Pihu Missing Case / ବହୁଚର୍ଚ୍ଚିତ 'ପିହୁ' ନିଖୋଜ ମାମଲା: ମାମଲାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

Key Points
କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯାଜପୁର ସାଂସଦ
୬ ବର୍ଷ ପରେ ବି ଅସମାହିତ ପିହୁ ନିଖୋଜ ରହସ୍ୟ
ନ୍ୟାୟ ପାଇଁ ଫେରାଦ ହେଲେ ସାଂସଦ ଓ ବିଧାୟକ
ମାମଲାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ
ଯାଜପୁର ବିଂଝାରପୁର ଥାନା ମଧୁସୂଦନପୁର ଅଞ୍ଚଳର ବହୁଚର୍ଚ୍ଚିତ 'ପିହୁ' ନିଖୋଜ ଘଟଣାକୁ ପ୍ରାୟ ୬ ବର୍ଷ ବିତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ନିଖୋଜ ଶିଶୁ କନ୍ୟାର କୌଣସି ସନ୍ଧାନ ମିଳିପାରିନାହିଁ । ଏହି ମାମଲାର ନିରପେକ୍ଷ ତଦନ୍ତ ଓ ପିହୁକୁ ନ୍ୟାୟ ପ୍ରଦାନ ପାଇଁ ଘଟଣାକୁ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ।
ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସହ ଯାଜପୁର ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ମାମଲାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ପୂର୍ବ ସରକାର ସମୟ ୨୦୨୦ ଅଗଷ୍ଟ ୯ ତାରିଖରେ ମାତ୍ର ୨ ବର୍ଷ ବୟସର ଶିଶୁ କନ୍ୟା ପିହୁ ନିଜ ଘର ନିକଟରୁ ସନ୍ଦେହଜନକ ଭାବେ ନିଖୋଜ ହୋଇଯାଇଥିଲା ।
ଘଟଣା ପରେ ବିଂଝାରପୁର ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ବିଭିନ୍ନ ଟିମ୍ ଗଠନ କରି ଖୋଜାଖୋଜି କରିବା ସହ ପୁରସ୍କାର ରାଶି ଘୋଷଣା କରିଥିଲେ ସୁଦ୍ଧା ସଫଳତା ମିଳିନଥିଲା । ନିଜ ଝିଅକୁ ଖୋଜିବା ପାଇଁ ମା' ମୋନାଲିସା ଦୀର୍ଘ ବର୍ଷ ଧରି ପୁଲିସ, ପ୍ରଶାସନ ଓ ବିଭିନ୍ନ ମଞ୍ଚରେ ଲଢ଼େଇ ଜାରି ରଖିଛନ୍ତି ।
ଏପରିକି ସେ ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନ କରିବା ସହ ଜାତୀୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଏତେ ବର୍ଷ ପରେ ବି ଝିଅର ସନ୍ଧାନ ନମିଳିବାରୁ ସେ ପୂର୍ବ ସରକାରଙ୍କୁ ଦାୟୀ କରିଥିଲେ । ପୂର୍ବରୁ ବିଜେପି ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଏବେ ସାଂସଦ ଏହାକୁ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି ।
ସୂଚନାଥାଉ କି କିଛି ମାସ ପୂର୍ବରୁ ପିହୁର ମା'କୁ ଫୋନ କଲରେ ଆସୁଛି ହତ୍ୟା ଧମକ । ଯାହାକୁ ନେଇ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ପିହୁର ମା' ମୋନାଲିସା ନାୟକ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୁଦନପୁର ଗ୍ରାମର କୁନି ଝିଅ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ଯାହାକୁ ନେଇ ମା' ମୋନାଲିସା ନାୟକ ଆଜି ପର୍ଯ୍ୟନ୍ତ ଝିଅର ସନ୍ଧାନ ନିମନ୍ତେ ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି ।
ତାଙ୍କ ମୋବାଇଲ ନମ୍ବରକୁ ଦୁଇ ତିନୋଟି ଭିନ୍ନ ଭିନ୍ନ ନମ୍ବରରୁ ଫୋନ ଆସୁଥିବା ବେଳେ ସେମାନେ ଅସଭ୍ୟ ଭାଷାରେ ଗଳିଗୁଲଜ କରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଯାହାକୁ ନେଇ ମୋନାଲିସା ନାୟକ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପଟେ ବିଞ୍ଝାରପୁର ପୋଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପିହୁ ମା’ଙ୍କୁ କିଏ ଦେଉଛି ହତ୍ୟା ଧମକ ? କାହିଁକି ପିହୁ ମା’ଙ୍କୁ ମାରିଦେବାକୁ କିଏ ଚାହୁଁଛି ? ଏହା ପଛରେ କଣ ରହିଛି କି କିଛି ଷଡ଼ଯନ୍ତ୍ର ? ଏସବୁ ପ୍ରଶ୍ନ ଭିତରେ ତଦନ୍ତ ଆରମ୍ଭ କରିଛି ବିଞ୍ଝାରପୁର ଥାନା ପୋଲିସ ।
📱 Get Argus News App
✨Related Topics
Explore more stories