ପଞ୍ଚାୟତ ସ୍ତରୀୟ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରାଥମିକ ପ୍ରକ୍ରିୟା। ଖାଲି ପଡିଥିବା ୧୧୩୪ ଟି ପଦବୀ ପାଇଁ ଉପନିର୍ବାଚନ ଓ ନିର୍ବାଚନ କରାଯିବ। କେବେ ଉପନର୍ବିାଚନ କରାଯିବ ସେନଇ କୌଣସି ତାରିଖ ସ୍ପଷ୍ଟ ହୋଇନାହିଁ। ଖାଲି ପଡିଥିବା ପଦବୀ ଗୁଡିକ ମଧ୍ୟରେ ରହିଛି ୫ଟି ଜିଲା ପରିଷଦ ସଭ୍ୟ, ୪୧ଟି ପଞ୍ଚାୟତ ସମିତି ସଦସ୍ୟ, ୪୫ଟି ସରପଞ୍ଚ, ୨୭୨ଟି ୱାର୍ଡ ମେମ୍ବର ପାଇଁ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୭୭୧ଟି ୱାର୍ଡରେ ନୂତନ ଭାବେ ନିର୍ବାଚନ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷିତ ବର୍ଗ ପାଇଁ ଉଦ୍ଦିଷ୍ଟ ଥିବା ୭୭୧ଟି ୱାର୍ଡରେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲକରି ନ ଥିବାରୁ ଉକ୍ତ ୱାର୍ଡ ଗୁଡିକରେ ନିର୍ବାଚନ ବନ୍ଦ ରହିଥିଲା। ଏବେ ଏହି ଓ୍ବାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ ୧୭ରୁ ୨୨ତାରିଖ ମଧ୍ୟରେ ନିର୍ବାଚନ ଅଧିକାରୀମାନେ କେନ୍ଦ୍ର ନିର୍ବାଚନ ଆୟୋଗ ଦ୍ବାରା ପ୍ରକାଶିତ ଭୋଟର ତାଲିକାରୁ ସମ୍ପୃକ୍ତ ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତ କରିବେ। ଏପ୍ରିଲ ୨୪ରେ ୱାର୍ଡୱାରୀ ପ୍ରାଥମିକ ଭୋଟର ତାଲିକା ପ୍ରକାଶିତ ହେବ ବୋଲି ସୂଚନା ମିଳିଛି।