ସତ ହେବ ତ ମେଟ୍ରୋ ସ୍ଵପ୍ନ?

ଅର୍ଗସ ବ୍ୟୁରୋ: ସ୍ଵପ୍ନ ଦେଖାଇବାରେ ବ୍ୟସ୍ତ ନବୀନ ବାବୁ । ହେଲେ ବାସ୍ତବତା ପୂରା ଭିନ୍ନ । ନିର୍ବାଚନୀ ବର୍ଷଥିବାରୁ ନୂଆବର୍ଷରେ ସକାଳୁ ସକାଳୁ ଯାଇ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମକୁ ଯିଏ ଦେଖିବ ସିଏ କହିବ କେବଳ ପ୍ରଚାର ଓ ଲୋକ ଆଣିବା ଲାଗି କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ହେଲେ ବହୁ ଆଡମ୍ବରେ ଲଘୁକ୍ରିୟା ପରି ମେଟ୍ରୋ ପ୍ରକଳ୍ପ ବୋଲି ଅଭିଯୋଗ କରିଛି ବିଜେପି । କହିଛି, ଏଯାଏଁ ରାଜଧାନୀକୁ ଗନ୍ଧମୁକ୍ତ କରିପାରିଲେଣି , ମେଟ୍ରୋ ସ୍ଵପ୍ନ ଦେଖାଇଲେ । ଯଦି ପ୍ରକଳ୍ପ କରିବେ ବୋଲି କହୁଛନ୍ତି ବଜେଟ୍ରେ କେତେ ବ୍ୟୟବରାଦ ହୋଇଛି ବୋଲି କୁହନ୍ତୁ । ହେଲେ ଏଥିରୁ କିନ୍ତୁ ଗୋଟିଏ କଥା ସ୍ପଷ୍ଟ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଏମିତି ପ୍ଲାନ କରିଛି ବିଜେଡି ।
ପୁରୁଣା ରାଜଧାନୀ-ନୂଆ ରାଜଧାନୀକୁ ଯୋଡିବାକୁ ମେଟ୍ରୋ ପ୍ରକଳ୍ପର ସ୍ଵପ୍ନ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏମିତିକି ୪ ବର୍ଷରେ ପ୍ରୋଜେକ୍ଟ ଶେଷ ହେବା ନେଇ ବି ଘୋଷଣା କଲେ । ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରେ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଏହି ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟରେ, ୨୬ କିଲୋମିଟର ଦୀର୍ଘ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ । ଇଏ ତ ପ୍ରୋଜେକ୍ଟର କଥା..ହେଲେ ପ୍ରକୃତରେ ମେଟ୍ରୋ ପ୍ରକଳ୍ପ କେବେ ସରିବ ତାହା କିନ୍ତୁ ଅନିଶ୍ଚିତତାରେ ।
ମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ଦେଇ କେମିତି ଲୋକଙ୍କ ସହ ପ୍ରତାରଣା କରୁଛନ୍ତି ତାହା କାହାକୁ ବି ଅଛପା ନାହିଁ । ଏବେ ପୁଣି ଥରେ ନୂଆ ମିଛ କହୁଥିବାରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ଓ ଶାସକ ଦଳର ନେତାମାନେ ରାତିଅଧିଆ ଅବାସ୍ତବ ସ୍ୱପ୍ନ ଦେଖି ଦେଇ ଭୁବନେଶ୍ୱର ତଥା ଓଡ଼ିଶାବାସୀଙ୍କୁ ବୁଝାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ଶାସକ ବିଜେଡିର ନୂଆ ନେତା ପାଣ୍ଡିଆନ ବାବୁ ‘ଖୁଂଟ' ଓ ‘ଷ୍ଟେସନ' ଗଣିଦେଲେ ମେଟ୍ରୋ ହୁଏ ନାହିଁ । ସେଥିପାଇଁ ସଠିକ ଯୋଜନା ଏବଂ ଆବଶ୍ୟକୀୟ ଟଙ୍କା ଜରୁରୀ ରହିଛି । ନବୀନ ବାବୁ ମେଟ୍ରୋ ପାଇଁ ଯୋଜନା କରିବା ବ୍ୟୟ ବରାଦ କରନ୍ତୁ । ନିର୍ବାଚନ ପରିପ୍ରେକ୍ଷୀରେ ଅତୀତରେ ଅନେକ ଯୋଜନାର ଶୁଭାରମ୍ଭ ହୋଇଥିଲା ହେଲେ କାର୍ଯ୍ୟକାରିତ କଣ ତାହା ସମସ୍ତଙ୍କୁ ଜଣା ।
📱 Get Argus News App
✨ଗୁରୁତ୍ଵପୂର୍ଣ୍ଣ କଥା ହେଲା ଭୁବନେଶ୍ଵରକୁ ସ୍ମାର୍ଟସିଟି କରି ଗଢି ତୋଳିବାକୁ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି । ହେଲେ କେନ୍ଦ୍ରୀୟ ଯୋଜନାକୁ ହରିଲୁଟ କରି କେମିତି ରାଜଧାନୀବାସୀଙ୍କୁ ଦୁର୍ଗନ୍ଧମୟ ପରିବେଶରେ ରହିବାକୁ ସରକାର ବାଧ୍ୟ କରୁଛନ୍ତି ତାହା ସମସ୍ତେ ଦେଖୁଛନ୍ତି । ଏବେ ନୂଆବର୍ଷରେ ପୁଣି ଥରେ ନୂଆ ମିଛ କହିଥିବାରୁ ନବୀନ ବାବୁଙ୍କୁ ଘେରିଛନ୍ତି ବିରୋଧୀ ।