୬୪୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କଲେ ରାଷ୍ଟ୍ରପତି

Key Points
କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି ।
ଉତ୍ତମ ସ୍ବାସ୍ଥ୍ୟ ଉପରେ ସମାଜର ଭିତ୍ତିଭୂମି ରହିଥାଏ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
୨ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି ମହାମହିମ । ୬୪୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ସେହିପରି କୃତୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗରେ ସଫଳତା ପାଇଁ ୫୯ଟି ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି ।
କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଅଭିଭାଷଣରେ କହିଛନ୍ତି, ଦେଶରେ ଚିକିତ୍ସା କ୍ଷେତ୍ରରେ AIIMS ଉଲ୍ଲେଖନୀୟ ସଫଳତା ହାସଲ କରୁଛି । ଆମ ସରକାର ଦେଶରେ ଆୟୁଷ୍ମାନ ଯୋଜନା ଲାଗୁ କରିଛନ୍ତି । ଏବେ ସ୍ଥାନୀୟ ଭାଷାରେ ମେଡିକାଲ ଶିକ୍ଷା ଦେବାରେ ବ୍ୟବସ୍ଥା ହେଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶ ଡିଜିଟାଇଜେସନରେ ଉନ୍ନତି କରୁଛି ।
ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଅଭିଭାଷଣରେ କହିଛନ୍ତି, ଅଧ୍ୟୟନ ହେଉଛି ଜୀବନ ବ୍ୟାପୀ ସାଧନା । ଆଜି ଏହା ଏକ ମହାଦ୍ରୁମରେ ପରିଣତ ହୋଇଛି । ଉତ୍ତମ ସ୍ବାସ୍ଥ୍ୟ ଉପରେ ସମାଜର ଭିତ୍ତିଭୂମି ରହିଥାଏ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ୨୦୦୩ରେ ଭୁବନେଶ୍ବର AIIMSର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ଆସନ୍ତାକାଲି କଟକରେ ୫ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ।
ରେଭେନ୍ସା ବିଶ୍ବବିଦ୍ୟାଳୟର ୧୩ ତମ ସମାବର୍ତନ ଉତ୍ସବରେ ୨୦୨୩, ୨୪ ଓ ୨୫ ପାଇଁ ମୋଟ ୩୨୯ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସ୍ବର୍ଣ୍ଣପଦକ ଓ ପୁରସ୍କାର ପ୍ରଦାନ କରିବେ । ଭର୍ତ୍ତୃହରି ମହତାବଙ୍କ ସହ ମୋଟ ୪ ଜଣଙ୍କୁ ସମ୍ମାନଜନକ ଡିଲିଟ ଉପାଧି ପ୍ରଦାନ କରାଯିବ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଟ୍ବିନସିଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମାବର୍ତ୍ତନ ସମାରୋହ ପରେ ଏମ୍ସର ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍କୁ ଯାଇ ଗୁରୁତର ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବର୍ଣ୍ଣ ୟୁନିଟ୍ ଗଲେ ।