୟ ୧୫୦୦ରୁ ଅଧିକ ଲୋକ ବସବାସ କରନ୍ତି । କିନ୍ତୁ ଗାଁରେ ଦିନକୁ ଦିନ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା। ରାତି ପାହିଲେ ଗ୍ରାମବାସୀଙ୍କୁ ଘାରୁଛି ପାଣି ଚିନ୍ତା। ପାଣି ପାଇଁ ଗାଁର ଶେଷ ମୁଣ୍ଡରେ ଥିବା ଏକ କୂଅ ହିଁ ଏକମାତ୍ର ସାହାରା। ପାଣି ମୁନ୍ଦେ ପାଇଁ କୂଅ ପାଖରେ ଲାଗୁଛି ଲୋକଙ୍କ ଗହଳି । ରକ୍ଷଣା ବେକ୍ଷଣ ଅଭାବରୁ କୂଅ ବି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି। ବିକଳ୍ପ ନଥିବାରୁ ଅଳିଆ ଆବର୍ଜନାରେ ଭର୍ତ୍ତି ଏହି କୂଅ ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ।
ଗ୍ରାମବାସୀଙ୍କୁ ପିଇବା ପାଣି ଯୋଗାଇବା ଲକ୍ଷରେ ବସୁଧା ଯୋଜନାରେ ଗାଁ ଶେଷ ମୁଣ୍ଡରେ ପାଣି ଟାଙ୍କି ନିର୍ମାଣ କରାଯାଇଛି। ଗାଁକୁ ପାଣି ସଂଯୋଗ ପାଇଁ ପାଇପ ବିଛା ଯାଇଛି । ଗାଁର ସମସ୍ତ ଘର ବାହାରେ ଷ୍ଟାଣ୍ଡପୋଷ୍ଟ ମଧ୍ୟ ଲଗାଯାଇଛି । କିନ୍ତୁ ଦୁଇ ବର୍ଷରୁ ଅଧିକ ସମୟ ବିତିଥିଲେ ସୁଧା ଆଜି ଯାଏଁ ଟାଙ୍କି କାମ ଶେଷ ହୋଇନାହିଁ। ଏନେଇ ଗ୍ରମାବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ବି ପ୍ରଶାସନ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହି । ଠିକାଦାରଙ୍କ ମନ ମୁତାବକ କାମ ଯୋଗୁ ଗାଁ ଲୋକେ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି।
ଆଗକୁ ପାନୀୟ ଜଳ ସମସ୍ୟା ଦୂର ନହେଲେ ଗ୍ରାମବାସୀ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ଗ୍ରାମବାସୀଙ୍କ ପିଇବା ପାଣି ସମସ୍ୟା କେବେ ଦୂର ହେଉଛି ତାହା ଦେଖିବା ବାକି ରହିଲା।