Videos
|
Odisha

ଓଡ଼ିଶାରେ ଅପରାଧ, ବାଂଲାଦେଶରୁ ଅପରେଟ୍‌ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·3 min read
ଓଡ଼ିଶାରେ ଅପରାଧ, ବାଂଲାଦେଶରୁ ଅପରେଟ୍‌ !

Key Points

  • ସିମ୍‌ ବକ୍ସ କ୍ରାଇମର ଖୋଲିଲା ଗୁମର
  • ବାଂଲାଦେଶୀ ମାଷ୍ଟର ମାଇଣ୍ଡରେ ସବୁ ହେଉଥିଲା ଅପରେଟ୍‌
  • ଏମିତି କାମ କରିଛି ଯେ ପ୍ରମାଣ ଗୋଟିଏ ଜାଗାରେ ନାହିଁ

ଅର୍ଗସ ବ୍ୟୁରୋ : ଖୋଲୁଛି ବାଂଲାଦେଶୀ ମାଷ୍ଟର ମାଇଣ୍ଡର ଗୁମର । ଓଡ଼ିଶା ଆସି ହୋଟେଲରେ ରହିବା ଓ ଘର ଭଡ଼ା ନେଇ ସିମବକ୍ସ ବସାଇବା ଯାଏଁ ସବୁ କାମ ଚତୁରତାର ସହ ନିଜେ କରୁଥିଲା ଅସାଦ୍ଦୁର । କୌଣସି ଜାଗାରେ ଟିକିଏ ବି ପ୍ରମାଣ ଛାଡ଼ିନି । ହେଲେ ଏତେ ଦୂରରୁ ଆସି ଓଡ଼ିଶାରେ କେମିତି ଏମିତି ଅପରାଧ କାମ କରୁଥିଲା ତାହାକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ପୁରା ଖିଅ କାଢିବାରେ ବ୍ୟସ୍ତ ଅଛି କମିଶନରେଟ୍‌ ପୋଲିସ । ସବୁଠୁ ଚାଞ୍ଚଲ୍ୟକର କଥା ହେଉଛି, ଓଡ଼ିଶା ଭଳି ଝାଡଖଣ୍ଡରେ ବି ରହିଛି ସିମବକ୍ସ ନେଟୱାର୍କ । ତେଣୁ ତଥ୍ୟ ପାଇବା ନେଇ ରାଂଚି ଗସ୍ତରେ ଓଡ଼ିଶା ପୋଲିସ । 

ସିମ୍‌ ବକ୍ସ ସେଟଅପ୍‌କୁ ନେଇ ଉଠୁଛି ପଡୁଛି ରାଜ୍ୟ । କେମିତି ଓଡ଼ିଶାରେ ଏ ନେଟୱାର୍କ ଚାଲୁଥିଲା ? ଏଥିଲାଗି କେଉଁମାନେ ଦାୟୀ ? ସେନେଇ ପୋଲିସ ଖୋଳତାଡ କରୁଛି । ୪ ଦିନର ଖୋଳତାଡ଼ ଭିତରେ ପ୍ରଥମେ ଭୁବନେଶ୍ୱର, ପରେ କଟକ ଆଉ ଗତକାଲି ଝାଡ଼ଖଣ୍ଡ ଲିଙ୍କ୍ ସାମ୍ନାକୁ ଆସିଛି । ଝାଡ଼ଖଣ୍ଡର ରାଞ୍ଚିରେ ବି କୁଆଡ଼େ ବସିଛି ସିମ୍ ବକ୍ସ ସେଟଅପ୍ । ଅର୍ଥାତ ବାଂଲାଦେଶରୁ ଭାୟା ପଶ୍ଚିମବଙ୍ଗ ହୋଇ ଓଡ଼ିଶା ଓ ଝାଡ଼ଖଣ୍ଡରେ ଚାଲିଥିଲା ନେଟୱର୍କ । ବାଂଲାଦେଶୀ ରିଂ ମାଷ୍ଟର ଅସାଦ୍ଦୁର ଜମାନ, ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ହାତ କରି ଭାରତର ଅନେକ ରାଜ୍ୟରେ ବସାଇଛି ଅପରାଧୀକ ନେଟୱାର୍କ ।

ଓଡ଼ିଶାରେ ଅପରାଧ ହେଉଥିଲା, ହେଲେ ମାଷ୍ଟର ମାଇଣ୍ଡ ଥିଲା ବାଂଲାଦେଶରେ । ଖାସ୍‌ କରି ୫ ଦିନିଆ ରିମାଣ୍ଡରେ ଥିବା ରାଜୁଠାରୁ ଏହି ତଥ୍ୟ ପାଇବା ପରେ ଏବେ ଦଳବଳ ଧରି ରାଞ୍ଚି ମୁହାଁ କମିଶନରେଟ୍ ପୋଲିସ । ସୂଚନା ଅନୁସାରେ, ସିମବକ୍ସ କ୍ରାଇମର ବଙ୍ଗୀୟ ଏଜେଣ୍ଟ ତଥା ଉତ୍ତର ଚବିଶ ପ୍ରଗଣାର ରାଜୁ ମଣ୍ଡଳ ଭୁବନେଶ୍ୱର ଏବଂ କୋଲକାତାରୁ ଜିନିଷପତ୍ର ନେଇ ବାଂଲାଦେଶରେ ବ୍ୟବସାୟ କରୁଥିଲା । ତା' ଭିତରେ ମାଷ୍ଟରମାଇଣ୍ଡ ଅସାଦ୍ଦୁରକୁ ଭେଟିବା ପରେ ସିମ୍ ବକ୍ସ ଜାଲରେ ପଡ଼ିଥିଲା । ଡିଲ୍ ପରେ ବୈଧ ଭିସାରେ ଗତ ଅକ୍ଟୋବରରେ ଅଗରତାଲା ଦେଇ ଭାରତ ଆସିଥିଲା ଅସାଦ୍ଦୁର । ପରେ ଡିସେମ୍ବରରେ କଟକ ଓ ଭୁବନେଶ୍ୱର ଆସି ରାଜୁ ନାଁରେ ଘରଭଡ଼ା ନେବା ସହ ସ୍ଥାପନ କରିଥିଲା ସିମବକ୍ସ ନେଟୱର୍କ । 

ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସିମ୍ ବକ୍ସ ମାଧ୍ୟମରେ ହେଉଥିଲା ଇଣ୍ଟରନ୍ୟାସନାଲ୍ କଲ୍। ଖାସ୍ କରି ଚୀନ୍-ପାକିସ୍ତାନ ଓ ମିଡଲଇଷ୍ଟରୁ ଆସୁଥିଲା କଲ୍ । କିନ୍ତୁ ସିମ୍ ବକ୍ସ ବ୍ୟବହାର ହେଉଥିବାରୁ ବାହାରୁ କଲ୍ ଆସୁଥିଲା ବୋଲି ଜଣାପଡୁ ନଥିଲା । ଯାହାକୁ ନେଇ ସନ୍ଦେହ ବଢୁଛି । ଆତଙ୍କବାଦୀ ମାନେ ସିମ୍ ବକ୍ସ ବ୍ୟବହାର କରନ୍ତି । ସ୍ଲିପର ସେଲ୍, ଭାରତ ବିରୋଧୀ ପ୍ରଚାର, ହନି ଟ୍ରାପ ପାଇଁ ବି ବ୍ୟବହାର ହୁଏ। ସେହିଭଳି ସାଇବର କ୍ରାଇମ ଓ ଡ୍ରଗସ କାରବାରରେ ବି ସିମ୍ ବକ୍ସର ବ୍ୟବହାର କରାଯାଏ। ଏଇ ସବୁ ଦିଗରେ ତଦନ୍ତ କରୁଛି ପୋଲିସ। ବିଭିନ୍ନ ସମୟରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଭାରତ ବିରୋଧରେ ଡିଜିଟାଲ୍ ଜିହାଦ ଚଳାଇଥିବାର ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏମିତି କି ମୋଷ୍ଟ ୱାଣ୍ଟେଡ୍ ଟେରରିଷ୍ଟ ହାପିଜ୍ ସୟିଦ ଆଇଏସଆଇ ଏଜେଣ୍ଟଙ୍କୁ ଡିଜିଟାଲ୍ ଜିହାଦର ତାଲିମ ଦେଉଥିବା ଖବର ଆସିଛି। ସିମ ବକ୍ସ ଡିଜିଟାଲ୍ ଜିହାଦର ପାର୍ଟ କି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଗତକାଲି ଭୁବନେଶ୍ବର ଲକ୍ଷ୍ମୀସାଗର ସ୍ଥିତ ଲିଙ୍ଗରାଜ ହୋଟେଲରେ ପହଞ୍ଚି ଛାନଭିନ୍ କରିଛି ପୋଲିସ । କାରଣ ଓଡ଼ିଶା ଆସିଲେ ଏହି ହୋଟେଲରେ ରହୁଥିଲା ସିମ ବକ୍ସ ରାକେଟର ମାଷ୍ଟରମାଇଣ୍ଡ ଆସାଦ୍ଦୁର ଜମାନ । ତେବେ ସମୟ କହିବ, କେବେ ସବୁ ତଥ୍ୟ ଲାଗୁଛି ପୋଲିସ ହାତରେ ।
 

SIM box racket | Argus News