ପଦ ପାଇଁ ପଦବୀ ଛାଡିଲେ କି ପ୍ରୟାସ ?

ଅର୍ଗସ ବ୍ୟୁରୋ : ନିର୍ବାଚନ ପୂର୍ବରୁ ସଭାପତି ପଦରୁ ଇସ୍ତଫା ଦେଲେ ଭଣ୍ଡାରିପୋଖରୀ ବିଧାୟକଙ୍କ ପୁଅ ପ୍ରୟାସକାନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ବହୁଚର୍ଚ୍ଚିତ ବରପଦା ଇଂଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ପ୍ରୟାସକାନ୍ତି ସାମଲ । ଯାହାକୁ ନେଇ ଏବେ ଜୋର ଧରିଲାଣି ଚର୍ଚ୍ଚା । ଏତେ ଦିନଧରି ପଦ ମାଡି ବସିଥିଲେ ଏବେ ଇସ୍ତଫା ଦେଲେ
ବର୍ଷେ କି ଦୁଇବର୍ଷ ନୁହେଁ ବରଂ ବର୍ଷବର୍ଷ ଧରି ସଭାପତି ପଦକୁ ନିଜ ପାଖରେ ରଖିଥିଲେ ପ୍ରୟାସ । ହେଲେ ଏବେ ଛାଡିଦେଲେ । ଅଭିଯୋଗ ଅନୁସାରେ, ବରପଦା ଇଞ୍ଜିନିୟରିଂ କଲେଜରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ କର୍ମଚାରୀଙ୍କ ସମସ୍ୟା ଲାଗି ରହିଥିଲା । ଖାଲି ସମସ୍ୟା ଲାଗିରହିଥିଲା ତାହା ନୁହେଁ ବରଂ କୋଟିକୋଟି ଟଙ୍କା ଦୁର୍ନୀତି ହୋଇଥିବା ନେଇ ଜଣାପଡିଥିଲା । ଏହାପରେ ଇଡିର ରେଡ୍ ହୋଇଥିଲା । ଆଉ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲ ।
ମିଳିଥିବା ସୂଚନା ଅନୁସାରେ, ବରପଦା ଇଞ୍ଜିନିୟରିଂ କଲେଜ ଥିଲା ସରକାରୀ । ପରେ ଏହାକୁ ଘରୋଇଭାବେ ସୋସାଇଟି ଜରିଆରେ ପରିଚାଳନା କରାଯାଉଥିଲା । ଯାହାର ସଭାପତି ଥିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି । ତେବେ କଲେଜ ନାଁରେ ଅଡ଼ି, ଭର୍ଣ୍ଣା, ସ୍କୋଡ଼ା ଭଳି ଅନେକ ସୌଖିନ କାର କିଣି ମାଲିକ ବନିଯାଉଥିଲେ ପ୍ରୟାସକାନ୍ତି । ଅଥଚ ଗାଡ଼ି ବିକା ବାବଦରେ ଟଙ୍କାଟିଏ ବି ଯାଇନି କଲେଜ ଖାତାକୁ । ଅଭିଯୋଗ ଏତିକିରେ ସରିନଥିଲା, କଲେଜ ନାଁରେ ପ୍ରଫୁଲ୍ଲଙ୍କ ପୁଅ ଭୁବନେଶ୍ୱର କଣ୍ଟାବାଡ଼ରେ ୩୨ ଏକର ଜମି କିଣି ଜଣେ ବିଲଡରଙ୍କୁ ପାୱାର ଅଫ୍ ଆଟର୍ଣ୍ଣି ପ୍ରଦାନ ସହ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଏହାରି ଭିତରେ ନିର୍ବାଚନ ତାରିଖ ଘୋଷଣା ହୋଇଛି, ତେଣୁ କୁହାଯାଉଛି କି ଫେସ କ୍ଲିୟର ପାଇଁ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ପ୍ରୟାସକାନ୍ତି । ତେବେ ସମୟ କହିବ ଏ ନିଷ୍ପତ୍ତି କେତେ କାମ ଦେଉଛି ।
📱 Get Argus News App
✨
