ରମାକାନ୍ତ ରଥଙ୍କ ଦେହାନ୍ତକୁ ନେଇ ଶୋକ ପ୍ରକାଶ କଲେ ପ୍ରତିଭା ରାୟ

ପରଲୋକରେ ଓଡ଼ିଆ ସାହିତ୍ୟର ପ୍ରଥିତଯଶା କବି ପଦ୍ମଭୂଷଣ ରମାକାନ୍ତ ରଥ। ଏହି ଦୁଃଖଦ ମୂହୁର୍ତ୍ତ ଅବସରରେ ପଦ୍ମଭୂଷଣ ପ୍ରତିଭା ରାୟ ଶୋକପ୍ରକାଶ କରି କହିଛନ୍ତି କବି ରମାକାନ୍ତ ଯେମିତି ହୃଦୟଗ୍ରାହୀ କବି ଥିଲେ ସେମିତି ମିଷ୍ଟ ମଣିଷ ମଧ୍ୟ ଥିଲେ। ସେ ତାଙ୍କ କାଳଜୟୀ କବିତା ମାଧ୍ୟମରେ ଚିରକାଳ ବଞ୍ଚି ରହିବେ ବୋଲି କହିଛନ୍ତି ପ୍ରତିଭା ରାୟ।
ସେ ଆହୁରି ମଧ୍ୟ ଶୋକ ବାର୍ତ୍ତାରେ କହିଛନ୍ତି ‘ଶ୍ରୀରାଧା’ ଓ ‘ସପ୍ତମ ଋତୁ’ର କବି ତଥା ଭାରତୀୟ ସାହିତ୍ୟର ଜଣେ ଅବିସ୍ମରଣୀୟ କାବ୍ୟପୁରୁଷଙ୍କର ଦେହାନ୍ତ ହୋଇଛି। ସେ ବହୁଦିନ ଧରି ଅସୁସ୍ଥ ଥିବା ଖବର ଜଣାଥିଲେ ବି ତାଙ୍କ ମୃତ୍ୟୁ ଶକ୍ତ ଆଘାତ ଦେଇଛି। ଜୀବନ ମୃତ୍ୟୁ, ପ୍ରେମ ବିରହ, ମିଳନ ଶୋକ ଓ ଅତୀତ ଭବିଷ୍ୟତର ନାଡ଼ି ନକ୍ଷତ୍ର ଚିହ୍ନାଇ ଦେଉଥିବା କବି ଥିଲେ ରମାକାନ୍ତ ରଥ।
📱 Get Argus News App
✨କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ସେ ଜଣେ ଅବିସ୍ମରଣୀୟ କବି ଭାବରେ ପରିଚିତ ଥିଲେ। ଥରେ ଅଷ୍ଟ୍ରେଲିଆରେ ଲେଖିକା, କବି ପ୍ରଫେସର ଜୁଡିଥ୍ ରୋଡ୍ରିଗ୍ୱେଙ୍କ ସହ ଦେଖା ହୋଇଥିଲା ସେ ରମାକାନ୍ତଙ୍କ କଥା ପଚାରିଥିଲେ ବୋଲି ପ୍ରତିଭା ରାୟ କହିଛନ୍ତି।
ଓଡ଼ିଆ ସାହିତ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚେଇବାରେ ପ୍ରମୁଖ ଭୂମିକା ନିଭାଇ ଆସୁଥିଲେ ରମାକାନ୍ତ ରଥ। କାଳଜୟୀ କାବ୍ୟଗ୍ରନ୍ଥ ଶ୍ରୀରାଧା ପାଇଁ ସରସ୍ୱତୀ ସମ୍ମାନ, ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ସଚିତ୍ର ଅନ୍ଧାର ପାଇଁ ସାରଳା ପୁରସ୍କାର ହାସଲ କରିବା ସହ ସେ ପ୍ରଥିତଯଶା ଲେଖକ ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋସିପ ମଧ୍ୟ ପାଇଥିଲେ। ୨୦୦୬ରେ ପଦ୍ମ ଭୂଷଣରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।
୯୧ ବର୍ଷ ବୟସରେ ଭୁବନେଶ୍ବର ଖାରବେଳନଗରସ୍ଥିତ ବାସଭବନରେ ତାଙ୍କର ପରଲୋକଳ ହୋଇଛି । ତାଙ୍କର ଲେଖା ଗୁଡ଼ିକ ମଧ୍ୟରେ ରହିଛି - କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ତାଙ୍କର ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା।