'ମୋତେ, ମୋ ଦଳ ଓ ସରକାରଙ୍କୁ ବଦନାମ କରିବାକୁ ଯୋଜନାବଦ୍ଧ ଉଦ୍ୟମ'

Key Points
ଜଗା ପ୍ରଧାନଙ୍କ ଗିରଫ ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ଓଏଏସ୍ ସଂଘ ।
ସୂଚନା ଦେଇଛନ୍ତି OAS ସଂଘ ସଭାପତି ଜ୍ୟୋତି ରଞ୍ଜନ ମିଶ୍ର ।
ଜଗନ୍ନାଥ ପ୍ରଧାନ କହିଛନ୍ତି, ଅତିରିକ୍ତ କମିଶନରଙ୍କୁ ମାଡ଼ ମରାଯିବା ଘଟଣାରେ ମୋର ସଂପୃକ୍ତି ନାହିଁ।
ତିନି ଦିନ ହେଲା ଚାଲିଥିବା ହାଇଡ୍ରାମାର ଘଟିଛି ଅନ୍ତ । BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଡିସିପି ଅଫିସରେ ଆତ୍ମସପର୍ମଣ କଲେ ଜଗନ୍ନାଥ ପ୍ରଧାନ। ଆତ୍ମସମର୍ପଣ ପରେ ପୋଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛି। ଡିସିପି କହିଛନ୍ତି, FIR ଓ ପୀଡ଼ିତଙ୍କ ବୟାନ ଆଧାରରେ ଗିରଫ ହୋଇଛନ୍ତି ଜଗା । ଗିରଫ ପରେ ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ କୋର୍ଟରେ ହାଜର କରାଯାଇଥିଲା।
ତେବେ ତାଙ୍କ ଜାମିନ ନାମଞ୍ଜୁର ହୋଇଥିଲା। ତେଣୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଜଗା ପ୍ରଧାନ । ଜଗନ୍ନାଥ ପ୍ରଧାନ ଷଷ୍ଠ ଅଭିଯୁକ୍ତ ଭାବେ ଗିରଫ ହୋଇଛନ୍ତି । ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଅନ୍ୟପଟେ ଜଗା ପ୍ରଧାନଙ୍କ ଗିରଫ ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ଓଏଏସ୍ ସଂଘ । ଶୁକ୍ରବାରଠାରୁ ଓଏଏସ୍ ସଂଘ ପୂର୍ବଭଳି କାର୍ଯ୍ୟରେ ଯୋଗଦେବେ । ଏନେଇ ସୂଚନା ଦେଇଛନ୍ତି OAS ସଂଘ ସଭାପତି ଜ୍ୟୋତି ରଞ୍ଜନ ମିଶ୍ର । ଏହି ମାଡ଼ ଘଟଣାରେ ରାଜ୍ୟ ସରକାର ଓ ଓଏଏସ୍ ଅଧିକାରୀ ସଂଘ ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିଲେ। ଜଗନ୍ନାଥ ପ୍ରଧାନ ମୁଖ୍ୟ ଷଡ଼୍ଯନ୍ତ୍ରକାରୀ ବୋଲି ସଂଘ ଅଭିଯୋଗ କରିବା ସହ ତାଙ୍କର ଗିରଫ ଦାବିରେ ଅଟଳ ରହିଥିଲା। ଫଳରେ ପ୍ରଶାସନିକ ଅଚଳାବସ୍ଥା ତୃତୀୟ ଦିନରେ ପହଞ୍ଚିଥିଲା। ଜିଲ୍ଲା ଓ ବ୍ଲକ୍ ସ୍ତରରେ ଏନେଇ ଲୋକେ ଅନେକ ହଇରାଣ ହୋଇଥିଲେ।
ତେବେ ଗିରଫ ମାମଲାରେ ଜଗନ୍ନାଥ ପ୍ରଧାନ କହିଛନ୍ତି, ଅତିରିକ୍ତ କମିଶନରଙ୍କୁ ମାଡ଼ ମରାଯିବା ଘଟଣାରେ ମୋର ସଂପୃକ୍ତି ନାହିଁ। ମୁଁ ଏହି ଘଟଣାକୁ ନିନ୍ଦା କରିଛି। କିନ୍ତୁ ମୋତେ, ମୋ ଦଳ ଓ ସରକାରଙ୍କୁ ବଦନାମ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରାଗଲା। ଓଏଏସ୍ ସଂଘ ମଧ୍ୟ ଏହି ଯୋଜନାର ଶିକାର ହୋଇ ମୋ ଗିରଫ ଦାବି କରି ଆନ୍ଦୋଳନରେ ଅଛନ୍ତି। ଫଳରେ ବନ୍ୟା ଦୁର୍ଗତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ, କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ଆବଣ୍ଟନ ପ୍ରଭାବିତ ହୋଇପାରେ। ବାହୁଡ଼ା ଯାତ୍ରା ଓ ମହାପ୍ରଭୁଙ୍କ ସୁନାବେଶ ମଧ୍ୟ ପ୍ରଭାବିତ ହୋଇପାରେ। ଯଦି ମୋର ଗିରଫଦାରୀ ଏହାର ସମାଧାନର ବାଟ, ତେବେ ସରକାରଙ୍କ ସମ୍ମାନ ଏବଂ ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମୁଁ ତଦନ୍ତରେ ସହଯୋଗ କରିବାକୁ ଆସିଛି।
ଏପଟେ ଜଗା ପ୍ରଧାନଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲେ । ପ୍ରଥମେ ବାଣୀବିହାର ଛକରେ ଜାତୀୟ ରାଜପଥ ଅବରୋଧ କରି ଜୋରଦାର ପ୍ରତିବାଦ କରିଥିଲେ । ଏହି ଅବରୋଧ ଯୋଗୁଁ ଗାଡ଼ି ଚଳାଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସକୁ ନାକେଦନ ହେବାକୁ ପଡ଼ିଥିଲା । ଏହାପରେ ଝାରପଡ଼ା ଜେଲ ବାହାରେ ଶତାଧିକ ସମର୍ଥକ ଗିରଫଦାରୀକୁ ବିରୋଧ କରି ଏକାଠି ହୋଇଥିଲେ । ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ତାଙ୍କ ସମର୍ଥକମାନେ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ ମୁତୟନ କରିବାକୁ ପଡ଼ିଥିଲା ।