ଲୋକଙ୍କ ଜୀବନ ଆଗ, ପ୍ରୋଟୋକଲ୍ ପଛ; ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ ଅଟକିଲା PMଙ୍କ କାରକେଡ୍

ଭୁବନେଶ୍ଵର: ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିଲେ ପ୍ରଧାନମନ୍ତ୍ରୀ । ଭୁବନେଶ୍ଵର ବିମାନବନ୍ଦରରୁ ସମ୍ମିଳନୀ ସ୍ଥଳ ଜନତା ମଇଦାନ ଅଭିମୁଖେ ଆଗଉଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ । କିନ୍ତୁ ରାସ୍ତାରେ କ୍ୟାପିଟାଲ୍ ହସ୍ପିଟାଲ୍ ପାଖରେ ଭାଙ୍ଗିଲା ପିଏମ୍ଙ୍କ କାରକେଡର ପ୍ରୋଟୋକଲ୍ । କାରଣ ଥିଲା ଜୀବନ ଆଗ । ରାସ୍ତାରେ ଯାଉଥିବା ଏକ ଆମ୍ବୁଲାନ୍ସକୁ ଆଗ ବାଟ ଛଡ଼ାଗଲା । ତା ପରେ ଆଗେଇଲା ପିଏମ୍ଙ୍କ କାରକେଡ୍ ।
ପୁଣି ଥରେ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହନୀୟତା । ପୁଣି ଥରେ ଦୁନିଆ ଦେଖିଲା ମୋଦି ଅଟକନ୍ତି ଆମ୍ବୁଲାନସ ନୁହେଁ । ଏଭଳି ବିରଳ ଚିତ୍ର କ୍ୟାମେରାରେ କଏଦ ହୋଇଛି ଭୁବନେଶ୍ଵର କ୍ୟାପିଟାଲ ହସପିଟାଲ ଛକରେ । ମଙ୍ଗଳବାର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେବା ପାଇଁ ଭୁବନେଶ୍ଵର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ।
ପିଏମଙ୍କ କାରକେଡ ବିମାନବନ୍ଦରରୁ ଜନତା ମଇଦାନ ଅଭିମୁଖେ ଯାଉଥିଲା । କ୍ୟାପିଟାଲ ହସ୍ପିଟାଲ ଛକରେ ହସ୍ପିଟାଲ ପଟୁ ଆସୁଥିଲା ଏକ ଆମ୍ବୁଲାନ୍ସ ଆଉ ଆମ୍ବୁଲାନ୍ସର ସାଇରନ ଶୁଣି ଛକ ପୂର୍ବରୁ କିଛି ସମୟ ପାଇଁ ଅକଟି ଯାଇଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ । ଆମ୍ବୁଲାନ୍ସଟି ଛକ ଅତିକ୍ରମ କରିବା ପରେ ପୁଣି ପିଏମ୍ଙ୍କ କାରକେଡ ଆଗକୁ ବଢିଥିଲା । ଲୋକଙ୍କ ଜୀବନ ଆଗରେ ପ୍ରୋଟୋକଲ କିଛି ଗୁରୁତ୍ଵ ରଖେନି ଏହା ପୁଣିଥର କରି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ।
ଅବଶ୍ୟ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ବି ଅନେକ ଥର ପ୍ରଧାନମନ୍ତ୍ରୀଙ୍କ କାରକେଡ ଅଟକିଛି ଆମ୍ବୁଲାନ୍ସ ପାଇଁ । ସେହି ଘଟଣାଗୁଡି଼କ ଉପରେ ଆସନ୍ତୁ ନଜର ପକାଇବା ।
📱 Get Argus News App
✨୩୦ ସେପ୍ଟେମ୍ବର ୨୦୨୨ । ଅହମ୍ମଦାବାଦରୁ ଗାନ୍ଧିନଗର ଅଭିମୁଖେ ଯାଉଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ । ଏହି ସମୟରେ ପଛରୁ ଆସିଥିଲା ଏକ ଆମ୍ବୁଲାନ୍ସ । ପ୍ରଧାନମନ୍ତ୍ରୀଙ୍କ କାରକେଡ ରାସ୍ତା କଡ଼ରେ ଅଟକି ଯାଇଥିଲା କିଛି ସମୟ ପାଇଁ । ଆମ୍ବୁଲାନ୍ସଟି କାରକେଡକୁ ଅତିକ୍ରମ କରି ଆଗକୁ ଯିବା ପରେ ପୁଣି ଆଗକୁ ବଢିଥିଲା ପିଏମଙ୍କ କାଫିଲା ।
ନଭେମ୍ବର ୨୦୨୨। ହିମାଚଳ ପ୍ରଦେଶର ଚାମ୍ବିରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଯିବାକୁ ଥିବା ରାସ୍ତାରେ ଏକ ଆମ୍ବୁଲାନ୍ସ ଆସିଥିଲା । ଆଉ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିବା ପାଇଁ ପିଏମଙ୍କ କାରକେଡ୍ ଅଟକି ରହିଥିଲା । ଆମ୍ବୁଲାନ୍ସ ଆଗକୁ ଯିବା ପରେ ମୁଖ୍ୟ ରାସ୍ତାରେ ପ୍ରବେଶ କରିଥିଲା ପ୍ରଧାନମନ୍ତ୍ରୀଙ୍କ କାଫିଲା ।
ଡିସେମ୍ବର ୨୦୨୨ । ଅହମ୍ମଦାବାଦରେ ନିର୍ବାଚନୀ ରୋଡ ଶୋ କରୁଥିଲେ ପ୍ରଧାନମନ୍ତ୍ରୀ ମୋଦି । ରାସ୍ତାର ଦୁଇ ପାଖରେ ପ୍ରବଳ ଜନଗହଳି ଥାଏ । ଏହି ସମୟରେ ପଛରୁ ଆସିଥଲା ଏକ ଆମ୍ବୁଲାନ୍ସ । ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ଏସପିଜି ଯବାନମାନେ ପିଏମ୍ଙ୍କ ଗାଡ଼ିକୁ ସାଇଡ କରି ଆମ୍ବୁଲାନ୍ସକୁ ଯିବା ପାଇଁ ରାସ୍ତା ଦେଇଥିଲେ । ରାସ୍ତରୁ ଲୋକଙ୍କୁ ହଟାଇବାରେ ମଧ୍ୟ ସାହାଯ୍ୟ କରିଥିଲେ ଏସପିଜି ଯବାନ । ଏଥିପାଇଁ କିଛି ସମୟ ଧରି ଗୋଟିଏ ସ୍ଥାନରେ ଅଟକି ଯାଇଥିଲା ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ ।
ସେହିପରି ଡିସେମ୍ବର ୨୦୨୩ରେ ନିଜ ନିର୍ବାଚନ କ୍ଷେତ୍ର ବାରଣାସୀରେ ରୋଡ ଶୋ କରୁଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ପଛରୁ ଆସୁଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ଅଟକି ଯାଇଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ । ଆମ୍ବୁଲାନ୍ସ ଯିବା ପରେ ପୁଣି ଆଗକୁ ବଢିଥିଲା ରୋଡ୍ ଶୋ ।
ମଙ୍ଗଳବାର ଭୁବନେଶ୍ଵରରେ ତାର ପୁନରାବୃତ୍ତି ଦେଖବାକୁ ମିଳିଛି । କ୍ୟାପିଟାଲ ହସ୍ପିଟାଲ ଛକରେ ଆମ୍ବୁଲାନ୍ସ ପାଇଁ ପିଏମଙ୍କ କାରକେଡ ଅଟକିବା ଦୃଶ୍ୟ ଓଡ଼ିଶାବାସୀଙ୍କ ହୃଦୟ ଜିଣି ନେଇଛି ।