ଆସନ୍ତା ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Key Points
ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ସଫଳ କରିବ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି
ଆସନ୍ତା ୨୦ ତାରିଖ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରସ୍ତୁତ ହୋଇସାରିଛି ଭିଜନ ଡକ୍ୟୁମେଣ୍ଟ, ମୋଦି କରିବେ ଉନ୍ମୋଚନ
ଆସନ୍ତା ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ଭୁବନେଶ୍ବରରେ ଏକ ରୋଡ୍ ଶୋ’ କରିବା କାର୍ଯ୍ୟକ୍ରମ ରହିଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି ।ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ସଫଳ କରିବ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି । ସେଥିପାଇଁ ପ୍ରସ୍ତୁତ ହୋଇସାରିଛି ଭିଜନ ଡକ୍ୟୁମେଣ୍ଟ । ରାଜ୍ୟର କଲ୍ୟାଣକାରୀ ଯୋଜନାଠୁ ଆରମ୍ଭ କରି ଭିତ୍ତିଭୂମି, କୃଷି କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ଓ ସରକାର କେଉଁ ଢାଞ୍ଚାରେ ଚାଲିବେ ଏସବୁ ଯୋଜନା ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ହାତରୁ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ ହେବ।
ଜୁନ୍ ୨୦ ଅପରାହ୍ନ ୩ ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ସେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବା ପରେ ରୋଡ୍ ଶୋ କରିବେ। ଭୁବନେଶ୍ୱରରେ ରୋଡ୍ ଶୋ ପରେ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଦେଶ ବାଣ୍ଟିବେ। ଏହାସହ ଅନେକ ନୂଆ ଯୋଜନାର ଘୋଷଣା କରିବେ। ମହାପୁରୁଷ ଆଦର୍ଶ ଗାଁ ଯୋଜନା ମଧ୍ୟ ଘୋଷଣା ହୋଇପାରେ ବୋଲି ମନ୍ତ୍ରୀ ନାଏକ ସୂଚନା ଦେଇଛନ୍ତି।
ରାଜ୍ୟରେ ଭାଜପା ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମୋଦି ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସଫଳ ହେବା ସଙ୍ଗେ ସଙ୍ଗେ ମୋଦିଙ୍କ ଗସ୍ତର ସଫଳ ପ୍ରଭାବ କିପରି ରହିବ ତାକୁ ନେଇ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଅପରେଶନ ସିନ୍ଦୂରର ସଫଳତା ପରେ ବିମାବନ୍ଦରଠାରୁ ପ୍ରଥମେ ତ୍ରିରଙ୍ଗାଯାତ୍ରା ହେବ।