Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ଭୋରରୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କଲେ ରାଷ୍ଟ୍ରପତି

Odisha

ଆଜି ଭୋରରୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କଲେ ରାଷ୍ଟ୍ରପତି

Smruti Parija
Browse all articles by Smruti Parija
·1 year ago·3 min read
ଆଜି ଭୋରରୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କଲେ ରାଷ୍ଟ୍ରପତି

ପୁରୀ:  ମହାମହିମ ରାଷ୍ଟ୍ରପତି ରଥଯାତ୍ରାରେ ସାମିଲ ହୋଇ ରଥାରୂଢ ଠାକୁରଙ୍କ ସାନିଧ୍ୟ ନେଇଛନ୍ତି । ଆଜି ଭୋରରୁ ମହାମହିମ ରାଷ୍ଟ୍ରପତି ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କରିଛନ୍ତି । କଡା ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ବେଳାଭୂମିରେ କିଛି ସମୟ ଅତିବାହିତ କରି ରାଜଭବନ ଅଭିମୁଖେ ଯାଇଛନ୍ତି । ତେବେ ରାଜଭବନରେ କିଛି ସମୟ ବିଶ୍ରାମ ନେବାପରେ 9.15 ରେ ରାଜଭବନରୁ ବାହାରି ହେଲିପ୍ୟାଡ୍ ଯାଇ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

ଅନ୍ୟପଟେ ବେଳାଭୂମିରେ ପ୍ରାତଃଭ୍ରମଣ ପରେ ବେଶ ଖୁସି ଅନୁଭବ କରିଛନ୍ତି ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତି କହିଛନ୍ତି ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି, ଯାହା ସଂସ୍ପର୍ଶରେ ଆସିଲେ ଆମେ ଜୀବନର ଅର୍ଥ ବୁଝିପାରୁ । ବଣ-ପାହାଡ଼, ନଦ-ନଦୀ ଓ ସାଗର-ବେଳାର ସମାହାର ଏହି ଯେଉଁ ପ୍ରକୃତି, ଆମେ ତା’ର ଅଂଶବିଶେଷ ବୋଲି ଆମର ହୃଦବୋଧ ହୁଏ । ମୁଁ ଆଜି ବେଳାଭୂମିରେ ଚାଲୁଥିଲା ବେଳେ ମନ୍ଦ ମନ୍ଦ ପବନ ବହୁଥିଲା, ସମୁଦ୍ରର ଢେଉ ଗର୍ଜନ କରୁଥିଲା ଏବଂ ଜଳରାଶି ଦିଗବଳୟକୁ ଛୁଇଁଯାଉଥିଲା । ଏପରି ପରିବେଶରେ ମୁଁ ତଲ୍ଲୀନ ହୋଇଯାଇଥିଲି । ମୋର ମନେ ହେଲା, ମୁଁ ଯେମିତି ଧ୍ୟାନମଗ୍ନ ହୋଇଯାଇଛି ।

ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲାବେଳେ ମୁଁ ଯେଉଁ ପ୍ରଶାନ୍ତି ଲାଭ କରିଥିଲି, ଏହି ପରିବେଶରେ ମଧ୍ୟ ମୋର ଅନୁରୂପ ଅନୁଭୂତି ହେଲା । ମୋର ଯେ କେବଳ ଏପରି ଅନୁଭୂତି ଅଛି ତା’ ନୁହେଁ । ନିଜ ଠାରୁ କାହିଁ କେତେ ଗୁଣ ବିଶାଳ ଏକ ସତ୍ତା ସଂସ୍ପର୍ଶରେ ଆସିଲେ ହିଁ ଆମ ଭିତରେ ଏପରି ଏକ ଭାବ ସୃଷ୍ଚି ହୁଏ । ଏହି ସତ୍ତା ଆମକୁ ଧରିରଖେ ଏବଂ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ ।

ଦୈନନ୍ଦିନ ଜୀବନର ଧାଁ ଦଉଡ଼ ଭିତରେ ମଣିଷ, ପ୍ରକୃତି ମାଆ ଠାରୁ ଦୂରେଇ ଯାଉଛି ଏବଂ ପ୍ରକୃତିକୁ ନିୟନ୍ତ୍ରଣ କରିପାରିଛି ବୋଲି ବାହାସ୍ଫୋଟ ମାରୁଛି ତଥା ନିଜର ସାମୟିକ ସୁଖ ପାଇଁ ପ୍ରକୃତିକୁ ଶୋଷଣ କରିଚାଲିଛି । ଏହାର କୁପରିଣତି ଆମେ ସମସ୍ତେ ଭୋଗୁଛନ୍ତି । ଚଳିତ ଗ୍ରୀଷ୍ମ ଋତୁରେ ଭାରତର ଅନେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ବିଗତ କିଛି ବର୍ଷ ହେଲା, ସମଗ୍ର ପୃଥିବୀରେ ପାଣିପାଗ ଜନିତ ଘଟଣାସବୁ ଚରମ ସ୍ତରରେ ପହଞ୍ଚିଛି ଏବଂ ଏସବୁ ଘଟଣା ଏବେ ଅଧିକରୁ ଅଧିକ ଘଟିବାରେ ଲାଗିଛି । ଏପରିକି, ଆଗାମୀ ଦଶନ୍ଧିଗୁଡ଼ିକରେ ଏହି ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଏବେଠୁ ଅନୁମାନ କରାଗଲାଣି ।  

ଭୂପୃଷ୍ଠର 70 ପ୍ରତିଶତରୁ ଅଧିକ ହେଉଛି ମହାସମୁଦ୍ର ଏବଂ ପୃଥିବୀବ୍ୟାପୀ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ପତ୍ତନ କ୍ରମାଗତ ବୃଦ୍ଧି ପାଉଛି । ଏହା ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଜଳମଗ୍ନ କରିବାର ଆଶଙ୍କା ସୃଷ୍ଟି କରିଛି । ଅପରପକ୍ଷେ, ବିଭିନ୍ନ ପ୍ରକାର ପ୍ରଦୂଷଣ ଯୋଗୁଁ ସମୁଦ୍ର ଓ ସେଥିରେ ଥିବା ନାନା ପ୍ରଜାତିର ଉଦ୍ଭିଦ ଓ ଜୀବଜନ୍ତୁ ବହୁ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ପ୍ରକୃତି କୋଳରେ ବସବାସ କରୁଥିବା ଲୋକମାନଙ୍କ ଦ୍ୱାରା ଅନୁସୃତ ପରମ୍ପରା ଏ କ୍ଷେତ୍ରରେ ଆମ ପାଇଁ ପଥ-ପ୍ରଦର୍ଶକ ହୋଇପାରିବ । ଉଦାହରଣ ସ୍ୱରୂପ, ସମୁଦ୍ର-କୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ସାମୁଦ୍ରିକ ପବନ ଓ ସମୁଦ୍ର ଲହରୀର ଭାଷା ବୁଝିପାରନ୍ତି । ପୂର୍ବପୁରୁଷଙ୍କ ପଦାଙ୍କ ଅନୁସରଣ କରି ସେମାନେ ସମୁଦ୍ରକୁ ଦେବତା ଭାବରେ ପୂଜା କରନ୍ତି ।

ପରିବେଶ ସୁରକ୍ଷା ଓ ପରିବେଶ ସଂରକ୍ଷଣ ଜନିତ ଆହ୍ୱାନର ମୁକାବିଲା ପାଇଁ ଆମ ପାଖରେ ଦୁଇଟି ଉପାୟ ଅଛି ବୋଲି ମୁଁ ବିଶ୍ୱାସ କରେ । ପ୍ରଥମତଃ, ସରକାର ଏବଂ ଆନ୍ତର୍ଜାତିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏ ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଇପାରିବ ଏବଂ ଦ୍ୱିତୀୟତଃ, ନାଗରିକ ଭାବରେ ଆମେ ସ୍ଥାନୀୟ ସ୍ତରରେ ଛୋଟ ଛୋଟ ପଦକ୍ଷେପ ମଧ୍ୟ ନେଇପାରିବା । ଅବଶ୍ୟ ଏହି ଦୁଇଟି ଯାକ ପଦକ୍ଷେପ ପରସ୍ପର ପରିପୂରକ । ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଆମେ ବ୍ୟକ୍ତିଗତ ଭାବରେ, ସ୍ଥାନୀୟ ସ୍ତରରେ ଯଥାସାଧ୍ୟ ଉଦ୍ୟମ କରିବା ପାଇଁ ଆସନ୍ତୁ ଶପଥ ନେବା । ଉତ୍ତରପିଢ଼ି ପାଇଁ ଆମକୁ ଏହା ଅବଶ୍ୟ କରିବାକୁ ହେବ ।

୫ ଦଶନ୍ଧି ପରେ ଦୁଇ ଦିନ ଧରି ରଥଟଣା ହେଉଛି । ବାଟରେ ଅଟକିଥିବା ରଥକୁ ଆଜି ପୁଣି ଟାଣିବେ ଶ୍ରଦ୍ଧାଳୁ । ରଥ ଉପରେ ମହାପ୍ରଭୁଙ୍କୁ ଦେଖିବାକୁ ଲୋକାରଣ୍ୟ ହୋଇପଡିଛି ବଡଦାଣ୍ଡ ।ଆଜି ଆଉ ଥରେ ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍ସାହ ଭରି ଯାଇଛି । ହରିବୋଲ୍ ହୁଳହୁଳିରେ ଫାଟି ପଡୁଛି ବଡଦାଣ୍ଡ । 

 

Sponsored
President took a morning walk at the Puri Blue Flag beach early today | Argus News