ରାଜଧାନୀରେ ବଢୁଥିବା ଲୁଟ୍କୁ ନେଇ ଆକ୍ସନ ମୁଡ୍ରେ ପୋଲିସ

ଅର୍ଗସ ବ୍ୟୁରୋ: ସେଫ ସିଟି ଡ୍ରାଇଭ ଜରିଆରେ ଅପରାଧୀଙ୍କୁ ମାଡ଼ିବସିଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତମାନେ ଲୁଟ, ଛିନତାଇ ଭଳି ଅନେକ ଅପରାଧିକ ମାମଲାରେ ସଂପୃକ୍ତ ଥିଲେ । ସେମାନଙ୍କ ନିକଟରୁ ଜବତ ହୋଇଛି ସୁନା ଅଳଙ୍କାର, ଗୋଟିଏ ଚାରି ଚକିଆ ଗାଡି, ଦୁଇଟି ବାଇ ସାଇକେଲ, 20ଟି ମୋବାଇଲ ଫୋନ, 22 ହଜାର ନଗଦ ଟଙ୍କା ଏବଂ ଗୋଟିଏ ଭ୍ୟାନୀଟି ବ୍ୟାଗ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ବି ରହିଛି । ରାଜଧାନୀରେ ଅପରାଧୀଙ୍କୁ ମୂଳପୂଛ କରିବା ପାଇଁ ରାତିରେ କନଭେ ପାଟ୍ରୋଲିଂ କରୁଛି କମିସନରେଟ ପୋଲିସ ।
ନଜର ପକାନ୍ତୁ ନିକଟରେ ରାଜଧାନୀରେ ଘଟିଥିବା ଦୁଇ ଦୁଇଟି ଲୁଟ୍ ଘଟଣା ଉପରେ…. ଗତ ସୋମବାର ଏକ ଦମ୍ପତ୍ତି ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ସୁନ୍ଦରପଦା ଜଟଣୀ ରାସ୍ତାରେ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ମହିଳାଙ୍କଠୁ ଚେନ୍ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ । ଚେନ୍ ସିନା ନେଇପାରିଲେନି ଲୁଟେରାଙ୍କ ଆକ୍ରମଣରେ ତଳେ ପଡ଼ି ଜୀବନ ହାରିଲେ ମହିଳା ଜଣଙ୍କ । ସେହିପରି ନୟାପଲ୍ଲୀ ବେହେରା ସାହି ଅଞ୍ଚଳର ବୃଦ୍ଧା ଶିବ ମନ୍ଦିରରେ ଦର୍ଶନ କରୁଥିବାବେଳେ ଲୁଟ୍ର ଶିକାର ହୋଇଥିଲେ । ମନ୍ଦିର ଭିତରେ ତାଙ୍କର ସୁନା ଚେନ୍ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।
ଆଗକୁ ଭୁବନେଶ୍ବରରେ ଆୟୋଜିତ ହେବ ଡିଜିପି ଓ ଆଇଜି ସମ୍ମିଳନୀ । ତା ପୂର୍ବରୁ ରାଜଧାନୀକୁ ଅପରାଧ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି କମିସନରେଟ ପୋଲିସ ।
📱 Get Argus News App
✨