Road Accident / ଘରୋଇ ବସ୍ ଧକ୍କାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ

Key Points
ଦୁର୍ଘଟଣା ଘଟାଇ ଫେରାର ବସ୍ ।
ବସ୍କୁ ଧକ୍କା ଦେଲା ଟ୍ରକ, ୩ କର୍ମଚାରୀ ଗୁରୁତର ।
ଢ଼େଙ୍କାନାଳ ଏନ ଏଚ-୫୫ର ନିମବାହାଳି ଛକରେ ଦୁର୍ଘଟଣା ।
କଟକ-ଚାନ୍ଦବାଲି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି । ସାଲେପୁର ଥାନା ଅନ୍ତର୍ଗତ ନାନ୍ଦୋଳ ଛକରେ ଥିବା ଚାଣକ୍ୟ ହୋଟେଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ଘରୋଇ ବସ୍ ବାଇକ୍କୁ ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଘରୋଇ ବସ୍ଟି କଟକରୁ ଯାତ୍ରୀଙ୍କୁ ନେଇ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲା । ଏହି ସମୟରେ ନାନ୍ଦୋଳ ଛକ ନିକଟରେ ବସ୍ଟି ଏକ ବାଇକ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃ*ତ୍ୟୁ ଘଟଣାସ୍ଥଳରେ ହିଁ ହୋଇଥିଲା । ଅନ୍ୟପକ୍ଷରେ ବାଇକ୍ରେ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ ।
ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ପିସିଆର୍ ଗାଡ଼ିରେ ଉଦ୍ଧାର କରି ସାଲେପୁର ମେଡିକାଲକୁ ନେଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଦ୍ୱିତୀୟ ବ୍ୟକ୍ତିଙ୍କର ମଧ୍ୟ ଜୀବନ ଚାଲିଯାଇଛି । ଦୁର୍ଘଟଣା ଘଟାଇବା ପରେ ଘରୋଇ ବସ୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଉଭୟ ମୃ*ତକଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସେପଟେ ବସ୍କୁ ଧକ୍କା ଦେଲା ଟ୍ରକ । ଢ଼େଙ୍କାନାଳ ଏନ ଏଚ-୫୫ର ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଦୁର୍ଘଟଣା । ଦୁର୍ଘଟଣାରେ ୩ କର୍ମଚାରୀ ଗୁରୁତର, ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି । ବସ୍ରେ ଏକ ଘରୋଇ ସଂସ୍ଥାର ୪୦ରୁ ଅଧିକ କର୍ମଚାରୀ ଓ ଶ୍ରମିକ ଥିଲେ । ଅନ୍ୟ ସମସ୍ତେ ସୁରକ୍ଷିତ ଥିବା ସୂଚନା ।
ଗୁରୁତରମାନେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଓ ଚାଇଁପୁର ଗାଁର ବୋଲି ଜଣାପଡିଛି । ଏମାନେ ଘରୋଇ କମ୍ପାନୀରେ ଠିକା ସଂସ୍ଥା ମାଧ୍ୟମରେ କାମ କରୁଥିଲେ । ତେବେ ଆଜି ଘରୋଇ ବସରେ ଇନ୍ଦିପୁର, ସିମିନଈ, ଚାଇଁପୁର, ଗଦାଶିଳା ଓ ଆଖ ପାଖ ଅଂଚଳର ଶ୍ରମିକ ଓ କର୍ମଚାରୀମାନେ କାରଖାନାକୁ କାମ କରିବାକୁ ଯାଉଥିଲେ । ନିମ ବାହାଳି ଛକ ନିକଟରେ ଦ୍ରୁତ ବେଗରେ ଆସୁଥିବା ଟ୍ରକ ଏହି ବସକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମୋଟଙ୍ଗା ଥାନା ପୋଲିସ ପହଞ୍ଚି କର୍ମଚାରୀମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି ।
📱 Get Argus News App
✨Related Topics
Explore more stories