କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ନେଇ ଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା: ଶିଳ୍ପ ମନ୍ତ୍ରୀ

ଘୋଷଣାରେ ସୀମିତ ଥିଲା ପୁର୍ବ ସରକାରଙ୍କ ଶିଳ୍ପ ସ୍ୱପ୍ନ । କୋଟି କୋଟି ଖର୍ଚ୍ଚ କରି ଶିଳ୍ପପତିଙ୍କ ସହ ନେତା ମନ୍ତ୍ରୀଙ୍କ ଫଟୋସୁଟରେ ରହି ଯାଉଥିଲା ରାଜ୍ୟର ଶିଳ୍ପ ବିକାଶ । ବଡ଼ ଘୋଷଣା ହେଉଥିଲା କିନ୍ତୁ କାର୍ଯ୍ୟକାରୀ ହେଉନଥିଲା । କିନ୍ତୁ ନୂଆ ସରକାର ନିଜର ପ୍ରଥମ ମେକଇନ ଓଡ଼ିଶାରେ ମାରିଲେ ଛକା । ତିନିଟି ମେକ୍ ଇନ୍ ଓଡ଼ିଶାରେ ୧୬ ଲକ୍ଷର ପୁଞ୍ଜି ନିବେଶ ପ୍ରସ୍ତାବ ବିଜେଡି ସରକାର ଆଣିଥିବା ବେଳେ ବିଜେପି ସରକାର ପ୍ରଥମ ସମ୍ମିଳନୀରେ ହିଁ ୧୭ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ ପାଇଁ କଲେ ଚୁକ୍ତି ସ୍ବାକ୍ଷର । ଏବେ ସେହି ଚୁକ୍ତିନାମା ଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ କ୍ଷେତ୍ର ପାଇଁ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।
ସେପଟେ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ନେଇ ଖୁଵଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ । ସମ୍ପଦ ସ୍ୱାଇଁ କହିଛନ୍ତି ପୂର୍ବ ସରକାର କାମ କରୁ ନଥିଲେ କିନ୍ତୁ ଆମ ସରକାର ଟାସ୍କଫୋର୍ସ ଗଠନ କରି ଶିଳ୍ପ ବିକାଶ ଦିଗରେ ବାସ୍ତବିକ ଭାବେ କାମ କରୁଛି ।
ବିଜେଡି ସରକାର ଅମଳରେ ୨୦୧୬, ୨୦୧୮ ଓ ୨୦୨୨ରେ ତିନି ଥର ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଆୟୋଜନ କରାଯାଇଥିଲା ସେହି ତିନିଟି ସଂସ୍କରଣରେ ଯଥାକ୍ରମେ ୨.୦୩ ଲକ୍ଷ କୋଟି ଟଙ୍କା, ୪.୨୩ ଲକ୍ଷ କୋଟି ଟଙ୍କା ଓ ୧୦.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା । କିନ୍ତୁ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ୨୦୨୫ରେ ରାଜ୍ୟ ସରକାର ୧୬.୭୩ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଖଣି ଓ ଧାତବ, ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ, ଅକ୍ଷୟ ଶକ୍ତି, ସୂଚନା ପ୍ରଯୁକ୍ତି, ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ନିବେଶ ପ୍ରସ୍ତାବଗୁଡ଼ିକ ଆସିଛି ।
