ପୂର୍ବ ବିଜେଡି ସରକାର ଆଉଟସୋର୍ସିଂ ମଡେଲର ଖୋଲିବ ଗୁମର

Key Points
ଆଉଟସୋର୍ସିଂ ବ୍ୟବସ୍ଥାକୁ ନେଇ ଖପ୍ପା ମୁଖ୍ୟମନ୍ତ୍ରୀ
କାହିଁକି ଆଉଟସୋର୍ସିଂ...ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଠାଇଲେ ପ୍ରଶ୍ନ
ସରକାରୀ ଇଞ୍ଜିନିୟର ଥାଇ କାହିଁକି ଆଉଟସୋର୍ସ ଇଞ୍ଜିନୟର ଉପରେ ସରକାର କରୁଛନ୍ତି ନିର୍ଭର ?
କେଉଁ ସଂସ୍ଥାକୁ...କେଉଁ ବିଭାଗ...କେଉଁ କାମ ପାଇଁ କେତେ ଟଙ୍କା ଦେଇଛନ୍ତି ?
ମୁଖ୍ୟ ଶାସନ ସଚିବଙ୍କୁ ଗତ ୧୦ ବର୍ଷର ଫାଇଲ ମାଗିଛନ୍ତି ମୁଖ୍ୟମନ୍ତ୍ରୀ
ଆଉଟସୋର୍ସିଂ ନେଇ ବିଜେଡି ଢାଞ୍ଚାରେ ଶାସନ ବ୍ୟବସ୍ଥାକୁ ମୂଳତ୍ପାଟନ କରିବାକୁ ବିଜେପି ସରକାରଙ୍କ ବଡ ପଦକ୍ଷେପ। ରାଜ୍ୟ ସରକାରଙ୍କ ନିଜସ୍ଵ ଇଞ୍ଜିନିୟରିଂ ବିଭାଗ ଏବଂ ଦକ୍ଷ ଇଞ୍ଜିନିୟର ଥାଉ ଥାଉ କାହିଁକି ଆଉଟସୋର୍ସିଂ ବା ଠିକା ସଂସ୍ଥାକୁ ଦିଆଯାଉଛି କାମ । ବିଭିନ୍ନ ପ୍ରକଳ୍ପ ଗୁଡିକର ସର୍ଭେ, ଅନୁସନ୍ଧାନ, ଡିଜାଇନ, ଏଷ୍ଟିମେଟ ଓ ଡିପିଆର ପ୍ରସ୍ତୁତି ନିଜେ ବିଭାଗ କିମ୍ବା ଅନ୍ୟ ସରକାରୀ ସଂସ୍ଥା ନକରି ବେସରକାରୀ ବା ଆଉଟସୋର୍ସିଂ ସଂସ୍ଥା ମାଧ୍ୟମରେ କରାଯାଉଛି । ଯାନ୍ତ୍ରିକ ବିଭାଗ ଗୁଡିକରେ ସର୍ଭେ, ଅନୁସନ୍ଧାନ, ଡିଜାଇନ, ଏଷ୍ଟିମେଟ ଭଳି ପ୍ରାରମ୍ଭିକ କାର୍ଯ୍ୟ ଗୁଡିକ ପାଇଁ ସ୍ଵତନ୍ତ୍ର ଉପ ବିଭାଗ ଅଛି । କିଛି ବର୍ଷ ପୂର୍ବରୁ ସରକାରୀ ଯନ୍ତ୍ରୀ ମାନେ ଏ ସବୁ କାମ ସୂଚାରୁ ରୂପେ କରିଆସୁଥିଲେ । ଏବେ କାହିଁକି ଆଉଟସୋର୍ସିଂ ବ୍ୟବସ୍ଥାର ଅଭ୍ୟୁଦୟ ହେଲା, ତାହାର ଅନୁସନ୍ଧାନ ଓ ନିରାକରଣ ଆବଶ୍ୟକ । ଏହାସହ ଗତ ୧୦ ବର୍ଷ ଭିତରେ କେଉଁ ବିଭାଗ କେଉଁ ବେସରକାରୀ ସଂସ୍ଥା ମାନଙ୍କୁ ଆଉଟସୋର୍ସିଂ ମାଧ୍ୟମରେ କେଉଁ ପ୍ରକାରର କାର୍ଯ୍ୟ କେତେ ଟଙ୍କାରେ କରିଛନ୍ତି ?
ଏହାର ମାସେ ଭିତରେ ରିପୋର୍ଟ ଦେବାକୁ ଗତ ମେ ମାସରେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ଆଉଟସୋର୍ସିଂ ବ୍ୟବସ୍ଥାକୁ ଉଚ୍ଛେଦ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛି ନିଖିଳ ଓଡିଶା ଠିକାଦାର ମହାସଂଘ। କେବଳ ଏତିକି ନୁହେଁ, ଏହି ପ୍ରକ୍ରିୟା ସରକାରୀ ପ୍ରକଳ୍ପ ଗୁଡିକର ବ୍ୟୟଭାର ବୃଦ୍ଧି କରିବା ସହ ସରକାରୀ ଇଞ୍ଜିନିୟର ମାନଙ୍କର କାର୍ଯ୍ୟ ଦକ୍ଷତା ଓ ଅଭିଜ୍ଞତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସରକାରୀ ସଂସ୍ଥାରେ ଦକ୍ଷ ଯନ୍ତ୍ରୀ ମାନେ ନିଯୁକ୍ତ ଥିବା ବେଳେ ବହୁ ଛୋଟ ଛୋଟ ପ୍ରକଳ୍ପ ଗୁଡିକର ସର୍ଭେ, ଅନୁସନ୍ଧାନ, ଡିଜାଇନ, ଏଷ୍ଟିମେଟ ଓ ଡିପିଆର ପ୍ରସ୍ତୁତି ଆଦି କାର୍ଯ୍ୟ ଆଉଟସୋର୍ସିଂ କରିବା ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରୁଛି । ଏହାସହ କେଉଁ ଉପାୟ ଅବଲମ୍ବନ କଲେ ଓ କେଉଁ ଆଧୁନିକ ଯନ୍ତ୍ରପାତି ବ୍ୟବହାର ହେଲେ ସରକାରଙ୍କ ନିଜସ୍ଵ ବିଭାଗ ମାନେ ସେହି ପ୍ରକାର କାର୍ଯ୍ୟ ପାଇଁ ସକ୍ଷମ ହୋଇପାରିବେ ବୋଲି ଚିଠିରେ ସ୍ପଷ୍ଟ ଭାବେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।