ଚେତାବନୀ ଦେଲେ ପୃଥ୍ୱୀରାଜ, କହିଲେ ଯିଏ ଲିଙ୍କରେ ଥିବ ସମସ୍ତେ ଧରାହେବେ

ରାଜା ଚକ୍ର ଦୁର୍ନୀତି ମାମଲାରେ କାହାରିକୁ ଛଡାଯିବନି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜାଙ୍କ ଲିଙ୍କରେ ଅନେକ ବଡ଼ ବଡ଼ିଆଙ୍କ ସଂପୃକ୍ତି ରହିଛି । ରାଜା ଚକ୍ର ଯାହା ଛତ୍ରଛାୟା ତଳେ କାମ କରୁଥିଲା ଏବଂ ଯାହା ନିର୍ଦ୍ଦେଶରେ କାମ କରୁଥିଲା, ସେମାନେ ସମସ୍ତେ ଆଗାମୀ ଦିନରେ ନ୍ୟାୟିକ ପରିସରଭୁକ୍ତ ହେବେ । ଯାହାଦ୍ବାରା ଆହୁରି ଅନେକ ଗୁମର ସାମ୍ନାକୁ ଆସିବ । ଯେଉଁ ବଡ଼ ଭ୍ରଷ୍ଟାଚାର ହୋଇଛି, ତାହା ଉପରୁ ବି ପରଦା ହଟିବ ।
ଗତକାଲି ବିଜେଡି ବିଧାୟକ ବଦ୍ରି ପାତ୍ର ବହୁତ କଥା କହିସାରିଛନ୍ତି । ରାଜା ଚକ୍ରଙ୍କ ଲିଙ୍କ୍ରେ ଯିଏ ବି ଅଛନ୍ତି । ଯେଉଁ ମାନେ ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି, ଅପରାଧରେ ସଂପୃକ୍ତ ଅଛନ୍ତି, କୌଣସି ଲୋକଙ୍କୁ ବି ବିଜେପି ସରକାର କ୍ଷମା କରିବେ ନାହିଁ । ଯେତେ ବଡ଼ ଲୋକ ହୁଅନ୍ତୁ ପଛେ ତାଙ୍କୁ ଆଇନ ଅନୁସାରେ ଦଣ୍ଡ ବିଧାନ କରାଯିବ । ଏବେ ଗୋଟିଏ ଗୋଟିଏ ଲୋକ ଯନ୍ତାରେ ପଡ଼ୁଛନ୍ତି ଏବଂ ଆଗକୁ ମଧ୍ୟ ଆହୁରି ଅନେକ ଲୋକ ଯନ୍ତାରେ ପଡ଼ିବାର ସମ୍ଭାବନା ଅଛି କହିଛନ୍ତି ଆଇନ ମନ୍ତ୍ରୀ ।
ଅନ୍ୟପଟେ ବାଲେଶ୍ୱର EOW କୋର୍ଟରେ ହାଜର ପରେ ଜେଲ୍ ଗଲେ ରାଜା ଚକ୍ର । ଆସନ୍ତା ୧୯ ତାରିଖ ଯାଏ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ରାଜା ଚକ୍ରଙ୍କ ପକ୍ଷରୁ ଜାମିନ ଓ ରିମାଣ୍ଡ ପାଇଁ କୋର୍ଟଙ୍କ ନିକଟରେ କୌଣସି ଦରଖାସ୍ତ ଆବେଦନ ହୋଇନାହିଁ । ଆଗାମୀ ଦିନରେ ଜାମିନ ପାଇଁ ଦରଖାସ୍ତ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ରାଜା ଚକ୍ରଙ୍କ ଓକିଲ ରଘୁନାଥ ପ୍ରଧାନ ।
ଗନ୍ଧମାର୍ଦ୍ଦନ ଲୋଡିଂ ଆଣ୍ଡ କୋପରେଟିଭ ସୋସାଇଟିରୁ ୧୮୫ କୋଟି ଟଙ୍କାର ଘୋଟାଲା ମାମଲାରେ ବାଲେଶ୍ୱର EOW ସ୍ପେଶାଲ କୋର୍ଟରେ ହାଜର ହୋଇଥିଲେ ବିଜେଡି ନେତା ରାଜା ଚକ୍ର । ରାଜାଙ୍କୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ EOW ।