ପ୍ରଦୀପଙ୍କୁ ଭାରି ଜୋରରେ ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ !

Key Points
- ମତେ ସାର୍ ବହୁତ ଚାହାଁନ୍ତି
- ଫୋନ୍ କଲେ ସାର୍ ଆସୁଛି କହିବି
- ନମ୍ବର ତାଙ୍କ ପାଖରେ ଅଛି...
ଅର୍ଗସ ବ୍ୟୁରୋ: ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ୨୦୨୦ ମସିହା ପରେ ବିଜେଡି ତାଙ୍କୁ ସସ୍ପେଣ୍ଡ କରିବା ପରେ ଦଳ, ପ୍ରଶାସନ କେମିତି ଦୁର୍ନୀତିରେ ଲିପ୍ତ ତାହାର ଭାଣ୍ଡାଫୋଡ୍ କରିଛନ୍ତି । ହେଲେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ନବୀନ ବାବୁ କାଳେ ମତେ ଏବେ ଭାରି ଖୋଜୁଛନ୍ତି । ସେ କଥା ହେବାକୁ ବି ଇଚ୍ଛା କରୁଛନ୍ତି ହେଲେ କିଛି ଅଫିସର କରିବାକୁ ଦେଉନାହାନ୍ତି । କାରଣ ତାଙ୍କର ଚାକିରି ଉପରେ ବିପଦ ଅଛି ।
ପ୍ରେସମିଟ୍ରେ ପ୍ରଦୀପ ସବୁ ରୋକଠୋକ୍ କହୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ସମ୍ପର୍କ କେମିତି ? କାରଣ ବହୁବର୍ଷ ଧରି ଖୋଦ୍ ପାର୍ଟି ସୁପ୍ରିମୋଙ୍କର ସେ ପ୍ରତିନିଧି ଥିଲେ । ଏମିତିତି ପୂର୍ବରୁ ପ୍ରଦୀପ କହିଥିଲେ ଦଳର ପୂର୍ବତନ ପାୱାରଫୁଲ ନେତା ପ୍ୟାରିବାବୁଙ୍କ ଘରକୁ ଯାଇଥିବାରୁ ମୁଖ୍ୟମନ୍ତ୍ରୀ ବିରକ୍ତ ହୋଇଥିଲେ । ତେଣୁ ଦିନରାତି ନବୀନ ନିବାସରେ ହିଁ ଡେରା ପକାନ୍ତି ସିଏ । ହେଲେ ଦଳ ବିରୋଧୀ କାମ କରିବାରୁ ତାଙ୍କ ବହିଷ୍କାର କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ବହିଷ୍କାର ହେବା ପରେ କେମିତି ଦଳ ଚାଲେ ? କେଉଁ ନେତାମାନେ ତାଙ୍କ ବହିଷ୍କାର ଲାଗି ଦାୟୀ ଗୋଟି ଗୋଟି କରି କହିଥିଲେ ପ୍ରଦୀପ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ପ୍ରଦୀପ ଏବେ ସ୍ଵାଧୀନ ଅଛନ୍ତି । ଅର୍ଥାତ୍ ସେ କେଉଁ ଦଳରେ ନାହାନ୍ତି । କିନ୍ତୁ ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ସିଏ ପୁଣି ଟାଣୁଆ ନେତା, ନିର୍ବାଚନମଣ୍ଡଳୀରେ ଦବଦବା ଅଛି । ତେଣୁ ସେ କେଉଁ ଦଳରୁ ଯଦି ନିର୍ବାଚନ ଲଢନ୍ତି ତେବେ ବିଜେଡି ଧାମନଗର ପରି ସ୍ଥିତି ଦେଖିବା ନେଇ ସନ୍ଦେହ ରହିଛି । ତେଣୁ ପ୍ରଦୀପଙ୍କୁ ଅନ୍ୟ ଦଳକୁ ନନେବା ଲାଗି ବ୍ରହ୍ମପୁରର ବିଧାୟକ ବିକ୍ରିମ ପଣ୍ଡା ଓ ବିଜେଡି ଜିଲ୍ଲା ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ ପ୍ରେସମିଟ କରି ପ୍ରଦୀପଙ୍କୁ କେଉଁ ଦଳ ନେବା ଉଚିତ୍ ନୁହେଁ ବୋଲି କହିଥିଲେ । ଆଉ ଏହାର ପ୍ରତି ଜବାବରେ ପ୍ରେସମିଟ୍ କରି ପ୍ରଦୀପ କହିଥିଲେ ଦଳ ପାଇଁ ସେ ବହୁତ କାମ କରିଛନ୍ତି । ତେଣୁ ସଭାପତି ଏବେ ବି ତାଙ୍କ ସହ କଥା ହେବାକୁ ଚାହୁଁଛନ୍ତି । ହେଲେ କିଛି ନେତାଙ୍କ ଲାଗି ଏହା ସମ୍ଭବ ହେଉନି । ଏଠାରେ ଏବେ ବଡ ପ୍ରଶ୍ନ , ମୁଖ୍ୟମନ୍ତ୍ରୀ କାହିଁକି ପ୍ରଦୀପଙ୍କୁ ଖୋଜୁଛନ୍ତି ? ବିଜେଡିର କିଏ ଗୁପ୍ତ ଶତ୍ରୁ ଅଛି ଯିଏ କି ପ୍ରଦୀପଙ୍କୁ ଏକଥା କହିଛନ୍ତି ? ତେବେ ବିଜେଡି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
📱 Get Argus News App
✨