କଣ୍ଟିଲୋରେ ପ୍ରଭୂ ନୀଳମାଧବଙ୍କ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି

ଜଗନ୍ନାଥଙ୍କ ଆଦି ପୀଠରେ ମହାମହିମ। କଣ୍ଟିଲୋ ନୀଳମାଧବଙ୍କ ପୀଠରେ ରାଷ୍ଟ୍ରପତି। କାଳିଆପଲ୍ଲୀ ନୟାଗଡ଼ରେ ଥିବା ଭାରତୀୟ ବିଶ୍ବାବସୁ ଶବର ଫାଉଣ୍ଡେସନର ବାର୍ଷିକ ଉତ୍ସବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ଅପରାହ୍ନ 3.10ରେ କଣ୍ଟିଲୋ ପାଲଟନ ପଡ଼ିଆରେ ପହଞ୍ଚିବା ପରେ ସେଠାରୁ ଯାଇ ପ୍ରଭୁ ନୀଳମାଧବଙ୍କ ଦର୍ଶନ କଲେ ମହାମହିମ । ମନ୍ଦିରରେ ପ୍ରାୟ 20 ମିନିଟ ଧରି ପୂଜାର୍ଚ୍ଚନା କଲେ। ବିଶ୍ୱାବସୁ ବିଶ୍ୱଶାନ୍ତି ଯଜ୍ଞରେ ପୂର୍ଣ୍ଣାହୂତି ଦେବା ସହ ଶବର ସମାଜର ପୂଜକଙ୍କୁ ବସ୍ତ୍ର ଭେଟି ଦେଲେ ରାଷ୍ଟ୍ରପତି । ସେଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧନ କଲେ । କଣ୍ଟିଲୋ ନୀଳମାଧବ ପୀଠର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି।
ରାଷ୍ଟ୍ରପତିଙ୍କ ଏହି ଗସ୍ତ ଅବସରରେ ରାଜ୍ୟପାଳ ହରିବାବୁ କୁମ୍ଭମ ପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l ଆମର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଉଭୟ ଆଦିବାସୀ। ପୌରାଣିକ କଥା ଅନୁସାରେ ଜଗନ୍ନାଥଙ୍କ ଆଦି ରୂପ ନୀଳମାଧବଙ୍କୁ ପୂଜା କରୁଥିଲେ ଆଦିବାସୀ ରାଜା ବିଶ୍ବାବସୁ । ତାଙ୍କ ଝିଅ ଲଳିତାଙ୍କୁ ରାଜା ବିଦ୍ୟାପତି ବିବାହ କରିଥିଲେ। ବିଦ୍ୟାପତି ନୀଳମାଧବଙ୍କୁ ଚୋରାଇ ଆଣିବା ଏବଂ ନୀଳମାଧବ ପରେ ଦାରୁବ୍ରହ୍ମ ରୂପରେ ଶ୍ରୀକ୍ଷେତ୍ରରେ ପୂଜା ପାଇଆସୁଛନ୍ତି । ଲଳିତା ଓ ରାଜା ବିଦ୍ୟାପତିଙ୍କ ବଂଶଜ ହେଲେ ଶ୍ରୀମନ୍ଦିରର ଦଇତାପତି ସେବାୟତ । ନୀଳମାଧବ ମନ୍ଦିର ପୂଜକ ସଙ୍ଘ ପକ୍ଷରୁ ଆଜି ରାଷ୍ଟ୍ରପତିଙ୍କୁ ସ୍ୱତନ୍ତ୍ର ଉପଢୌକନ ଓ ନୀଳମାଧଵଙ୍କ ତୈଳ ଫଟୋ ଚିତ୍ର ପ୍ରଦାନ କରାଯାଇଛି ।