Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡ୍ରାଇଭର ଆନ୍ଦୋଳନକୁ ନେଇ ରାଜନୀତି, କଂଗ୍ରେସ କହିଲା ଷଡ୍‌ଯନ୍ତ୍ର

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଡ୍ରାଇଭର ଆନ୍ଦୋଳନକୁ ନେଇ ରାଜନୀତି, କଂଗ୍ରେସ କହିଲା ଷଡ୍‌ଯନ୍ତ୍ର

Key Points

ଡ୍ରାଇଭରଙ୍କ ଆନ୍ଦୋଳନ ଫଳରେ ଦେଖା ଦେଲାଣି ପେଟ୍ରୋଲ - ଡିଜେଲ ସଙ୍କଟ ।
ତେଲ ଶେଷ ହେବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଲାଗୁଛି ଲୋକଙ୍କ ଲମ୍ବା ଲାଇନ୍ ।

ରାଜ୍ୟରେ ଜାରି ରହିଛି ଡ୍ରାଇଭରଙ୍କ ଆନ୍ଦୋଳନ । ଯେଉଁଥିପାଇଁ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି ଓଡ଼ିଶାବାସୀ । ସେପଟେ ସରକାରଙ୍କ ସହ ଆଲୋଚନାରୁ ବାହାରି ପାରିଲାନି କୌଣସି ନିଷ୍କର୍ସ । ଦାବି ପୂରଣ ନେଇ ଜିଦରେ ଅଟଳ ଡ୍ରାଇଭର ମହାସଂଘ । ଆନ୍ଦୋଳନ ଯୋଗୁ ଆସିପାରୁନି ପେଟ୍ରୋଲ, ଡିଜେଲ ଟ୍ୟାଙ୍କର । ତେଲ ଶେଷ ହେବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଲାଗୁଛି ଲୋକଙ୍କ ଲମ୍ବା ଲାଇନ୍ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପେଟ୍ରୋଲ - ଡିଜେଲ ସମସ୍ୟା ନାହିଁ ।.

କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଆନ୍ଦୋଳନରତ ଡ୍ରାଇଭରଙ୍କ ଅଭିନବ ପ୍ରତିବାଦ । ସରକାରୀ ବସ, ଅଟୋ ଚାଳକ, ପନିପରିବା ଗାଡ଼ି, ସବୁ ଗାଡ଼ିକୁ ଅଟକାଇ ଡ୍ରାଇଭରଙ୍କୁ ମୁଣ୍ଡିଆ ମାରି ଛାଡୁଛନ୍ତି ଆନ୍ଦୋଳନକାରୀ ଡ୍ରାଇଭର ।

ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ଫଳରେ ଦେଖା ଦେଲାଣି ପେଟ୍ରୋଲ - ଡିଜେଲ ସଙ୍କଟ । ଭୁବନେଶ୍ଵର ଏବଂ କଟକ ସହରର ପେଟ୍ରୋଲ ପମ୍ପ ଗୁଡ଼ିକରେ ପ୍ରବଳ ଭିଡ଼ । କାଳେ ତେଲ ଶେଷ ହୋଇଯିବ ସେହି ଆଶଙ୍କାରେ ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ଼ । ଲୋକେ ବ୍ୟତିବ୍ୟସ୍ତ ହୋଇ ଗୋଟେ ଲିଟର ଦରକାର ଥିଲେ ତିନି, ଚାରି ଲିଟର ତେଲ ପକାଉଥିବା ଦେଖିବାକୁ ମିଳୁଛି ।

ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଚିତ୍ର । ପୁଇଁନ୍ତଳା ଅଞ୍ଚଳ ପେଟ୍ରୋଲ ପମ୍ପ ଗୁଡ଼ିକରେ ଶେଷ ହୋଇଗଲାଣି ତେଲ । ଯେଉଁଥିପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ ।

ସେହିପରି ସଇଁତଳା ଅଞ୍ଚଳର ସ୍ଥିତି ମଧ୍ୟ ବେହାଲ । ସଇଁତଲା ଥାନା ଲାଚୁତ ଛକ ନିକଟରେ ବଲାଙ୍ଗୀରରୁ କଳାହାଣ୍ଡିକୁ ଯାଉଥିବା ୪ଟି ତେଲ ଟ୍ୟାଙ୍କରକୁ ଅଟକ ରଖିଛନ୍ତି ସ୍ଥାନୀୟ ଡ୍ରାଇଭର ସଂଘ । ଘଟଣା ସ୍ଥଳରେ ସଇଁତଳା ପୋଲିସ, ଦେଓଗାଁ ପୋଲିସ ଓ ବଲାଙ୍ଗୀର ସଦର SDPO ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଡ୍ରାଇଭର ମହାସଂଘ ତେଲ ଗାଡ଼ି ଛାଡ଼ିବାକୁ ନାରାଜ ।

ତେବେ ଏନେଇ ଆଜି ପେଟ୍ରୋଲ କମ୍ପାନୀ ପ୍ରତିନିଧି ଏବଂ ପେଟ୍ରୋଲିୟମ ଡିଲର ସଂଘ ସହ ଆଲୋଚନା କରିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ପେଟ୍ରୋଲ - ଡିଜେଲ ସମସ୍ୟା ନାହିଁ । ସରକାର ଡ୍ରାଇଭର ମହାସଂଘ ଆନ୍ଦୋଳନ ଜନିତ ସମସ୍ୟା ସମାଧାନ ପାଇଁ ତତ୍ପର ଅଛନ୍ତି । ସାଧାରଣ ଖାଉଟି ପ୍ୟାନିକ ହୁଅନ୍ତୁ ନାହିଁ ବୋଲି ଅପିଲ କରିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ । ସେପଟେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ କହିଛି, ଯେତିକି ପେଟ୍ରୋଲ ମହଜୁଦ ଅଛି ଅଭାବ ସ୍ଥିତି ହେବ ନାହିଁ । ଦୁଇ ଦିନ ପାଇଁ ଆବଶ୍ୟକ ପରିମାଣରେ ତେଲ ମହଜୁଦ ଅଛି ।

୪ ଦିନ ହେଲା ଜାରି ରହିଛି ଡ୍ରାଇଭର ମହାସଂଘର ଆନ୍ଦୋଳନ। ରାଜ୍ୟ ସରକାର ଡ୍ରାଇଭର ମାନଙ୍କ ଦାବି ଉପରେ କଣ ବିଚାର କରିବେ ଏବଂ ଡ୍ରାଇଭର ମହାସଂଘ ଆନ୍ଦୋଳନରୁ କେବେ ଓହରିବ ତାହା ଉପରେ ସମସ୍ତଙ୍କ ନଜର ।

ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ସମ୍ବିଧାନ ବଞ୍ଚାଅ ଆନ୍ଦୋଳନକୁ ବିରୋଧ କରିବା ପାଇଁ ରାଜ୍ୟବାସୀଙ୍କୁ ହଇରାଣ କରୁଛନ୍ତି ମୋହନ ସରକାର । ଡ୍ରାଇଭର ଆନ୍ଦୋଳନକୁ ନେଇ ବିଜେପି ସରକାର ଷଡ଼ଯନ୍ତ୍ର କରୁଛି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ସେ କହିଛନ୍ତି, ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ କେହି ରୋକି ପାରିବେ ନାହିଁ । ସେପଟେ ଏହାର କାଉଣ୍ଟରରେ ବିଜେପି ବିଧାୟକ ବିଭୁତି ଭୂଷଣ ପ୍ରଧାନ କହିଛନ୍ତି, ରାଜ୍ୟରେ ଆମର ସରକାର ଅଛି । ସରକାରଙ୍କୁ ଅଡୁଆରେ ପକାଇ ଆନ୍ଦୋଳନ କରିବୁ କି ? କଂଗ୍ରେସର ମତିଭ୍ରମ ହୋଇଛି । ସେଥିପାଇଁ ସେମାନେ ଏପରି ଅଭିଯୋଗ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Politics over driver's protest, Congress says conspiracy | Argus News