ଛାତ୍ରୀଙ୍କ ଅଭିଯୋଗ ପାଉ ପାଉ ଅଧ୍ୟାପକଙ୍କୁ ଗିରଫ କଲା ପୋଲିସ

Key Points
ମହିଳା ହେଲ୍ପଲାଇନ୍ ନଂ- ୧୮୧
ଶିଶୁ ହେଲ୍ପଲାଇନ୍ ନଂ- ୧୦୯୮
ପୋଲିସ- ୧୧୨
ସ୍କୁଲ ଛାତ୍ର ହେଲ୍ପଲାଇନ ନଂ- ୧୮୦୦୩୪୫୬୭୨୨
ବିରି ମାଡ଼ ଦେଖି କୋଳଥା ଚେପା । ବାଲେଶ୍ୱର ଘଟଣା ପରେ ଆକ୍ଟିଭ ହୋଇଯାଇଛି ଓଡ଼ିଶା ପୋଲିସ । ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘାଟଣା ଏବେ ସମସ୍ତଙ୍କ ମନରେ ଭୟ ଭରି ଦେଇଛି । ସେତେବେଳେ ବାଲେଶ୍ୱର ପୋଲିସ ପୀଡ଼ିତାଙ୍କ ଅଭିଯୋଗ ଶୁଣିନଥିଲା ବୋଲି ନୀରିହ ଜୀବନଟେ ଚାଲିଗଲା। ତେଣୁ ଆଉ କେହି ଏଭଳି ଘଟଣାକୁ ହାଲୁକା ଭାବେ ନେବାକୁ ଚାହୁଁନାହାନ୍ତି । ଯାହାର ପ୍ରମାଣ ମିଳିଛି ସମ୍ବଲପୁର GM ବିଶ୍ୱବିଦ୍ୟାଳୟରୁ । ଜଣେ ଛାତ୍ରୀଙ୍କ ଅଭିଯୋଗ ପାଇବା ମାତ୍ରେ ସମ୍ବଲପୁର ପୋଲିସ ତତ୍ପରତା ଦେଖାଇଛି । ଏହାସହ ତୁରନ୍ତ ପଦକ୍ଷେପ ନେଇଛି ।
GM ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କ ପକ୍ଷରୁ ନିର୍ଯାତନା ଅଭିଯୋଗ ପାଉ ପାଉ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ସେହି ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ । ସେ ଏଜୁକେସନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଅଧ୍ୟାପକଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ ଏହି ଅଧ୍ୟାପକ । ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ ।
ସେପଟେ ରାଜ୍ୟ ସରକାର ମଧ୍ୟ ଏବେ ଖୁବ୍ ଆକ୍ଟିଭ । ବାଲେଶ୍ୱର ଘଟଣା ସରକାରଙ୍କ ଚେତା ପଶିଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ମହିଳା ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍ ଅଣାଯାଇଛି । ସଠିକ ଭାବେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ବିଦ୍ୟାଳୟ ଓ ରେସିଡେଣ୍ଟାଲ ହଷ୍ଟେଲ ପାଇଁ ହେଲ୍ପଲାଇନ୍ ନଂ ଜାରି କରାଯାଇଛି । ମହିଳା ହେଲ୍ପଲାଇନ୍ ନଂ- ୧୮୧, ଶିଶୁ ହେଲ୍ପଲାଇନ୍ ନଂ- ୧୦୯୮, ପୋଲିସ- ୧୧୨, ସ୍କୁଲ ଛାତ୍ର ହେଲ୍ପଲାଇନ ନଂ- ୧୮୦୦୩୪୫୬୭୨୨, । ସ୍କୁଲରେ ଭଲ ଭାବେ ହେଲ୍ପ ଲାଇନ ନଂ ଲଗାଇବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି ।
📱 Get Argus News App
✨ଅନ୍ୟପଟେ ଆଜି ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବି କରି କଂଗ୍ରେସ ଓଡ଼ିଶା ବନ୍ଦ କରିଛି । ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ଛକ ଓ ବଜାରରେ କଂଗ୍ରେସ ନେତା ଓ କର୍ମୀଙ୍କ ପିକେଟିଂ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଂଗ୍ରେସର ଓଡିଶା ବନ୍ଦକୁ ସମର୍ଥନ ପାଇଁ ଭୁବନେଶ୍ବର ଗସ୍ତରେ କଂଗ୍ରେସ ରାଷ୍ଟ୍ରୀୟ ନେତ୍ରୀ ଅଳକା ଲାମ୍ବା ଆସିଛନ୍ତି । ମାଷ୍ଟର କ୍ୟାଣ୍ଟିନ ଛକରେ ମହିଳା କର୍ମୀଙ୍କ ସହ ମିଶି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଛାତ୍ରୀଙ୍କୁ ନ୍ୟାୟ ଦେବା ନାଁରେ କଂଗ୍ରେସର ଗୁଣ୍ଡାଗର୍ଦ୍ଦି ମଧ୍ୟ ଦେଖିବାକୁ ମିଳିଛି । ବନ୍ଦ ପାଳନ ବେଳେ ଜଗତସିଂହପୁରରେ ଯୁବକଙ୍କୁ କଂଗ୍ରେସ କର୍ମୀ ମାଡ଼ ମାରୁଥିବା ଘଟଣା କ୍ୟାମେରାରେ କୟଦ ହୋଇଛି ।
ସେଭଳି ଅନୁଗୁଳ ଛେଣ୍ତିପଦାରେ କଂଗ୍ରେସ ନେତା ବନ୍ଦ ସମୟରେ ବସ ଉପରେ ଆକ୍ରମଣ କରିଛନ୍ତି। କଂଗ୍ରେସ ନେତାଙ୍କ ମାଡରେ ବସ୍ର କାଚ ଭାଙ୍ଗିଯାଇଛି। ସେହିଭଳି ଭୁବନେଶ୍ବର କଳ୍ପନା ଛକରେ ମିଡିଆ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଛି । ବ୍ରହ୍ମପୁର ଆସ୍କାରେ ବନ୍ଦ ସମୟରେ ସାଧାରଣ ଜନତା ଓ କଂଗ୍ରେସ କର୍ମୀ ମୁହାଁମୁହିଁ । ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା ।