Flood Rescue / ଜଳବନ୍ଦୀଠୁ ବଳିଗଲା ପ୍ରସବ ଯନ୍ତ୍ରଣା... କବାଟ ଭେଳାରେ ଗର୍ଭବତୀ ହସ୍ପିଟାଲ୍ ପହଞ୍ଚିଲେ

Key Points
କୋଳରେ ୩ ଦିନର ଶିଶୁ ଭେଳାରେ ଘରକୁ ଫେରିଲେ
ଆମ୍ବୁଲାନ୍ସ ନାହିଁ, ଡଙ୍ଗା ନାହିଁ କବାଟ ହେଲା ଜୀବନର ସାହାରା
ପେଟେ ପାଣିରେ ଜୀବନ ସଂଗ୍ରାମ ନବଜାତକୁ ଧରି ଭେଳାରେ ମା’
ଜଳବନ୍ଦୀଠୁ ବଳିଗଲା ପ୍ରସବ ଯନ୍ତ୍ରଣା... ବନ୍ୟାର ଭୟଙ୍କର ରୂପ ଭିତରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ । ଆମ୍ବୁଲାନ୍ସ ପହଞ୍ଚିପାରିଲାନି କି ଡଙ୍ଗାଟିଏ ମିଳିଲାନି, ଶେଷରେ ଆସନ୍ନ ପ୍ରସବ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇବାକୁ ନିଜ ଘର କବାଟକୁ ହିଁ ଖୋଲି ଭେଳା ବନାଇଦେଲେ ପରିବାର ଲୋକେ । ଖାଲି ସେତିକି ନୁହେଁ, ହସ୍ପିଟାଲରେ ପୁତ୍ର ସନ୍ତାନ ଜନ୍ମ ହେବା ପରେ, ମାତ୍ର ୩ ଦିନର କୋଳପୋଛା କୁନି ଛୁଆକୁ ଧରି ପୁଣି ସେହି ଭେଳାରେ ହିଁ ପେଟେ ପାଣିରେ ଭାସି ଭାସି ଘରକୁ ଫେରିବାକୁ ପଡ଼ିଛି ।
କୋଳରେ ୩ ଦିନର ନବଜାତ ଶିଶୁ...ଆଉ ତଳେ ଲହଡ଼ି ମାରୁଛି ପେଟେ ପେଟେ ବନ୍ୟା ପାଣି । ବାସୁଦେବପୁର ବ୍ଲକ୍ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦଧିବାମନପୁର ପାଳ ଗାଁରୁ ଆସିଛି ଏହି ଭଳି ଦୃଶ୍ୟ । ଗାଁ ଭିତରେ ଚାଲିବାକୁ ବାଟ ନାହିଁ, ଚାରିଆଡ଼େ ଅଣ୍ଟାଏରୁ ପେଟେ ଉଚ୍ଚର ପାଣି । ଏହି ଗାଁର ପର୍ଶୁରାମ ମଳିକଙ୍କ ପତ୍ନୀ ପୂଜାରାଣୀ ଗତ ୧୮ ତାରିଖରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ହେଲେ ଗାଁକୁ ଆମ୍ବୁଲାନ୍ସ ଆସିବା ତ ଦୂରର କଥା, ପ୍ରଶାସନ ପକ୍ଷରୁ ଡଙ୍ଗାଟିଏ ବି ମିଳିନଥିଲା । ଶେଷରେ ଉପାୟ ଶୂନ୍ୟ ହୋଇ ନିଜ ଘର କବାଟକୁ ଖୋଲି ଭେଳା ବନାଇଥିଲେ ପରିବାର ଲୋକେ ।
ଜୀବନକୁ ବାଜି ଲଗାଇ, ସେହି କବାଟ ଭେଳାରେ ପୂଜାରାଣୀଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଯାଇଥିଲା । ସକାଳ ୯ଟା ୨୫ରେ ମେଡିକାଲରେ ଭର୍ତ୍ତି ହେବାର ମାତ୍ର ଏକ ମିନିଟ୍ ପରେ, ଅର୍ଥାତ୍ ୯ଟା ୨୬ରେ ସେ ଏକ ସୁନ୍ଦର ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ହେଲେ ଦୁର୍ଦ୍ଦଶା ଏତିକିରେ ସରିନଥିଲା । ମେଡିକାଲରୁ ଡିସଚାର୍ଜ ହେବା ପରେ, ନବଜାତକ ଓ ପ୍ରସୂତୀଙ୍କୁ ସୁରକ୍ଷିତ ଘରେ ଛାଡ଼ିବାକୁ ବି ପ୍ରଶାସନ ସାହାଯ୍ୟ କଲାନି । ଶେଷରେ ଡେଲିଭରୀର ତିନି ଦିନ ପରେ ସେହି ୩ ଦିନର କୁନି ଶିଶୁକୁ କୋଳରେ ଧରି, ବାଉଁଶ ଭେଳାରେ ବସି ପେଟେ ପାଣିରେ ଭାସି ଭାସି ଘରକୁ ଫେରିବାକୁ ପଡ଼ିଛି ।
ଇଏ ତ ଗୋଟିଏ ପରିବାରର ଦୁର୍ଦ୍ଦଶା । ପ୍ରାୟ ମାସେ ହେଲା ବନ୍ୟା ପାଣିରେ ଏମିତି ଘାଣ୍ଟି ହେଉଛନ୍ତି ପୁରା ପଞ୍ଚାୟତବାସୀ । ମନ୍ତେଇ ନଦୀ ଏମାନଙ୍କୁ କରିରଖିଛି ଜଳବନ୍ଦୀ । ଗୋଟିଏ ପଟେ ଘର ଭିତରେ ୪ ରୁ ୫ ଫୁଟର ପାଣି, ଅନ୍ୟପଟେ ନଦୀରୁ ଗାଁକୁ ପଶି ଆସୁଥିବା କୁମ୍ଭୀରଙ୍କ ଭୟ । ଏଭଳି ସ୍ଥିତିରେ ନିଜ ନିତ୍ୟ ଆବଶ୍ୟକ ସାମଗ୍ରୀ ଆଣିବାକୁ ହେଉ କିମ୍ବା କୋମଳମତି ଶିଶୁଙ୍କୁ ସ୍କୁଲ ଯିବାକୁ ହେଉ, ବାଉଁଶ ଓ ସୋଲ ଭେଳା ହିଁ ପାଲଟିଛି ଏକମାତ୍ର ସାହାରା । ପ୍ରଶାସନିକ ଅବହେଳା ଯୋଗୁଁ ଆଜି ବିପଦକୁ ମୁଣ୍ଡେଇ ଭେଳାରେ ଭାସୁଛନ୍ତି ଜଗନ୍ନାଥପ୍ରସାଦ ପଞ୍ଚାୟତବାସୀ ।
କବାଟ ଭେଳାରେ ହସ୍ପିଟାଲ ଯିବା ଏବଂ ୩ ଦିନର ଶିଶୁକୁ ଧରି ବାଉଁଶ ଭେଳାରେ ଘରକୁ ଫେରିବା, ସରକାରଙ୍କ ବନ୍ୟା ମୁକାବିଲାର ଦାବି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଞ୍ଚଳିକ ପ୍ରଶାସନ କେବେ ନିଦରୁ ଭାଙ୍ଗିବ ଏବଂ ଏହି ଜଳବନ୍ଦୀ ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବ, ତାହା ଏବେ ବଡ଼ ପ୍ରଶ୍ନ ।
📱 Get Argus News App
✨Related Topics
Explore more stories