ଗୁହାରି ଶୁଣି ପାୱାର ଦେଲେ, ବାଡ ନଡେଇଁବା ଲାଗି ନିର୍ଦ୍ଦେଶ ଦେଲେ !

Key Points
- ବାଡ ଡେଇଁବେନି ବବି
- କମ୍ ବ୍ୟାକ୍ କଲେ, ଚୁପ୍ ରହିଲେ
- ଟିକିଏ ପାୱାର ଦେଲେ ପାଣ୍ଡିଆନ୍
ଅର୍ଗସ ବ୍ୟୁରୋ: ପୁଣି ବିଜେଡିରେ ଟିକେ ଟିକେ ଦୃଶ୍ୟମାନ ହେଲେଣି ବବି ଦାସ । ହେଲେ ଏଥର ଆଉ ପୂର୍ବପରି ଦବଦବା ନାହିଁ କି ପାୱାର ନାହିଁ । ଖାଲି ଯାହା କ୍ୟାମେରା ସାମ୍ନାରେ ବେଳେ କାମ କରୁଥିବାର ନଜର ଆସୁଛନ୍ତି । କିନ୍ତୁ ଭାରି ଗମ୍ଭୀର ରହୁଛନ୍ତି । କାଳେ ପାଣ୍ଡିଆନ୍ଙ୍କ କଡ଼ା ନିର୍ଦ୍ଦେଶ ରହିଛି ପାୱାର ପାଇଁ ଛଟପଟ ହେବେନି କି ନେତାଙ୍କୁ ଟଣାଓଟରା କରିବେନି । ଅର୍ଥାତ୍ ପୂର୍ବରୁ ଯେଉଁ ନେତା ନବୀନ ବାବୁଙ୍କୁ ଭେଟିବାକୁ ଯାଉଥିଲେ ତାଙ୍କୁ ଟାଣି ନେଉଥିଲେ । ଯାହାକୁ ନେଇ ଦଳୀୟ ସ୍ତରରେ ଅସନ୍ତୋଷ ଦେଖାଦେଇଥିଲା । ଏମିତିକି ଶୀର୍ଷ ନେତୃତ୍ଵ ବି ବିରକ୍ତ ହୋଇଥିଲେ । ଆଉ ସେବେଠୁ କେମିତି ବବିଙ୍କର କାଟତି କମିବ ସେନେଇ କୁଆଡ଼େ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ପାଣ୍ଡିଆନ୍ ।
ନିର୍ବାଚନ ପାଖେଇ ଆସୁଥିବାରୁ କଳବଳେ କୌଶଳେ ଭୋଟ୍ ହାତେଇବାକୁ ଚେଷ୍ଟା କରୁଛି ବିଜେଡି । ହେଲେ ବବିଙ୍କର ଏପରି ହରକତ ଲାଗି ଦଳୀୟ ନେତା ହିଁ ଦଳକୁ ହରାଇ ଦେବେ ବୋଲି ଖବର ପାଇଥିଲେ ପାଣ୍ଡିଆନ୍ । ଆଉ ଆଲୋଚନା ହେବା ପରେ ଆରମ୍ଭ ହୋଇଥିଲା ମିଡ୍ ନାଇଟ୍ ଅପରେସନ୍ । ପର କାଟିବାକୁ ପ୍ଲାନ ତିଆରି କଲେ ।
ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦଳରେ କେତେ ପାୱାର ଥିଲା ସେକଥା କାହାକୁ ବି ଅଛପା ନାହିଁ । କିନ୍ତୁ ସେହି ପାୱାରକୁ ନେଇ ଯେବେ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି ହେଲା ସେତେବେଳେ ଚିନ୍ତା ବଢିଲା । ବାରମ୍ବାର ବୁଝାଇବା ପରେ ସ୍ଥିତି ଏମିତି ହେଲା ଯେ ବବିଙ୍କୁ ସାଇଡ୍ କରାଗଲା । କଥାରେ ଅଛି ମାଛ ପାଣି ବିନା ଯେମିତି ଛଟପଟ ହୁଏ ପାୱାର ଚାଲିଗଲେ ନେତା ବି ଛଟପଟ ହୁଅନ୍ତି । ବୋଧହୁଏ ସେଇଥି ଲାଗି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ କହୁନ୍ତି, ଯାହାର ନଥିବ ଗତି ସେ କରିବ ରାଜନୀତି । ଆଉ ଥରେ ରାଜନୀତି ୧୪ ପୁରୁଷ ପର୍ଯ୍ୟନ୍ତ ସମ୍ପତ୍ତି ।
📱 Get Argus News App
✨
ସେ ଯାହା ବି ହେଉ, ବବିଙ୍କ ହାତରୁ ସଙ୍ଗଠନ ଚାଲିଯାଉଥିବା ଦେଖି କେମିତି ପୁଣି କ୍ଷମତା ଫେରିପାଇବେ ସେନେଇ ବୈଠକ ହେଲା । ଏମିତିକି କ୍ଷମତା ମିଳିବ ହେଲେ ସୀମା ଭିତରେ ରହି କାମ କରିବେ ବୋଲି କୁହାଗଲା । ଆଉ ଉପାୟଶୂନ୍ୟ ହୋଇ ରାଜି ହେଲେ ବବି । ବୋଧହୁଏ ସେଇଥି ଲାଗି ଗତ ଶନିବାର ପାଣ୍ଡିଆନ୍ଙ୍କ ସହ ବବି ଯେବେ ପୁରୀ ଯାଇଥିଲେ ଭାରି ଗମ୍ଭୀର ଦିଶୁଥିଲେ । ହେଲେ ଗୋଟିଏ କଥା ଏବେ ସ୍ପଷ୍ଟ ବବିଙ୍କର ଆଉ ଆଗପରି ନାହିଁ ଦବଦବା ।