ଆକ୍ସନ ମୋଡରେ ପୋଲିସ: ରାଜ୍ୟରେ ବାଂଲାଦେଶୀ ତନାଘନା

Key Points
ରାଜ୍ୟରେ ବାଂଲାଦେଶୀ ତନାଘନା
ଝାରସୁଗୁଡ଼ାରେ ୪୪୪ ବାଂଲାଦେଶୀ ଅଟକ
ଉତ୍ତରାଞ୍ଚଳ ଆଇଜି କହିଲେ, ଅନୁପ୍ରବେଶକାରୀଙ୍କ ଉପରେ ହେବ କଡା ଆକ୍ସନ
କେନ୍ଦ୍ରାପଡାରେ ୬ ବାଂଲାଦେଶୀଙ୍କୁ ଉଠାଇ ନେଲା ପୋଲିସ
ପାରାଦୀପରେ ପୋଲିସ କବଜାରେ ୪ ବାଂଲାଦେଶୀ
ସାରା ରାଜ୍ୟରେ ଏବେ ବାଂଲାଦେଶୀ ଅନୁପ୍ରବେଶକାରୀ ତନାଘନା ଚାଲିଛି । ବାଂଲାଦେଶୀ ଟିହ୍ନଟ ପ୍ରକ୍ରିୟାରେ ଆକ୍ସନ ମୋଡରେ ପୋଲିସ । ଝାରସୁଗୁଡା ଏସପିଙ୍କ ନେତୃତ୍ୱରେ ୪୪୪ ଜଣ ବାଙ୍ଗଲାଦେଶୀ ରୋହିଙ୍ଗିଆଙ୍କୁ ସନ୍ଦେହରେ ଚିହ୍ନଟ କରାଯାଇଛି । ସେମାନଙ୍କୁ ଅଟକ ରଖାଯାଇ ଅଧିକ ତଦନ୍ତ ଜାରି ରହିଛି । ଝାରସୁଗୁଡା ଜିଲ୍ଲାରେ ବହୁ ସଂଖ୍ୟକ ବାଂଲାଦେଶୀ ରହିଥିବା ସୂଚନା ମିଳିଥିଲା। ପରେ ଗୃହ ବିଭାଗ ନିର୍ଦେଶ ଅନୁସାରେ ଝାରସୁଗୁଡା ଜିଲ୍ଲା ପୋଲିସ ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରି ବାଂଲାଦେଶୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି । ୪୪୪ ଜଣଙ୍କ ମଧ୍ୟରୁ ଯେଉଁମାନେ ବେଆଇନ ଅନୁପ୍ରବେଶ କାରି ଚିହ୍ନଟ ହେବେ ତାଙ୍କ ଉପରେ କଡା ଆକ୍ସନ ନିଆଯିବ ବୋଲି ଉତ୍ତରାଞ୍ଚଳ ଆଇଜି କହିଛନ୍ତି ।
ସେପଟେ କେନ୍ଦ୍ରାପଡାରେ ପୁଣି ୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଉଠାଇ ନେଲା ପୋଲିସ। ଜମ୍ବୁ ସାମୁଦ୍ରିକ ଥାନା ବଉଳକଣୀ ପଞ୍ଚାୟତରୁ ଏହି ୬ସନ୍ଦିଗ୍ଧଙ୍କୁ ପୋଲିସ ଉଠାଇ ନେଇଛି । ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଚଳାଇଛି ପୋଲିସ। ଅଟକ କରି ସନ୍ଦିଗ୍ଧ ମାନଙ୍କ ନାଗରିକତା ପ୍ରମାଣପତ୍ର ଯାଞ୍ଚ କରୁଛି। ଜୁନ୍ ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପୋଲିସ ୧୯ ଜଣଙ୍କୁ ଉଠାଇ ନେଇଥିଲା l ବର୍ତ୍ତମାନ ସୁଦ୍ଧା ମୋଟ ୨୫ ଜଣଙ୍କୁ ପୋଲିସ ଉଠାଇ ନେଇଛି।
ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଜର୍ଦାରୀପଡାର ଭଡା ଘରେ ରହୁଥିବା ୪ଜଣ ବାଂଲାଦେଶୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏମାନେ ଜଳପଥରେ ସୂନ୍ଦର ବନ ହୋଇ କୋଲକତା ଆସିଥିଲେ। ପରେ ଜଣେ ଲୋକ ଏମାନଙ୍କୁ ଜର୍ଦାରୀପଡାରେ ଭଡ଼ା ଘରେ ରଖିଥିଲା । ଏମାନଙ୍କ ସହିତ ଆଉ କେହି ଆସିଛନ୍ତି କି ନାହିଁ ସେନେଇ ପ୍ରଶାସନ ତଦନ୍ତ କରୁଛି।