Prasanna Patsani / ନବୀନଙ୍କୁ ଚେତାଇ ଦେଲେ ପାଟ୍ଟଶାଣୀ । କହିଲେ...

Key Points
- ଶ୍ରୀମୟୀଙ୍କୁ ଟିକେଟ୍ ଦେଲେ ପୁଣି ଭୁଲ କରିବ ବିଜେଡି
- ରେଜଲ୍ଟ ବାହାରିବା ପରେ ସତ ଜଣାଯିବ
- ମୁଁ ଭାବୁଛି ନବୀନ ବାବୁ ଏଥର ଭୁଲ କରିବେନି
ଅର୍ଗସ ବ୍ୟୁରୋ: ଭୁବନେଶ୍ଵର ସଂସଦୀୟ କ୍ଷେତ୍ରକୁ ନେଇ ପୁଣି ଥରେ ବିଜେଡିରେ ନିଆଁ କୁହୁଳିଲାଣି । ଗୋଟିଏ ପଟେ ଶ୍ରୀମୟୀ ମିଶ୍ର ଲୋକସଭାରୁ ପ୍ରାର୍ଥୀ ହେବେ ବୋଲି ଅନଔପଚାରିକ ଭାବରେ କହିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ହେଲେ ଏବେ ସେ ରାଜଧାନୀରେ ଯେତେ ସକ୍ରିୟ ଅଛନ୍ତି, ଘରକୁ ଘର ବୁଲି ଯେମିତି ରାଲି କରୁଛନ୍ତି ସେ ହିଁ ପ୍ରାର୍ଥୀ ହେବେ ବୋଲି ଜଣାଯାଉଛି । ଏମିତିକି ସେ ବି କାଳେ କହିସାରିଛନ୍ତି ପ୍ରାର୍ଥୀ ହେବେ ବୋଲି । ହେଲେ ଶ୍ରୀମୟୀ ପ୍ରାର୍ଥୀ ହେବାକୁ ନେଇ ସହଜରେ ଗ୍ରହଣ କରିପାରୁନାହାନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ନବୀନ ବାବୁଙ୍କୁ ଚେତାଇ ଦେଇ କହିଛନ୍ତି, ପୂର୍ବଥର ପରି ଭୁଲ କଲେ ପୁଣି ଭୋଗିବ ।
ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ବିଜେଡିର ରାଜନୀତି ସେତିକି ଗୋଳିଆ ହୋଇ ରହୁଛି । ସବୁ ନେତା କହୁଛନ୍ତି ଆମକୁ ଦରକାର ଟିକେଟ୍ । ଆଉ ଯିଏ ନପାଉଛି ସିଏ ରଣହୁଙ୍କାର ଦେଉଛି । ଏମିତିକି ପୂର୍ବତନ IPS ଅଫିସର ଅରୂପ ପଟ୍ଟନାୟକଙ୍କୁ ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ କରି ଦଳ ନିର୍ବାଚନ ହାରିଥିଲା । ସେତେବେଳେ ବି ପାଟ୍ଟଶାଣୀ କହିଥିଲେ ଦଳ ଭୁଲ କରିଛି । ଏମିତିକି ନବୀନ ବାବୁ ତାଙ୍କୁ ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏଯାଏଁ ରାଜ୍ୟସଭା ଯାଇପାରିଲେନି ପ୍ରସନ୍ନ । ଯାହାକୁ ନେଇ ସେ ବି ରଣହୁଙ୍କାର ଦେଲେନି । ଗଣମାଧ୍ୟମରେ ଦଳ ଉପରେ ବର୍ଷିଲେଣି ।
ଗୋଟିଏ ପଟେ ରାଗିକି ଗରଗର ହେଉଛନ୍ତି ପାଟ୍ଟଶାଣୀ, ସେପଟେ ମନରେ ଡର ବି ପ୍ରବଳ ରହିଛି । କାରଣ ଦଳ ବିରୋଧରେ ପାଟି ଖୋଲିଲେ ଟିକେଟ୍ କଣ ବରଂ ଦଳରୁ ପୂରା ବିଦା ହେବାର ଭୟ ରହିଛି । ଏପଟେ ଟିକେଟ୍ ଆଶା ବି ରହିଛି । ତେଣୁ ମାପିଚୁପି ଶ୍ରୀମୟୀ ଛିଡା ହେଲେ ଅସୁବିଧା ନାହିଁ ବୋଲି କହି ଦୋଷ ଛଡାଇଛନ୍ତି । ହେଲେ ମନର କଥା କହୁକହୁ ନବୀନଙ୍କୁ ଚେତାଇବି ଦେଇଛନ୍ତି । ତେବେ ନିର୍ବାଚନକୁ ଆଉ ମାତ୍ର ୯୦ ଦିନ ରହିଥିବା ବେଳେ ସାରା ରାଜ୍ୟରେ ବିଜେଡିର ଗୋଷ୍ଠୀ କନ୍ଦଳ ଫୁଟିକି ବାହାରିଛି । ଆଉ ଏତିକି ବେଳେ ଟିକେଟ୍ ପାଇଁ ଯେମିତି ଅସନ୍ତୋଷ ଏତିକି ବେଳୁ ଦିଶିଲାଣି ତାହାକୁ ନେଇ ଚର୍ଚ୍ଚା ବି ଚାଲିଛି ।
📱 Get Argus News App
✨Related Topics
Explore more stories