୨୨ରେ ୬ ବ୍ଲକ୍ରେ ହେବ ଉପ-ନିର୍ବାଚନ: ବିଜେଡିର ପ୍ରବଳ ଟେନସନ୍

Key Points
- ୨୨ରେ ୬ ବ୍ଲକ୍ରେ ହେବ ଉପ-ନିର୍ବାଚନ
- ୨୪ ପଟ୍ଟପରିବର୍ତ୍ତନ ପରେ ମୁହାଁମୁହିଁ ହେବେ ବିଜେପି-ବିଜେଡି
- ପୂର୍ବରୁ ୬ ବ୍ଲକ ଥିଲା ବିଜେଡି ପାଖରେ, ହେଲେ ଏସନ ନିର୍ବାଚନରେ...
ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ପରେ ପ୍ରଥମ ଥର ଏକା ସାଙ୍ଗରେ ହେବାକୁ ଯାଉଛି ୬ ବ୍ଲକ୍ରେ ହେବ ଉପ-ନିର୍ବାଚନ । ସାଧାରଣ ନିର୍ବାଚନରେ ବିଜେଡି ହାରିବା ପରେ ପ୍ରଥମ ଥର ଲାଗି ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଏହି ନିର୍ବାଚନରେ ପୁଣି ଥରେ ମୁହାଁମୁହିଁ ହେବେ ବିଜେଡି-ବିଜେପି । ଉପ-ନିର୍ବାଚନ ହେବାକୁ ଥିବା ସମସ୍ତ ୬ ବ୍ଲକ୍ ଥିଲା ବିଜେଡି ପାଖରେ । ଯେହେତୁ ବିଜେଡି ହାରି ସାରିଛି ତେଣୁ ଏଥର ନିର୍ବାଚନରେ ଏହି ୬ ରୁ ୬ ବ୍ଲକ୍ ଅଧ୍ୟକ୍ଷ ପଦ ବିଜେପି ପାଖକୁ ଯିବା ନେଇ ଚର୍ଚ୍ଚା ଜୋର ଧରିଛି ।
ସାଧାରଣ ନିର୍ବାଚନ ସରିବାକୁ ୨ ମାସ ହୋଇଛି, ଏହାରି ଭିତରେ ପୁଣି ଥରେ ମୁଣ୍ଡ ଉପରେ ଆସି ପହଞ୍ଚିଛି ବ୍ଲକ୍ ନିର୍ବାଚନ । ତେଣୁ ଏ ନିର୍ବାଚନରେ ପୁଣି ଥରେ ମୈଦାନରେ ମୁହାଁମୁହିଁ ହେବେ ବିଜେଡି-ବିଜେପି । ଏହି ନିର୍ବାଚନ ବିଜେଡି ପାଇଁ ଅଗ୍ନି ପରୀକ୍ଷା ସଦୃଶ ଥିବା ବେଳେ ଶାସକ ଦଳ ବିଜେପି ପାଇଁ ସମ୍ମାନର ପ୍ରଶ୍ନ । ୫ଟି ବ୍ଲକ ଅଧ୍ୟକ୍ଷ ଆଉ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ । ଏହାବ୍ୟତୀତ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ବି ହେବ ଉପନିର୍ବାଚନ।
ସୂଚନା ଅନୁସାରେ, ଗଞ୍ଜାମ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଲକ୍ ଥିଲା ବିଜେଡି ପାଖରେ । କିନ୍ତୁ ଅଧ୍ୟକ୍ଷଙ୍କ ମୃତ୍ୟୁ ପରେ ଏଠି ଉପନିର୍ବାଚନ ହେବାକୁ ଯାଉଛି । କୁହାଯାଉଛି ଏଠାକାର ୧୨ ସମିତି ସଭ୍ୟଙ୍କ ମଧ୍ୟରୁ ୭ ଜଣ ବିଜେପି ସମର୍ଥନରେ ରହିଛନ୍ତି । ତେଣୁ ଏଠାରେ ବିଜେପି ବାଜି ମାରିପାରେ । କିନ୍ତୁ ଖଲ୍ଲିକୋଟ୍ ବ୍ଲକରେ ଛକାପଞ୍ଝା ସ୍ଥିତି। ସେପଟେ, କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର ଆଉ ନୟାଗଡ଼ର ଭାପୁର ବ୍ଲକରେ ବି ସ୍ଥିତି ସମାନ । ଉପନିର୍ବାଚନ ହେବାକୁ ଥିବା ଏହି ୩ ବ୍ଲକରେ କିଏ ବାଜି ମାରିବ କହିବା ମୁସ୍କିଲ । ନର୍ଲା ବ୍ଲକ୍ ବିଜେଡି ପାଖରେ ରହିଥିଲା କିନ୍ତୁ ଏବେ ସ୍ଥିତି ବଦଳିଛି । ସେହିପରି ରାଇଘରରେ ନବୀନା ନାୟକଙ୍କ ଇସ୍ତଫା ପରେ ୨୬ ସମିତି ସଭ୍ୟଙ୍କ ମଧ୍ୟରୁ ୧୮ଟି ବିଜେଡି ୬ ବିଜେପି ପାଖରେ ରହିଛି । କିନ୍ତୁ ଏଠାରେ ବିଜେଡି ଗୋଷ୍ଠୀ କନ୍ଦଳର ଫାଇଦା ଉଠାଇପାରେ ବିଜେପି । ଅନ୍ୟପଟେ ଭାପୁରରେ କିନ୍ତୁ ଶାସକ ବିଜେପି ପାଇଁ ଜଟିଳ ସ୍ଥିତି ରହିଛି, କାହିଁକି ନା ୨୦ ସମିତି ସଭ୍ୟରୁ ୧୭ ଜଣ, ପୂର୍ବତନ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କ ସମର୍ଥନରେ ଥିବା ସେ ଦାବି କରିଛନ୍ତି । ସେହିପରି ବିଜେଡିରୁ ଗୀତାଞ୍ଜଳି ସେଠୀଙ୍କ ଇସ୍ତଫା ପରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ବି ଖାଲି ପଡିଛି । ସେଠି ବି ଉପନିର୍ବାଚନ ହେବାକୁ ଥିବା ବେଳେ ୩୧ରୁ ମାତ୍ର ୨ ଜଣ ଶାସକ ବିଜେପି ପାଖରେ ରହିଛି ।
📱 Get Argus News App
✨ଗୁରୁତ୍ଵପୂର୍ଣ୍ଣ କଥା ହେଲା, ନିର୍ବାଚନରେ ହାରଜିତ ରହିଛି । ହେଲେ ସରକାରରୁ ଯିବା ପରେ କେମିତି କ୍ଷମତାକୁ ଫେରିବ ବିଜେଡି ସେନେଇ ଅନେକ ରଣନୀତି କରୁଛି । ହେଲେ ସମୟ କହିବ ନିର୍ବାଚନରେ ବାଜି ମାରୁଛି କିଏ ?