ପିପିଲି-କୋଣାର୍କକୁ ସଂଯୋଗ କରିବ ନୂଆ ଗ୍ରୀନ୍-ଫିଲ୍ଡ କରିଡର, ୧୦୦ KM ବେଗରେ ଯାଇପାରିବ ଗାଡ଼ି

Key Points
୨୦୦ ଫୁଟ୍ ଚଉଡ଼ା ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେଲେ ଯାନବାହନ ଗୁଡ଼ିକ ୧୦୦ କିମି ବେଗରେ ଗତି କରି ପାରିବ । ଫଳରେ ପିପିଲିରୁ କୋଣାର୍କ ଯିବାକୁ ସମୟ ଅବଧି ଦେଢ଼ ଘଣ୍ଟାରୁ ୩୦ ମିନିଟ୍କୁ ହ୍ରାସ ପାଇବ ।
ଭୁବନେଶ୍ଵର: ପ୍ରଶସ୍ତ ହେବ ପୁରୁଣା ପିପିଲି-କୋଣାର୍କ ରାସ୍ତା । ରାସ୍ତାକୁ ୭ ମିଟରରୁ ୧୦ ମିଟର ପର୍ଯ୍ୟନ୍ତ ଅଧିକ ପ୍ରଶସ୍ତ କରାଯିବ । ନୂତନ ଭାବେ ପିପିଲି-କୋଣାର୍କକୁ ନୂଆ ଗ୍ରୀନ୍ ଫିଲ୍ଡ କରିଡର ସହ ସଂଯୋଗ କରିବା ନେଇ ଆଲୋଚନା ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ପୁରୀ ଜିଲ୍ଲା ରୋଡ୍ ନେଟୱର୍କ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି I
ବୈଠକରେ ପୁରୀ ସହର ଭିତରେ ଥିବା ବିଭିନ୍ନ ରାସ୍ତାର ପ୍ରଶସ୍ତି କରଣ, ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରିଛକ ଠାରୁ ଅସ୍ତରଙ୍ଗ ଏବଂ ଜଲାରପୁର ଠାରୁ ଚାରିଛକ ପର୍ଯ୍ୟନ୍ତ ୪ ଲେନ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା I ରାଜ୍ୟ ସରକାର ବର୍ତ୍ତମାନ ସାରା ରାଜ୍ୟର ରୋଡ୍ ନେଟୱାର୍କର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି I
ଏହି କ୍ରମରେ ଭୁବନେଶ୍ୱର-ପୁରୀ-କୋଣାର୍କକୁ ଏକ ସୁଦୃଢ ରୋଡ୍ କରିଡରରେ ଯୋଡ଼ିବା ନେଇ ଥିବା ପ୍ରସ୍ତାବକୁ ତ୍ୱରିତ ବେଗରେ ଆଗେଇ ନେବା ପାଇଁ ଗୁରୁତ୍ଵ ଦିଆଯାଇଛି । ପିପିଲି-କୋଣାର୍କକୁ ସଂଯୋଗ କରିବାକୁ ଥିବା ନୂଆ ଗ୍ରୀନ ଫିଲ୍ଡ କରିଡର ବହୁ ଗୁରୁତ୍ୱ ବହନ କରୁଛି I ଯାହାର ଲମ୍ବ ରହିବ ୪୦ କିଲୋମିଟର I
୨୦୦ ଫୁଟ୍ ଚଉଡ଼ା ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେଲେ ଯାନବାହନ ଗୁଡ଼ିକ ୧୦୦ କିମି ବେଗରେ ଗତି କରି ପାରିବ । ଫଳରେ ପିପିଲିରୁ କୋଣାର୍କ ଯିବାକୁ ସମୟ ଅବଧି ଦେଢ଼ ଘଣ୍ଟାରୁ ୩୦ ମିନିଟ୍କୁ ହ୍ରାସ ପାଇବ । ଏହି ରାସ୍ତାର ନକ୍ସା ପ୍ରସ୍ତୁତ ସହ ଜମି ଅଧିଗ୍ରହଣ ଓ ଅନ୍ୟାନ ବିଷୟ ଉପରେ ଧ୍ୟାନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।
📱 Get Argus News App
✨
ପୁରୀ ସହର ତାଜ ଇଣ୍ଟରନ୍ୟାସନାଲ ଠାରୁ ସିଟି ରୋଡ୍ ଦେଇ ଜଗନ୍ନାଥ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକୁ ୪ ଲେନ୍ କରିବା ନେଇ ଆଲୋଚନା ହୋଇଥିଲା I ଏଥିସହିତ ଶ୍ରୀ ଚୈତନ୍ୟ ରୋଡ୍ ଠାରୁ ବାଲିସାହି ଦେଇ ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତା, ଦୋଳ ମଣ୍ଡପ ସାହି ରାସ୍ତା ଏବଂ ଝଡ଼େଶ୍ୱରୀ କ୍ଲବ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତି କରଣ ନେଇ ସର୍ଭେ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।
ବୈଠକରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ମୁଖ୍ୟଯନ୍ତ୍ରୀ ରୋଡ୍-୧ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ ରୋଡ୍-୨ ଶିବବ୍ରତ ତରିଆ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ (ଖୋର୍ଦ୍ଧା) ରାମଚନ୍ଦ୍ର ସେଠୀ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ ଏବଂ ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଦ୍ଵିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।