PUCC / ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ କଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

Key Points
ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ଏହି ଅବଧିରେ କଟିବ ନାହିଁ ପ୍ରଦୂଷଣ ଚାଲାଣ ।
ପ୍ରଦୂଷଣ ଜରିମାନା ରାଶିର ତଜର୍ମା ପାଇଁ ମଧ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।
ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ପହିଲା ପର୍ଯ୍ୟନ୍ତ ପ୍ରଦୂଷଣ ନ ଥିଲେ ଜରିମାନା ନ ଲଗାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ଟୋଲଗେଟରେ ଇ-ଡିଟେକ୍ସନରେ କଟୁଥିବା ଏ ସମ୍ୱନ୍ଧୀୟ ଜରିମାନାକୁ ମଧ୍ୟ ସ୍ଥଗିତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ସେହିଭଳି ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଜରିମାନାକୁ ହ୍ରାସ କରିବା ଦିଗରେ ତର୍ଜମା କରିବାକୁ ମଧ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଗାଡ଼ିର ପ୍ରଦୂଷଣ ଯାଞ୍ଚ କରିବା ସମସ୍ତଙ୍କ ଦାୟିତ୍ୱ । ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି । ଏହାର ସୁଧାର ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ।
ସେଥିପାଇଁ ପରିବହନରେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ପ୍ରଦୂଷଣ ଯାଞ୍ଚ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ମୋଟର ଯାନ ଆଇନ ଅନୁଯାୟୀ ଏହା ବାଧ୍ୟତାମୂଳକ ମଧ୍ୟ । ଓଡ଼ିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି । ଅନେକ ଗାଡ଼ି ଏହି ନିୟମର ବ୍ୟାପକ ଉଲ୍ଲଙ୍ଘନ କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଏ ଦିଗରେ ସଚେତନତା ବୃଦ୍ଧି କରିବାକୁ ପ୍ରଦୂଷଣ ପ୍ରମାଣପତ୍ରକୁ ଗୁରୁତ୍ୱ ଦିଆଯାଇଛି ।
ତେବେ ଜନସାଧାରଣ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବାର ଦୃଷ୍ଟିକୁ ଆସିବାରୁ ଜନସାଧାରଣଙ୍କ ସୁବିଧା ପାଇଁ କୋହଳ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସମୟ ଅବଧିରେ ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ ମନ୍ତ୍ରୀ କହିଛନ୍ତି ।
PUCC ଅବଧି ସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର । ଏହା ପରେ ଅର୍ଥାତ ୧ ଏପ୍ରିଲରୁ PUCC ସାର୍ଟିଫିକେଟ୍ ନଥିଲେ ଆକ୍ସନ ନେବେ ସରକାର । ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ଲୋକଙ୍କ ଅସୁବିଧାକୁ ଦେଖି ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ପରିବହନ ମନ୍ତ୍ରୀ । ମାର୍ଚ୍ଚ ୩୧ ସୁଦ୍ଧା ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ କହିଲେ ପରିବହନ ମନ୍ତ୍ରୀ ।
ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି । ଅଧିକରୁ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଆହ୍ବାନ କରୁଛୁ । ଯେଉଁମାନେ ଟେଷ୍ଟିଂ ସେଣ୍ଟର ପାଇଁ ଆବେଦନ କରିବେ ସେମାନଙ୍କୁ ଅଗ୍ରାଧିକାର ଦେବୁ । ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୁହେଁ, ଲଗାଇଲେ ଯାଞ୍ଚ ପାଇଁ ସୁବିଧା । ଯେଉଁମାନେ PUCC କରି ସାରିଛନ୍ତି, ସେମାନେ ଷ୍ଟିକର RTOରୁ ପାଇବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ପରିବହନ ବିଭାଗ ପକ୍ଷରୁ ଏହି ଷ୍ଟିକର ଯୋଗାଇ ଦିଆଯିବ । ଏପ୍ରିଲ ୧ରୁ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ହେବ କାର୍ଯ୍ୟାନୁଷ୍ଠାନ ।
📱 Get Argus News App
✨Related Topics
Explore more stories