ଶ୍ରୀମନ୍ଦିର ସମ୍ମୁଖରେ ସାମ୍ବାଦିକାଙ୍କୁ ଆକ୍ରମଣ ଅଭିଯୋଗ, ଏସ୍ପି କହିଲେ- 'ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ'

ପୁରୀ: ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସାମ୍ବାଦିକାଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ରାମ ନବମୀରେ ପ୍ରାୟ ୧୫ ଜଣରୁ ଅଧିକ ସେବାୟତ ଆକ୍ରମଣ କରିଥିବା ଅଭିଯୋଗ । ସେବାୟତଙ୍କ ଆକ୍ରମଣରେ ସାମ୍ବାଦିକାଙ୍କ ସହ ସହ କ୍ୟାମେରାମ୍ୟାନ ମଧ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଶ୍ରୀମନ୍ଦିର ସମ୍ମୁଖରେ ଟଙ୍କା ନେଇ କିଛି ନିର୍ଦ୍ଦିଷ୍ଟ ସେବାୟତ ଭକ୍ତଙ୍କୁ ଛାଡୁଥିବା ନେଇ ଅଭିଯୋଗ ହୋଇ ଆସୁଛି । ଏନେଇ ଆଜି ଉଭୟ ସାମ୍ବାଦିକା ଓ ତାଙ୍କ କ୍ୟାମେରାମ୍ୟାନ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ତାଙ୍କୁ ସେବାୟତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଆକ୍ରମଣ ଘଟଣାକୁ ନେଇ ପୁରୀର କାର୍ଯ୍ୟରତ ସାମ୍ବାଦିକମାନେ ଏସ୍ପିଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି । ଏସ୍ପି କହିଛନ୍ତି, ଆକ୍ରମଣ ନେଇ ସିଂହଦ୍ଵାର ଥାନା ପୋଲିସରେ ମାମଲା ହୋଇଛି । ସିସିଟିଭି ଯାଞ୍ଚ ସହ ସମସ୍ତଙ୍କ ବୟାନ ରେକର୍ଡ କରି ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ଦୁଃଖ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଏସ୍ପି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।