ପୂର୍ବ ସରକାରରେ ଭୟରେ ଖୋଲୁ ନଥିଲେ ମୁହଁ: ପୃଥ୍ଵୀରାଜ ହରିଚନ୍ଦନ

Key Points
ନବ ଦାସଙ୍କ ହତ୍ୟାକୁ ପୂରିବାକୁ ଯାଉଛି ୨ ବର୍ଷ
କ୍ରାଇମବ୍ରାଞ୍ଚ ତଦନ୍ତରେ ଷଡ଼ଯନ୍ତ୍ର ଅଭିଯୋଗ
ତଦନ୍ତରେ ଖାମଖିଆଲି,ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ
ଭୁବନେଶ୍ଵର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ପୂରିବାକୁ ଯାଉଛି ୨ ବର୍ଷ । ଏହାରି ଭିତରେ ସରକାର ବଦଳି ଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତରେ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ବି ହେଉଛି । ଏ ସବୁ ଭିତରେ ତଦନ୍ତରେ ହୋଇଥିବା ଖାମଖିଆଲିକୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । କେବେ ନବ ପିନ୍ଧିଥିବା ଡ୍ରେସ୍ ପୋଡ଼ି ଦିଆ ଯାଇଥିବା କୁହାଯାଉଛି ତ ଆ କେବେ ବଦଳି ଯାଉଛି ମୁଖ୍ୟ ସାକ୍ଷୀଙ୍କ ଡ୍ରେସର ରଙ୍ଗ ।
ପୁଣି ଆଉ କେବେ କୁହାଯାଉଛି କେବଳ ନବ ଦାସ ବସିଥିବା ଗାଡ଼ି ଉପରକୁ ସେ ଦିନ ଗୁଳିମାଡ଼ ହୋଇ ନଥିଲା । ନବଙ୍କ ପଛରେ ଆସୁଥିବା ସହଯୋଗୀଙ୍କ ଗାଡ଼ିରେ ବି ବାଜିଥିଲା ଗୁଳି । ଆଉ ବାଜିଥିବା ଗୁଳି କୁଆଡ଼େ ଦେଶୀ ବନ୍ଧୁକରୁ ମାଡ଼ ହୋଇଛି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପ୍ରତିଦିନ ଏମିତି ନୂଆ ନୂଆ ତଥ୍ୟ ଆସୁଥିବା ବେଳେ ସିବିଆଇ ତଦନ୍ତ ଦାବି ବି ଉଠିଛି ।
ଏହାରି ଭିତରେ ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ସେ କହିଛନ୍ତି, ତଦନ୍ତ ପ୍ରକ୍ରିୟା କଣ ହେବ, ସେ ନେଇ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ । ଏଥିସହ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି ପୃଥ୍ଵୀରାଜ ।
📱 Get Argus News App
✨ଆଇନ୍ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି । ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁ ନଥିଲେ । ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହାସ କରୁ ନଥିଲେ, ସେ ଭୟ ଦୂରେଇ ଯାଇଛି । ତେଣୁ ଅନେକ ତଥ୍ୟ ଧିରେ ଧିରେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି । ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ କହିଛନ୍ତି ମନ୍ତ୍ରୀ ।
ସେପଟେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ମାମଲା ଏବେ ଆଇସୋଲେସନରେ ଅଛି । ଘଟଣା ଘଟିବା ପରେ ଅନେକ ତଥ୍ୟ ଦେଇଥିଲୁ । ପରବର୍ତ୍ତୀ ସମୟରେ ଏହି ଦିଗରେ ସମ୍ପୂର୍ଣ୍ଣ ଭାବେ ଆଲୋଚନା ହେବ । ଆଜି ଭଳି ପବିତ୍ର ଦିନରେ ଏ ବିଷୟରେ ଆଲୋଚନା କରିବା ଠିକ ନୁହେଁ । ଆମେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ।