Videos
|
Odisha

ମାଛକୁଣ୍ଡକୁ ବିକିଦେଲେ, ପ୍ରଧାନପାଟକୁ ଶୁଖାଇଦେଲେ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମାଛକୁଣ୍ଡକୁ ବିକିଦେଲେ, ପ୍ରଧାନପାଟକୁ ଶୁଖାଇଦେଲେ  !

Key Points

  • ମାଛକୁଣ୍ଡକୁ ବିକିଦେଲେ, ପ୍ରଧାନପାଟକୁ ଶୁଖାଇଦେଲେ
  • ଖରା ଦିନରେ ହାହାକାର ହେଲେଣି ଦେବଗଡବାସୀ
  • ଟୋପେ ପାଣି ପାଇଁ ଡହଳବିକଳ ହେଲେଣି ଲୋକେ

ଅର୍ଗସ ବ୍ୟୁରୋ: ମାଛକୁଣ୍ଡକୁ ବିକିଦେଲେ, ପ୍ରଧାନପାଟକୁ ଶୁଖାଇ ଦେଲେ । ପାଣି ପାଇଁ ଯାହା ଉପରେ ବର୍ଷବର୍ଷ ଧରି ଲୋକେ ଭରସା କରୁଥିଲେ ଆଜି ସେହି ଜଳପ୍ରପାତକୁ ଶୁଖାଇ ଦେଇଛନ୍ତି ସରକାର । ଯାହାକୁ ନେଇ ଏବେ ଚିନ୍ତାରେ ଦେବଗଡବାସୀ ।

ବଣପାହାଡ଼ ଘେରା ଦେବଗଡ଼ର ସେହି ପ୍ରଧାନପାଟ ଜଳପ୍ରପାତ । ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟିକରିଛି । ସ୍ଥାନୀୟ ଲୋକଙ୍କ ଜୀବନଧାରାର ପ୍ରମୁଖ ଉତ୍ସ ଏହି ଜଳପ୍ରପାତ...ରାଜରାଜୁଡ଼ା ଅମଳରୁ ଆଜି ପର୍ଯ୍ୟନ୍ତ ନିରନ୍ତର ଭାବରେ ଲୋକଙ୍କୁ ଯୋଗାଉଛି ପାନୀୟ ଜଳ । ହେଲେ ଏବେ ସେକାଳ ଆଉ ନାହିଁ । ଅର୍ଥାତ୍‌ ଜଳପ୍ରପାତରେ ପାଣିର ଧାର ଶୁଖିଯିବା ସହ ପାଣି ବି ଶୁଖିଗଲାଣି । ଆଉ ଏଥି ଲାଗି ସିଧାସଳଖ ରାଜ୍ୟ ସରକାର ହିଁ ଦାୟୀ । କାରଣ ପୂର୍ବରୁ ସବୁଜ ବନାନୀ କୋଳରେ ଏହା ରହିଥିଲା । ହେଲେ ଏବେ ଅବାଧ ଗଛକଟା ଲାଗି ହିଁ ଏହି ଜଳପ୍ରପାତରେ ପାଣି କମୁଛି । ଯାହାକୁ ନେଇ ଚିନ୍ତାପ୍ରକାଶ କଲେଣି ପରିବେଶପ୍ରେମୀ, ବୁଦ୍ଧିଜୀବୀ ।

ଅବାଧ ଗଛ କଟା ଲାଗି ଏବେ ହଜିଗଲାଣି ସବୁଜିମା । ଯିଏ ଯେତେବେଳେ ଚାହିଁଲା ସିଏ ସେତେବେଳେ ଗଛ କାଟିଲା । ସେଇଥି ଲାଗି ତ ଏମିତି ବିଚିତ୍ର ସ୍ଥିତି ଉପୁଜିଲାଣି । ତଥ୍ୟ କହୁଛି, ଦେବଗଡ଼ ସହରବାସୀଙ୍କ ପାଇଁ ଦୈନିକ ୩.୬ ଏମ୍‌ଏଲ୍‌ଡି ପାଣି ଆବଶ୍ୟକ । ସେଥିରୁ ପ୍ରଧାନପାଟ ଜଳପ୍ରପାତରୁ ମାତ୍ର ୧ ଲକ୍ଷ ଲିଟର ପାଣି ସଂଗୃହୀତ ହେଉଥିବା ବେଳେ ୧.୪ ଏମ୍‌ଏଲ୍‌ଡି ପାଣି ଗଭୀର ନଳକୂପରୁ ନିଆଯାଉଛି । ଏହିପରି ଭାବେ ସହରବାସୀଙ୍କ ମିଳୁଛି ମାତ୍ର ୨.୪ ଏମ୍‌ଏଲ୍‌ଡି ପାଣି । ଯାହାକି ସେମାନଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ଗୋଟିଏପଟେ ପ୍ରଧାନପାଟର ଜଳଧାର ଶୁଖିଯାଉଥିବା ବେଳେ ଅନ୍ୟପଟେ ଭୂତଳ ଜଳସ୍ତର ବି କମିବାରେ ଲାଗିଛି।

ଫଳସ୍ବରୂପ ପୌରାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେବାରେ ଲାଗିଛି। ପାଣି ଶୁଖି ଯାଉଥିବାରୁ ଆଗାମୀ କିଛିବର୍ଷ ଭିତରେ ପ୍ରଧାନପାଟ ତା’ର ସତ୍ତା ହରାଇବା ଆଶଙ୍କା ପ୍ରକାଶ ପାଇଛି। ତତ୍‌କାଳୀନ ବାମଣ୍ଡା ରାଜା ସଚିଦାନନ୍ଦ ତ୍ରିଭୂବନ ଦେବ ପ୍ରଧାନପାଟର ସୁରକ୍ଷା ନେଇ ଏକ ମାର୍ବଲ ଖୋଦିତ ଶିଳାଲିପିରେ ଜନସାଧାରଣଙ୍କ ସତର୍କ ସୂଚନା ଲେଖିଥିଲେ। ଦୂରଦର୍ଶୀ ରାଜା ସେ ସମୟରୁ ହିଁ ପ୍ରଧାନପାଟ ଜଙ୍ଗଲ ଧ୍ୱଂସ ଓ ପ୍ରଧାନପାଟ ଜଳପ୍ରପାତର ପାଣି ଶୁଖିବା ନେଇ ଆଶଙ୍କା ପ୍ରକାଶ କରି ଲୋକଙ୍କୁ ସଚେତନ କରିଥିଲେ। ଯାହା ଆଜି ସତ ହେବାକୁ ଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଲୋକଙ୍କୁ ପାଣି ଯୋଗାଇବାକୁ ସରକାର ଅନେକ ଯୋଜନା କରିଛନ୍ତି । ହେଲେ କେଜାଣି ସେ ଯୋଜନା କେମିତି ସବୁ ବାଟବଣା ହେଉଛି ? ସେଥିଲାଗି ସତେ ଯେମିତି କେହି ଦାୟୀ ନାହାନ୍ତି । ବାରମ୍ବାର ସରକାର ଡିଡିମ୍ବ ପିଟୁଛନ୍ତି ଆମ ସରକାର ସବୁବେଳେ ଲୋକଙ୍କ ସେବା ପାଇଁ ସମର୍ପିତ ହେଲେ ସେ ସେବାର ଅର୍ଥ କଣ ? ଏ ଘଟଣାରୁ ସ୍ପଷ୍ଟ ଜଣାପଡୁଛି ।
 

Pradhanpat Waterfall Issue | Argus News